ଓଡ଼ିଶାଲାଇଭ୍ ବ୍ୟୁରୋ![]()
ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲେ ରାଜ୍ୟ ବିଜେପି ପ୍ରଭାରି ଡି ପୁରନ୍ଦେଶ୍ୱରୀ। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଗତ ୨ ତାରିଖରେ କିଛି ଦୁର୍ବୃତ୍ତ ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇସାରିଛି। ଅନ୍ୟପଟେ ରାଜନୈତିକ ହିଂସା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ ନେଇ ଗୁରୁବାର ମୃତ କୁଳମଣିଙ୍କ ଗାଁ ନୃର୍ତ୍ତାଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ପ୍ରଭାରି ଡି ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
“ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। ଏହି ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଥିବା ସେ କହିଛନ୍ତି। ବର୍ଷକ ତଳେ ବିକାଶ ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ମଧ୍ୟ ସମାନ କାରଣ ପାଇଁ ହତ୍ୟା କରାଯାଇଛି,” ପୁରନ୍ଦେଶ୍ୱରୀ କହିଛନ୍ତି।
ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ମୃତ କୁଳମଣିଙ୍କ ପୁଅ ବୟାନ ଦେଇଥିଲେ। ଏଫଆଇଆରରେ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୃତ କୁଳମଣି ଓ ଦିବ୍ୟସିଂହଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।
ପୁରନ୍ଦେଶ୍ୱରୀ ଆହୁରି କହିଛନ୍ତି ଯେ, ଏହି ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ନ୍ୟାୟ ପ୍ରଦାନ କରନ୍ତୁ, ନଚେତ୍ ସରକାରଙ୍କ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯିବ।
ପରୀ ପ୍ରସଙ୍ଗ ଉଠାଇ ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିବା ସେ କହିଛନ୍ତି।
The post ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡିକୁ ଘେରିଲେ ବିଜେପି ପ୍ରଭାରି ପୁରନ୍ଦେଶ୍ୱରୀ appeared first on OdishaLIVE.