Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ – ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତାରୋକ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି।

  • ରାଜ୍ୟରେ ବନ୍ଦର ଆଂଶିକ ପ୍ରଭାବ
  • ପିକେଟିଂ ସହ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ
  • ବସ୍ ଓ ରେଳ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ
  • ବନ୍ଦ ରହିଲା ଦୋକାନ ବଜାର

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେହିପରି ରେଳ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।ନୂଆ କୃଷି ଆଇନକୁ ବିରୋଧ କରି ଆଜି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସାରା ଦେଶରେ ବନ୍ଦ ପାଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓଡ଼ିଶାରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଭୁବନେଶ୍ଵର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଏହି ସଂଗଠନର କର୍ମକର୍ତ୍ତାମାନେ ରେଳରୋକ କରିବା ସହ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ନାରାବାଜି କରିଥିଲେ। ଫଳରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ବସଗୁଡ଼ିକ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ଓ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକ, ହଂସପାଳ ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି।ଅନ୍ୟପଟେ କଟକରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ପଡ଼ିଛି। କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ଦୂରଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ହଇରାଣ ହୋଇଛନ୍ତି। ସେହିପରି ଭାରତ ବନ୍ଦ ଯୋଗୁ କଟକରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ରାଉରକେଲାରେ ମଧ୍ୟ ଆଜି ସକାଳୁ ବନ୍ଦର ପ୍ରଭାବ ପଡ଼ିଥିଲା। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲାରେ ବିକ୍ଷୋଭ କରାଯାଇଥିଲା। ଫଳରେ ସେଠାରେ ବସ୍ ଚଳାଚଳ ବନ୍ଦ ରହିଥିଲା। ସେହିପରି ଗୁଣୁପୁର ଓଭରବ୍ରିଜ୍ ଉପରେ ସିପିଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ରକ୍ସିରେ ମାଲବାହୀ ଟ୍ରେନକୁ ଆନ୍ଦୋଳନକାରୀମାନେ ଅଟକ ରଖିଥିଲେ। ବାଲେଶ୍ଵରରେ ବି ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ସହ ରାଜରାସ୍ତା ଅବରୋଧ କରିଥିଲେ। ସେହିପରି ବ୍ରହ୍ମପୁର ରେଳ ଷ୍ଟେସନରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।ଏହାଛଡ଼ା ସମ୍ବଲପୁର ବସ୍ ଷ୍ଟାଣ୍ଡରେ ମଧ୍ୟ ବସଗୁଡ଼ିକ ଅଟକି ରହିଥିଲା। ଗାଡ଼ି ଚଳାଚଳ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ଜଗତସିଂହପୁରର ବଙ୍ଗଳା ଛକରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିପରି ଭବାନୀପାଟଣାରେ ମଧ୍ୟ ବସ୍ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା।

କଂଗ୍ରେସ ଓ ସିପିଏମ୍ କର୍ମୀମାନେ ଆନ୍ଧ୍ର ଓ ଓଡ଼ିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କେନ୍ଦ୍ରାପଡ଼ାର ତିନିମୁହାଣି ଛକରେ ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିଲେ। ସେହିପରି ନବରଙ୍ଗପୁରରେ ଚାଉଁରିଆଗୁଡ଼ା ଛକ ଓ କଂଗ୍ରେସ ଅଫିସ ସାମ୍ନାରେ ଥିବା ୨୬ ନମ୍ବର ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିବାରୁ ଶହ ଶହ ଗାଡ଼ି ଅଟକି ରହିଥିଲା।ସୁବର୍ଣ୍ଣପୁର, ସୋନପୁର ଆଦି ଜିଲ୍ଲାରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ପଡ଼ିଥିଲା। ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଗଠନ ଓ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

ଭାରତ ବନ୍ଦ ଯୋଗୁ ଆଜି ସାରା ରାଜ୍ୟରେ ଜରୁରୀ ସେବା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଅଳ୍ପ କିଛି ଛୋଟ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

The post ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ – ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତାରୋକ appeared first on OdishaLIVE.


Viewing all articles
Browse latest Browse all 11715

Trending Articles