ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆଜି ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ସରକାରୀ ରେଳବାଇ ପୋଲିସ ପକ୍ଷରୁ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି।
ଆଦିତ୍ୟ ଦାସଙ୍କ ସ୍ୱେଚ୍ଛାସେବୀ ସଙ୍ଗଠନ ‘ପିପୁଲ୍ ଫର ସେବା’ର କିଛି ସଦସ୍ୟଙ୍କ ପକ୍ଷରୁ ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ତେଣୁ ଏହାକୁ ଆଧାର କରି ପୋଲିସ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଯେଉଁଥିରେ ଏକ ଶକ୍ତ ପଦାର୍ଥର ଆଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଯାହାକି ଏହି ମୃତ୍ୟୁ ମାମଲାକୁ ଆହୁରି ଆଶଙ୍କା ଭିତରକୁ ଠେଲିଦେଇଛି।ଗତକାଲି ଆଦିତ୍ୟଙ୍କର ସୁଇସାଇଡ ନୋଟ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଲେଖିଥିଲେ। ଏଥିସହ ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ସମସ୍ତେ ଭାବିବା ଉଚିତ ବୋଲି ସେ ଲେଖିଛନ୍ତି। ଓଡ଼ିଶା ମଦମୁକ୍ତ ହେଲେ ତାଙ୍କର ଆତ୍ମା ଶାନ୍ତି ପାଇବ ବୋଲି ସେ ତାଙ୍କର ଶେଷ ଚିଠିରେ ଲେଖିଥିବା ଦେଖିବାକୁ ମିଳିଥିଲା।
ତେବେ ଏପର୍ଯ୍ୟନ୍ତ ଏହି ମୃତ୍ୟୁ ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ସ୍ଥିର ହୋଇପାରିନାହିଁ। ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ଆଦିତ୍ୟଙ୍କ ବନ୍ଧୁମାନେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି।
The post ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ଼ – ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ appeared first on OdishaLIVE.