ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚଳିତ ବର୍ଷ ବିନା କୌଣସି ଶତକରେ ନିଜର ବର୍ଷ ଶେଷ କରିଛନ୍ତି। ଅବଶ୍ୟ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଯାଉଛି, ହେଲେ ଏହି ମ୍ୟାଚରେ ବିରାଟ କୋହଲି ଖେଳିବେନି। ସେ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଆସିବେ ବୋଲି ପୂର୍ବରୁ ବିସିସିଆଇକୁ ଜଣାଇସାରିଛନ୍ତି। ତାଙ୍କ ସ୍ଥାନରେ ଏବେ ଟିମ୍ ଇଣ୍ଡିଆର ନେତୃତ୍ୱ ଭାର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ସମ୍ଭାଳିବେ।
ତେବେ ଦୀର୍ଘ ୧୨ ବର୍ଷ ପରେ କୋହଲି ଏପରି ଏକ ଅଲୋଡା ରେକର୍ଡ କରିଛନ୍ତି। ବିଶ୍ୱ କ୍ରିକେଟରେ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ କୋହଲି ଜଣାଶୁଣା। ଏହାସତ୍ତ୍ୱେ ଚଳିତ ବର୍ଷ ସେ ଗୋଟିଏ ବି ଶତକ ନମାରିବା କ୍ରିକେଟ୍ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି।୨୦୦୮ ମସିହାରେ ପ୍ରଥମ କରି ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିଲେ କୋହଲି। ସେହିବର୍ଷ ସେ ମାତ୍ର ୫ଟି ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ଗୋଟିଏ ବି ଶତକ ମାରିନଥିଲେ। ଏହାପରଠାରୁ ପ୍ରତିବର୍ଷ କୋହଲିଙ୍କ ଖାତାରେ ଶତକ ରହିଥାଏ କିନ୍ତୁ ଚଳିତବର୍ଷ ତାଙ୍କ ବ୍ୟାଟରୁ କୌଣସି ଶତକ ଦେଖିବାକୁ ମିଳିନି।
ଏହାପୂର୍ବରୁ ୨୦୧୯ରେ ସେ ୭ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ମାରିଥିଲେ। ସେହିପରି ୨୦୧୮ରେ ୧୧ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ, ୨୦୧୭ରେ ୧୧ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ମାରିଥିଲେ। ପ୍ରତିବର୍ଷ ତାଙ୍କ ବ୍ୟାଟରୁ ଗୋଟିଏ ହେଉ ନା କାହିଁ ଶତକ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ କିନ୍ତୁ ତାଙ୍କ ବ୍ୟାଟ ଶତକ ଶୂନ୍ୟ ରହିଛି।
The post ବିନା ଶତକରେ ବର୍ଷ ଶେଷ କଲେ କୋହଲି, ଦ୍ୱିତୀୟ ଟେଷ୍ଟରେ ରାହାଣେ ହେବେ ଅଧିନାୟକ appeared first on OdishaLIVE.