Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭିତରକନିକାରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭିତରକନିକା ପକ୍ଷୀ ଜାତୀୟ ଉଦ୍ୟାନର ଆକାଶରେ ଏବେ ହଜାର ହଜାର ବିଦେଶୀ ପର୍ଯ୍ୟଟକ। କିଚିରମିଚିର ଶବ୍ଦରେ ପ୍ରକମ୍ପିତ ହେଉଛି ଗଗନ ପବନ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୩୬ ହଜାର ୯୨ ବିଦେଶୀ ପକ୍ଷୀ ଏଠାକୁ ଆସିଛନ୍ତି। ଏମାନଙ୍କ ଭିତରେ ୧୨୧ ପ୍ରଜାତିର ପକ୍ଷୀ ଅଛନ୍ତି।

ବୁଧବାର ରାଜନଗର ବନବିଭାଗ ଓଡ଼ିଶାର ପକ୍ଷୀ ବିଶାରଦଙ୍କୁ ନେଇ ୧୬ଟି ଟିମ୍‌ ଗଠନ କରି ଏହି ପକ୍ଷୀ ଗଣନା କରିଛି। ପ୍ରତି ଟିମ୍‌ର ଜଣେ ମୁଖ୍ୟ ରହିଥିବାବେଳେ ସମୁଦାୟ ୭୦ଜଣ ଏହି ଗଣନା ପକ୍ରିୟାରେ ସାମିଲ ହୋଇଥିଲେ। ୧୬ଟି ଟିମ୍‌ରେ ମୁଖ୍ୟ ଭାବେ ପରିବେଶବିତ ବିଶ୍ୱଜିତ ମହାନ୍ତି, ଗୋହର ଆବେଦ୍ଦିନ, ଶିବପ୍ରସାଦ ପରିଡା,  ସଂଜୟ କୁମାର ରାଉତ, ମାଇକେଲ ପିଟର, ପ୍ରସନ୍ନ କୁମାର ନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ବିରଜା ପ୍ରସାଦ ପତି, ବିରଂଚି ନାରାୟଣ ସାମଲ, ବିଜୟ କୁମାର କବି, ସୁଧାଂଶୁ କୁମାର ପରିଡ଼ା, ଲକ୍ଷ୍ମୀଧର ମିଶ୍ର, ମଧୁସ୍ମିତ ପତି, ଜ୍ଞାନପ୍ରକାଶ ମହାନ୍ତି, ନବୀନ କୁମାର ମଲ୍ଲିକଙ୍କ ସମେତ ଅତିରିକ୍ତ ବନ ସଂରକ୍ଷକ ଅଧୀର କୁମାର ବେହେରା, ହରେକୃଷ୍ଣ ମଲ୍ଲିକ ଏହି ଗଣନାରେ ସାମିଲ ହୋଇଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତିର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଞ୍ଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ଼ ପ୍ରଭୃତି ସ୍ଥାନରେ ଏହି ଗଣନା କାର୍ଯ୍ୟ କରାଯାଇଛି।

ପ୍ରତି ଟିମ୍‌ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ୍‌ ପ୍ରଭୃତି ଯନ୍ତ୍ର ଯୋଗେ ପକ୍ଷୀଙ୍କୁ ଦେଖି ଚିହ୍ନଟ ଓ ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଗତବର୍ଷ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା ରହିଥିଲା ୧ ଲକ୍ଷ ୧୮ ହଜାର ୩୨୬ଟି। ସେହିପରି ଗତଥର ୧୦୫ ପ୍ରଜାତିର ପକ୍ଷୀ ଆସିଥିବାବେଳେ ଏଥର ୧୨୧ ପ୍ରଜାତିର ପକ୍ଷୀ ଭିତରକନିକା ଆସିଛନ୍ତି।

ମେରୁ ଅଞ୍ଚଳରେ ବରଫ ପାତ ହେଉଛି। ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ସହିତ ବଳଫ ତଳୁ ଖାଇବା ଯୋଗାଡ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡେ। ଏଣୁ ଏମାନେ ପ୍ରତିବର୍ଷ ହଜାରହଜାର କିଲୋମିଟର ଆକାଶରେ ଉଡିଉଡି ପଳାଇ ଆସନ୍ତି ଭିନ୍ନ ଏକ ଇଲାକାକୁ।

The post ଭିତରକନିକାରେ ବଢ଼ିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ appeared first on OdishaLIVE.


Viewing all articles
Browse latest Browse all 11715