Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଲିଉଡରେ ମା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇଛନ୍ତି ଏହି ଅଭିନେତ୍ରୀ

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମରେ ଅନେକ ସମୟରେ ମା’ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିଥାଏ। କାରଣ ମା’ ଚରିତ୍ରରେ କିଛି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କୁ ଜୀବନ୍ତ ଲାଗେ। ଫିଲ୍ମ ଦେଖୁ ଦେଖୁ ଦର୍ଶକଙ୍କ ଆଖିରୁ ଲୁହ ଝରିଥିବା ମଧ୍ୟ ଦେଖିବାକୁ ମିଳେ। ଏମିତି ଜୀବନ୍ତ ଅଭିନୟ କରି ବଲିଉଡରେ କିଛି ଅଭିନେତ୍ରୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

ରାକ୍ଷୀ ଗୁଲଜାର

୧୯୪୭, ଅଗଷ୍ଟ ୧୫ରେ ଜନ୍ମ ହୋଇଥିବା ରାକ୍ଷୀ ଗୁଲଜାର ବେଙ୍ଗଲି ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ହେଉଛି ରାଜଶ୍ରୀ ବ୍ୟାନରର ‘ଜୀବନମୃତ୍ୟୁ’। ଧର୍ମେନ୍ଦ୍ର, ଦେବାନନ୍ଦ, ରାଜ କପୁର, ଶଶୀ କପୁରଙ୍କ ଭଳି ଅଭିନେତାଙ୍କ ସହ ହିରୋଇନ ରୋଲରେ ଅଭିନୟ କରିଛନ୍ତି। ନିଜର ଅଭିନୟର ଚାତୁରୀ ପାଇଁ ସେ ଥରେ ନ୍ୟାସନାଲ ଆୱାର୍ଡ ପାଇବା ସହ ୩ ଥର ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି। ୧୬ ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ତାଙ୍କୁ ନୋମିନେସନ ମିଳିଥିଲା। ଦ୍ୱିତୀୟ ଇନିଂସରେ ସେ ମା’ ଚରିତ୍ର ପାଇଁ ବେଶ ପ୍ରଶଂସିତ ହୋଇଥିଲେ।

ଏପରିକି ଅମିତାଭ ବଚ୍ଚନଙ୍କ ମାଆ ଭୂମିକାରେ ମଧ୍ୟ ସେ ‘ଲାୱାରିସ’ ଓ ‘ଶକ୍ତି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାସହିତ ‘ରାମ ଲଖନ’, ‘ବାଜିଗର’, ‘ଖଳନାୟକ’, ‘କରନ ଅର୍ଜୁନ’, ‘ବର୍ଡର’, ‘ଏକରିସ୍ତା’ ଭଳି ସୁପରହିଟ୍ ଫିଲ୍ମରେ ମା’ ଭୂମିକାରେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କର ମନରେ ଅଛି।

ନିରୁପା ରାୟ

ମା’ ଭୂମିକାରେ ଯଦି ସବୁଠାରୁ ଅଧିକ ଲୁହ କିଏ ଝରାଇଛନ୍ତି ସେ ହେଉଛନ୍ତି ନିରୁପା ରାୟ। ଆଉ ତାଙ୍କ ଅଭିନୟରେ ଦର୍ଶକ ବି ବେଶ ଲୁହ ଝରାଇଛନ୍ତି। ୧୯୩୧ ମସିହାରେ ଗୁଜରାଟରେ ଜନ୍ମ ହୋଇଥିବା ନିରୁପା ୧୯୪୬ରେ ହିନ୍ଦୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ। ନିରୁପା ପ୍ରଥମେ ପ୍ରଥମେ ପୌରାଣିକ ଫିଲ୍ମରେ ଦେବୀ ଭୂମିକାରେ ଅଭିନୟ କରିଥିଲେ।  ୨୫୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିବା ବେଳେ ପ୍ରାୟ ମା’ ଭୂମିକାରେ ହିଁ ଅଭିନୟ କରୁଥିଲେ। ‘ଦିୱାର’ରେ ଅମିତାଭ ଓ ଶଶୀଙ୍କ ମା’ ଭୂମିକା ତାଙ୍କ ଅଭିନୟର ଏକ ମାଇଲ ଖୁଣ୍ଟ। ‘ଅମର ଆକବର ଆନ୍ଥୋନୀ’, ‘ମର୍ଦ୍ଦ’, ‘ଅଙ୍ଗାରେ’, ‘ଗଙ୍ଗା’ ‘ଜମୁନା ସରସ୍ୱତୀ’, ‘ତିସରି ଆଖଁ’, ‘ସରଫରୋସ’, ‘ବେତାବ’ ଭଳି ପ୍ରସିଦ୍ଧ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଲାଇଫ୍ ଟାଇମ ଆଚିଭମେଣ୍ଟ ସହ ତାଙ୍କୁ ମୋଟ ୫ ଥର ଫିଲ୍ମ ଫେୟାର ଆୱାର୍ଡ ମିଳିଛି।

ଲଳିତା ପୱାର

ରାମାୟଣର ‘ମନ୍ଥରା’ ଚରିତ୍ରରେ ଅଭିନୟ କରିଥିବା ଲଳିତା ବଲିଉଡରେ ବହୁ ଫିଲ୍ମରେ ମାଆ ଚରିତ୍ରରେ ଅଭିନୟ କରିଛନ୍ତି। ଅଧିକାଂଶ ଚରିତ୍ରରେ ସେ ଦୁଷ୍ଟା ଶାଶୂ ଭୂମିକାରେ ଅଭିନୟ କରିଛନ୍ତି। ସେ ହିନ୍ଦୀ, ଗୁଜରାଟୀ, ମରାଠୀ ଭାଷାରେ ପ୍ରାୟ ୭୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଭାରତ ସରକାର ତାଙ୍କୁ ଭାରତୀୟ ସିନେମାର ପ୍ରଥମ ମହିଳା ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ। ଫିଲ୍ମରେ ହିରୋଙ୍କ ମା’ ଚରିତ୍ରରେ ଅଭିନୟ କରୁଥିଲେ ମଧ୍ୟ ମୁଖ୍ୟତ ଖଳନାୟିକା ଚରିତ୍ର ହିଁ ତାଙ୍କୁ ବେଶୀ ଖାପ୍ ଖାଉଥିଲା। ବୋହୂକୁ ନିର୍ଯାତନା ଦେବାରେ ତାଙ୍କଠାରୁ କେହି ବି ବଳିଯିବେ ନାହିଁ। ସେଥିପାଇଁ ତାଙ୍କୁ ଆଜି ବି ପୁରୁଣା ହିନ୍ଦୀ ଫିଲ୍ମ ଦେଖିଥିବା ଦର୍ଶକ ମନେ ରଖିଛନ୍ତି।

ରିମା ଲାଗୁ

ଆଧୁନିକ ମା’ ଭୂମିକାରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ସହ ଭାଉଜ ଭୂମିକାରେ ବି ସେ ଅଭିନୟ କରି ଦର୍ଶକଙ୍କୁ ଚମତ୍କୃତ କରିଦେଉଥିଲେ। ‘ୟେ ଦିଲଲଗି’, ‘ଦିଲୱାଲେ’, ‘ହମ ଆପକେ ହେ କୌନ’, ‘ହମ ସାଥସାଥ ହେ’, ‘କୟାମତ ସେ କୟାମତ ତକ୍’, ‘ଜୁଡୱା’, ‘ପ୍ୟାର ତୋ ହୋନା ହି ଥା’, ‘କୁଛ କୁଛ ହୋତା ହେ’, ‘ହତ୍ୟାର’ ଭଳି ଫିଲ୍ମ ତାଙ୍କ ଅଭିନୟ ଜୀବନର ମାଇଲ ଖୁଣ୍ଟ। ସେ ଛୋଟ ପରଦାରେ ମଧ୍ୟ ସଫଳ ଥିଲେ। ୧୯୫୮ରେ ସେ  ମରାଠୀ ପରିବାରରେ ଜନ୍ମ ହୋଇଥିବା ବେଳେ ୨୦୧୭ରେ ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା।

ଫରିଦା ଜଲାଲ

ଫରିଦା ଜଲାଲ ତାଙ୍କ କ୍ୟାରିଅର ଆରମ୍ଭରେ ଏକାଧିକ ଫିଲ୍ମରେ ହିରୋଇନ ଭୂମିକାରେ ଅଭିନୟ କରିଛନ୍ତି। ତେବେ ସେକେଣ୍ଡ ଇନିଂସରେ ସେ ମାଆ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ। ୯୦ ଦଶକର ସିନେମା ହେଉ କି ୨୦୦୦ ପରର ସିନେମା ବହୁ ଫିଲ୍ମରେ ମା’ ଭୂମିକାରେ ଅଭିନୟ କରିଛନ୍ତି। ‘ସୋଲଜର’, ‘କୁଛ କୁଛ ହୋତା ହେ’, ‘ହିନ୍ଦୁସ୍ତାନ କି କସମ’, ‘ଖୁବ ସୁରତ’, ‘କହୋନା ପ୍ୟାର ହେ’, ‘କ୍ୟା କେହେନା’, ‘ଲିଜେଣ୍ଡ ଅଫ ଭଗତ ସିଂହ’ ତାଙ୍କର ବେଶ ଲୋକପ୍ରିୟ ଫିଲ୍ମ। ସେ ଖାଲି ମା’ ନୁହେଁ ଜେଜେ ମା’ଭୂମିକାରେ ମଧ୍ୟ ବହୁ ଫିଲ୍ମରେ ଅଭିନୟ କରିଛନ୍ତି।

ଏ ଚର୍ଚ୍ଚିତ ମା’ ଭୂମିକାର ଅଭିନେତ୍ରୀଙ୍କ ମଧ୍ୟରେ, ଦୀନା ପାଠକ, ନୂତନ, ଓ୍ୱାହିଦା ରେହମାନ, ଜୟା ବଚ୍ଚନ, କିରଣ ଖେରଙ୍କ ନାଁ ମଧ୍ୟ ଶ୍ରେଷ୍ଠ ତାଲିକାରେ ରହିବ। କିରଣ ଖେରଙ୍କୁ ତ ଆଧୁନିକ ବଲିଉଡର ମାଆ ବୋଲି ଦର୍ଶକ କୁହନ୍ତି। ପୁରୁଣା ଫିଲ୍ମରେ ଗରିବ ମାଆ ଅପେକ୍ଷା ଧନୀ ମା’ ଭୂମିକାରେ ବହୁ ଫିଲ୍ମରେ ଅଭିନୟ କରିଛନ୍ତି କିରଣ। ଅମୀର ଖାନଙ୍କ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’, ‘ଫନହା’, ଶାହାରୁଖ ଖାନଙ୍କ ‘କଲ ହୋ ନା ହୋ’, ‘ବୀରଜରା’ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।

The post ବଲିଉଡରେ ମା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇଛନ୍ତି ଏହି ଅଭିନେତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles