Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଇପିଏଲ୍‌ର ନୂଆ ରନ୍ ମେସିନ୍ ରାହୁଲ ତିୱାଟିଆ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାହୁଲ ତିୱାଟିଆ। ଆଇପିଏଲ୍ ପାଇଁ ଗତ ଶନିବାର ସୁଦ୍ଧା ଅପରିଚିତ ଥିବା ଏହି ନାମଟି କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍ ପରଠାରୁ କ୍ରିକେଟ୍ ପାଇଁ ଏକ ଚମତ୍କାରିତାରେ ପରିଣତ ହୋଇଛି। ମିରାକଲ ଇନ୍ କ୍ରିକେଟ୍। ଆଇପିଏଲ ପାଇଁ ସେ ଆଉ ଜଣେ ନୂଆ ରନ୍ ମେସିନ୍ ଭାବେ ଉଭା ହୋଇଛନ୍ତି।

ସେଇ ଚମତ୍କାରୀ ମ୍ୟାଚ୍ ଯାହା ତିୱାଟିଆଙ୍କୁ ରାତାରାତି ହିରୋ କରିଦେଲା

ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥିଲା ଶେଷ ୩ ଓଭରରୁ (୧୮ ବଲ) ୫୧ ରନ୍। ୧୮ତମ ଓଭର ନେଇ ବୋଲିଂ କରିବାକୁ ଆସିଲେ ଆଇପିଏଲ୍‌ର ଟପ୍ ର‌୍ୟାଙ୍କ ଫାଷ୍ଟ ବୋଲର ସେଲଡନ୍ କଟ୍ରେଲ। ଷ୍ଟ୍ରାଇକରେ ଥିଲେ ୨୭ ବର୍ଷୀୟ ରାହୁଲ ତିୱାଟିଆ ଯାହାଙ୍କ ବ୍ୟାଟିଂ ପୂର୍ବରୁ କାହାର ଦୃଷ୍ଟି ଆକର୍ଷଣ କରିପାରି ନ ଥିଲା। କିନ୍ତୁ ସେଇଠୁ ଆରମ୍ଭ ହେଲା ଚମତ୍କାର ଓ ସେଲଡନଙ୍କ ସେଇ ଓଭରରୁ ହିଁ ନିଜ ପରିଚୟ ତିଆରି କରିନେଲେ ରାହୁଲ।

ସେଲଡନଙ୍କ ୬ଟି ବଲରୁ ୫ଟି ଛକା ମାରି ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ ରାହୁଲ ତିୱାଟିଆ। ୧୭ ଓଭର ସୁଦ୍ଧା ସମସ୍ତଙ୍କ ଧାରଣା ଥିଲା ମ୍ୟାଚ୍ କିଙ୍ଗସ ଇଲେଭେନ ପଞ୍ଜାବର ପକେଟ୍‌ରେ ହିଁ ରହିଛି। କିନ୍ତୁ ରାହୁଲଙ୍କ ୩୧ ବଲ୍‌ରୁ ୭ଟି ଛକା ସହ ୫୩ ରନ୍‌ର ଇନିଂସ ପଞ୍ଜାବ ପକେଟରୁ ମ୍ୟାଚ୍ ଛଡ଼ାଇଆଣି ରାଜସ୍ଥାନ ରୟାଲ୍ସକୁ ହାରୁଥିବା ବାଜି ଜିତାଇଦେଲା।

୨୨୪ ରନର ବିଶାଳ ସ୍କୋରର ପିଛା କରୁଥିବା ରାଜସ୍ଥାନ ନିର୍ଦ୍ଧାରିତ ଓଭରର ୩ଟି ବଲ୍ ପୂର୍ବରୁ ମ୍ୟାଚ୍ ଜିତିନେଲା। ଆଇପିଏଲ ଇତିହାସରେ ଏହା ହିଁ ହେଉଛି ସର୍ବାଧିକ ରନ୍ ଚେଜ୍। ଆଇପିଏଲ୍‌ରେ ଗୋଟିଏ ଓଭରରେ ୫ଟି ଛକା ମାରିବାର ରେକର୍ଡ଼ ପୂର୍ବରୁ କ୍ରିସ୍ ଗେଲଙ୍କ ନାମରେ ଥିଲା। ରାହୁଲ ମଧ୍ୟ ଗୋଟିଏ ଓଭରରୁ ୫ ଛକା ମାରି ତାଙ୍କ ସହ ସମକକ୍ଷ ହେଲେ।

ନୂଆ ନ ଥିଲେ, ୨୦୧୪ରୁ ଖେଳୁଛନ୍ତି ଆଇପିଏଲ୍‌

ରାହୁଲ ତିୱାଟିଆ ଆଇପିଏଲ ପାଇଁ ନୂଆ ନ ଥିଲେ। ୨୦୧୪ରୁ ସେ ପ୍ରଥମେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ। ଏହାପରେ ୨୦୧୭ରେ କିଙ୍ଗସ ଇଲେଭେନ ପଞ୍ଜାବ ଓ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବା ପରେ ରାଜସ୍ଥାନ ରୟାଲ୍ସକୁ ଲେଉଟିଥିଲେ।

ଚାପ ଭିତରେ ଥାଇ ବି ଚମତ୍କାର ଖେଳ ଦେଖାଇଲେ

ନିଜ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ଜଣେ ବ୍ୟାଟ୍ସମ୍ୟାନ୍ ମ୍ୟାଚ୍‌ର ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼ିଆରେ ଥିବ। ଲକ୍ଷ୍ୟ ବଡ଼ ଥିବ ଓ ଷ୍ଟ୍ରାଇକ ଏଣ୍ଡରେ ଥିବେ ସେଲଡନ କଟ୍ରେଲଙ୍କ ପରି ଜଣେ ଅନ୍ତର୍ଜାତୀୟ ଦ୍ରୁତ ବୋଲର। ପ୍ୟାଭିଲିୟନରୁ ନିଜ ଟିମ୍ ଓ ଗ୍ୟାଲେରିରୁ ଦର୍ଶକମାନେ ବହୁ ଆଶା ବାନ୍ଧି ବସିଥିବେ। ଏଭଳି ଚାପ ଭିତରେ ଥାଇ ବି ଚମତ୍କାର ବ୍ୟାଟିଂ କରି ଗୋଟିଏ ଓଭରରେ ୫ଟି ଛକା ମାରିବା ଜଣେ ପ୍ରତିଭାବାନ ଖେଳାଳି ହିଁ କରିପାରେ। ଅନେକ ଦିନ ହେଲା ସୁଯୋଗ ଅପେକ୍ଷାରେ ଥିବା ତିୱାଟିଆ ଉଚିତ୍ ସମୟରେ ଏଭଳି ବ୍ୟାଟିଂ ଦକ୍ଷତା ଦେଖାଇ ନିଜର ନୂଆ ପରିଚୟ ତିଆରି କରିଛନ୍ତି। ସାରଜା ପଡ଼ିଆରେ ମ୍ୟାଚ୍‌ର ଅନ୍ତିମ ଓଭରଗୁଡ଼ିକରେ ରନ୍ ବର୍ଷା କରି ହାରିବା ସୁନିଶ୍ଚିତ ଥିବା ମ୍ୟାଚ୍‌କୁ ଜିତାଇଛନ୍ତି ରାହୁଲ।

ଋାହୁଲ ଜଣେ ଅଲରାଉଣ୍ଡର, ଅଳ୍ପ ଦିନର କ୍ୟାରିୟର ଗ୍ରାଫ୍‌

୧୯୯୩ ମେ’ ୩୦ରେ ହରିୟାଣାର ସିହିରେ ରାହୁଲ ତିୱାଟିଆଙ୍କ ଜନ୍ମ। ୨୭ ବର୍ଷୀୟ ଏହି କ୍ରିକେଟର ହେଉଛନ୍ତି ଜଣେ ଅଲରାଉଣ୍ଡର। ବାମହାତୀ ବ୍ୟାଟ୍‌ସମ୍ୟାନ ଓ ଲେଗ୍ ବ୍ରେକ୍ ବୋଲର। ମାତ୍ର ୭ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୧୯୦ ରନ୍ ଓ ୧୭ଟି ୱିକେଟ୍ ସଂଗ୍ରହ କରିଛନ୍ତି ରାହୁଲ। ସେହିପରି ୨୧ଟି ଲିଷ୍ଟ ଏ ମ୍ୟାଚ୍‌ରୁ ୪୮୪ ରନ୍ (୯୧ଞ୍ଚ ସର୍ବାଧିକ) ସଂଗ୍ରହ ସହ ୨୭ଟି ୱିକେଟ୍ ଦଖଲ କରିଛନ୍ତି। ୫୦ ଟି-୨୦ ମ୍ୟାଚ୍‌ରୁ ୬୯୧ ରନ୍ ଓ ୩୩ଟି ୱିକେଟ୍ ପାଇଛନ୍ତି।

ଏକଦା ମଜା ଉଡ଼ାଇଥିଲେ ରିକି ପଣ୍ଟିଂ

୨୦୧୯ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଖେଳୁଥିଲେ ରାହୁଲ। ରିକି ପଣ୍ଟିଂ ଥିଲେ ଦଳର କୋଚ୍। ୱାଙ୍ଖଡେରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌କୁ ଦିଲ୍ଲୀ ଜିତିବା ପରେ ଡ୍ରେସିଂ ରୁମ୍‌ରେ ରିକି ପଣ୍ଟିଂ ବିଜୟରେ ମୂଖ୍ୟ ଭୂମିକା ନେଇଥିବା ଖେଳାଳିମାନଙ୍କୁ ପ୍ରଶଂସା କରି ସେଠାରୁ ବାହାରି ଯାଉଥିଲେ। ବାହାରୁ ବାହାରୁ ସେ ଅଟକିଯାଇ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ‘ରାହୁଲ ତିୱାଟିଆ ୪ଟି କ୍ୟାଚ୍ ନେଇଛନ୍ତି ଓ ଚାହୁଁଛନ୍ତି ତାଙ୍କୁ ଏଥିପାଇଁ ସାବାସି ମିଳୁ। ପଣ୍ଟିଂଙ୍କ ଏହି କଥା ଶୁଣି ଡ୍ରେସିଂରୁମ୍‌ରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେହି ତିୱାଟିଆ ରବିବାର ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ବିଜୟ ଦେଇଛନ୍ତି।

ଗୋଟିଏ ବଲ୍ ମିସ୍ କରିଥିବାରୁ ଧନ୍ୟବାଦ ଦେଲେ ଯୁବରାଜ

୬ଟି ବଲ୍‌ରୁ ୫ଟି ଛକା। ଗୋଟିଏ ବଲ୍ ମିସ୍ କରିବା ଯୋଗୁ ରାହୁଲ ତିୱାଟିଆଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ଯୁବରାଜ ସିଂ। ଯୁବରାଜ ପୂର୍ବରୁ ଦକ୍ଷିଣଆଫ୍ରିକା ବିରୋଧରେ ଗୋଟିଏ ଓଭରରୁ ୬ଟି ଛକା ମାରିବାର ରେକର୍ଡ଼ କରିଛନ୍ତି। ରାହୁଲ ଗୋଟିଏ ବଲ୍ ମିସ୍ କରିଯିବାରୁ ଯୁବରାଜଙ୍କ ରେକର୍ଡ଼ ଭାଙ୍ଗିପାରି ନ ଥିଲା।

The post ଆଇପିଏଲ୍‌ର ନୂଆ ରନ୍ ମେସିନ୍ ରାହୁଲ ତିୱାଟିଆ appeared first on OdishaLIVE.


Viewing all articles
Browse latest Browse all 11715

Trending Articles