Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପରଦାକୁ ପର କରିଗଲେ ଏହି କଳାକାର, ବଞ୍ଚି ରହିବ ସ୍ମୃତି

$
0
0

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୨୦ରେ କେଉଁ ଓଡ଼ିଆ କଳାକାର ଦୁନିଆ ଛାଡ଼ିଲେ ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସବ୍ୟାକ୍‌ ରିପୋର୍ଟରେ।

୨୦୨୦, ସମସ୍ତ ପାଇଁ ଏକ ଦୁଃଖ ଓ ଯନ୍ତ୍ରଣାଦାୟକ ବର୍ଷ ସାବ୍ୟସ୍ତ ହୋଇଛି। କରୋନା ମହାମାରୀ ସାଙ୍ଗକୁ କିଛି ଲୋକଙ୍କ ବିୟୋଗ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଏ ବର୍ଷରେ ଓଡ଼ିଆ ଫିଲ୍ମ ଜଗତ ଓ ଟେଲିଭିଜନ ଜଗତ ମଧ୍ୟ ବହୁ କଳାକାରଙ୍କୁ ହରାଇଛି। ଯେଉଁମାନଙ୍କ ବିୟୋଗରେ ଓଲିଉଡରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ବିଜୟ ମହାନ୍ତି

୨୦୨୦, ଜୁଲାଇ ୨୦ରେ ଦୁନିଆର ବିଦାୟ ନେଇଥିଲେ କୋଟି କୋଟି ଓଡ଼ିଆ ଦର୍ଶକଙ୍କ ପ୍ରିୟ ଅଭିନେତା ବିଜୟ ମହାନ୍ତି। ହୃଦଜନିତ ରୋଗରେ ପୀଡ଼ିତ ହୋଇ ୭୦ ବର୍ଷ ବୟସରେ ଆଖି ବୁଜିଥିଲେ ବିଜୟ ମହାନ୍ତି।

ସେ ତାଙ୍କ ଜୀବନ କାଳ ଭିତରେ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲା ବେଳେ ଅନେକଗୁଡ଼ିଏ ମେଗା ଧାରିବାହିକରେ ମଧ୍ୟ କାମ କରିଥିଲେ। ଭାଇ ହେଲା ଭଗାରୀ, ଭୀଷ୍ମ ପ୍ରତିଜ୍ଞା, ସହରୀ ବାଘ ଆଦି ତାଙ୍କର ଶ୍ରେଷ୍ଠ ଫିଲ୍ମ। ଫିଲ୍ମରେ ଅଭିନୟ କରିବା ସହିତ ସେ ନିର୍ଦ୍ଦେଶନାରେ ବି ହାତ ଦେଇଥିଲେ।

ଅଜିତ ଦାସ

୨୦୨୦, ସେପ୍ଟେମ୍ବର ୧୩ରେ ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା। କରୋନା ଆକ୍ରାନ୍ତ ହୋଇ ୭୧ ବର୍ଷ ବୟସରେ ଆଖି ବୁଜିଥିଲେ ଅଜିତ ଦାସ।

ଅଜିତ୍ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ହାକିମ ବାବୁ, ମା, ତୁଣ୍ଡ ବାଇଦ, ଜଗା ହାତରେ ପଘା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସରପଞ୍ଚ ବାବୁ, ସୁନା ଚଢେଇ, ଗୋଲାମ ଗିରି, ବଳିଦାନ, ମେଘମୁକ୍ତି, ତପସ୍ୟା ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ଜିଣିପାରିଥିଲା।

ଦୀପା ସାହୁ

ଆଲବମ୍‌ କୁଇନ ଭାବେ ପରିଚିତ ଥିବା ଦୀପା ସାହୁ ବି ଏଇ ୨୦୨୦ରେ ପ୍ରାଣ ହରାଇଲେ। କ୍ୟାନ୍ସର ଯୋଗୁଁ ମାତ୍ର ୩୫ ବର୍ଷ ବୟସରେ ସେ ଏକ ଆଖି ବୁଜି ଦେଲେ। ଓଡ଼ିଆ ଆଲବମ୍ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ଦୀପା। ସେ ଅନେକ ହିଟ୍ ଆଲବମ ଗୀତରେ ଅଭିନୟ କରିଥିଲେ। ଏଥିସହିତ ସେ କେତୋଟି ଫିଲ୍ମ ଓ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ନିଜର ଅଭିନୟ ଓ ଆଲବମ ଗୀତ ମାଧ୍ୟମରେ ସେ ବେଶ ପରିଚିତ ହୋଇପାରିଥିଲେ। ‘ତା’ର କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ ସବୁଠୁ ଲୋକପ୍ରିୟ ଗୀତ ଥିଲା। ଏଥିରେ ଅଭିନେତା ଅନୁଭବ ତାଙ୍କ ସହ ଅଭିନୟ କରିଥିଲେ।

ସୌମ୍ୟା ରଞ୍ଜନ ପଣ୍ଡା

ଟେଲିଭିଜନ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡା ଓରଫ ଚଞ୍ଚଙ୍କର ଏପ୍ରିଲ ମାସରେ ମୃତ୍ୟୁ ଘଟିଥିଲା। ସେ ମଧ୍ୟ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଟେଲିଭିଜନ ଜଗତକୁ ଏକ ବଡ଼ ଝଟକା ଲାଗିଥିଲା। ସେ ତାଙ୍କ ନିଜ ନାଁ ଅପେକ୍ଷା ‘ଗବର’ ନାଁରେ ପରିଚିତ ଥିଲେ। କମେଡି ସିରିଏଲ ମିଷ୍ଟର ‘ମିଷ୍ଟର ନନସେନ୍ସରେ ତାଙ୍କୁ ଦେଖିବାକୁ ମିଳିଥିଲା।

ଜିମୂତ ପଟ୍ଟନାୟକ

ଏକାଧିକ ସିରିଏଲରେ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିାନତା ଜିମୂତ ପଟ୍ଟନାୟକ। ନିମୋନିଆରେ ଆକ୍ରାନ୍ତ ହୋଇ ଗତ ନଭେମ୍ବର ୨୨ରେ ସେ ଆଖି ବୁଜିଥିଲେ। ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ଲୋକଙ୍କ ହୃଦୟରେ ସାଇତା ହୋଇ ରହିଛି। ୧୦ରୁ ଅଧିକ ଫିଲ୍ମରେ ବି ସେ କାମ କରିଛନ୍ତି।

ସନ୍ତୋଷ ନାୟକ

୨୦୨୦ରେ ଆଖି ବୁଜିଥିଲେ ଆଉ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା। ସେ ହେଲେ ସନ୍ତୋଷ ନାୟକ। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ‘ମୁନା ଏ ଲଭ୍‌ ଷ୍ଟୋରି’, ‘ଆରେ ସାଥୀ ଆ’, ‘ନେଇଯା’ରେ ମେଘ ମୋତେ’, ‘ଏ ମନ ମାନେନା’, ‘ସିନ୍ଦୂର’, ‘ତୁ କହି ଦେ ଆଇ ଲଭ୍‌ ୟୁ’, ‘ଲଭ୍‌ ଫିଭର୍‌’ ଭଳି ବହୁ ଫିଲ୍ମରେ ନିଜର ଛାପ ଛାଡ଼ି ଯାଇଛନ୍ତି।

ରାଜୁ ମିଶ୍ର

ଓଲିଉଡର ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ନଭେମ୍ବର ୨ରେ ଦୁନିଆକୁ ଅଲବିଦା କହିଥିଲେ। ଜଣେ ସିନେ ନିର୍ଦ୍ଦେଶକ, ଲେଖକ, ସିନେମାଟୋଗ୍ରାଫର ଭାବେ ରାଜୁ ମିଶ୍ର ଓଡ଼ିଆ ଫିଲ୍ମ ଜଗତରେ ବେଶ ସୁନାମ ଅର୍ଜନ କରିପାରିଥିଲେ। ତାଙ୍କ ନିର୍ଦ୍ଦେଶିତ ଜୋର ଯାର ମୁଲକ ତାର, ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଫିଲ୍ମ ନବେ ଦଶକରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏଥିସହିତ ସେ ଆସୁଛି ମୋ କାଳିଆ ସୁନା, ସାଗର ଗଙ୍ଗା, ସିଂହ ବାହିନୀ, ରୁପା ଗାଁ’ର ସୁନା କନିଆ, ହରି ଭାଇ ହାରେନା ଓ ଜୀବନ ମୃତ୍ୟୁ ଭଳି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

ମନମୋହନ ମହାପାତ୍ର

ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଜାନୁଆରି ୧୩ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଓଲିଉଡ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

ମନମୋହନଙ୍କ ନିର୍ଦ୍ଦେଶିତ ‘ନିରବ ଝଡ଼’ ଜାତୀୟ ପୁରସ୍କାର ପାଇଥିଲା। ଏହାସହ ଭିଜା ମାଟିର ସ୍ଵର୍ଗ ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ପାଇଥିଲେ। ମନମୋହନ ମହାପାତ୍ର ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ। ତାଙ୍କ ନିର୍ଦ୍ଦେଶିତ ଆଠଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ପୁରସ୍କାର ଲାଭ କରିଛି।

The post ପରଦାକୁ ପର କରିଗଲେ ଏହି କଳାକାର, ବଞ୍ଚି ରହିବ ସ୍ମୃତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles