ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଟିକା କେବେ ବାହାରି ନପାରେ: ଡବ୍ଲ୍ୟୁଏଚ୍ଓ
କୋଭିଡ୍-୧୯ ବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। କରୋନା କବଳରୁ ମୁକୁଳିବା ପାଇଁ ସାରା ବିଶ୍ୱବାସୀ ପ୍ରତିଷେଧକ ଟିକାକୁ ଚାହିଁ ରହିଛନ୍ତି। ଠିକ୍ ଏତିକି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡାକ୍ତର ଡେଭିଡ୍ ନାବାରୋ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଟିକା କେବେ ବାହାରି ନପାରେ।
‘‘ସାରା ବିଶ୍ୱରେ ୧୦୦ରୁ ଅଧିକ ପ୍ରତିଷେଧକ ଟିକା ପ୍ରି-କ୍ଲିନିକାଲ ପରୀକ୍ଷା କରାଯିବା ସ୍ଥିତିରେ ଅଛି। କିଛି ଟିକା ମଣିଷ ଶରୀରରେ ପରୀକ୍ଷା କରାଯାଇଛି। ହେଲେ ସଫଳତା ମିଳିନି’’, ଏଭଳି ମନ୍ତବ୍ୟ ଦେଇ ସାରା ବିଶ୍ୱକୁ ସତର୍କ କରିଛନ୍ତି ଡବ୍ଲ୍ୟୁଏଚ୍ଓର ସ୍ୱାସ୍ଥ୍ୟ ବିଶେଷଜ୍ଞ।
ସେ ଆହୁରି କହିଛନ୍ତି, ‘‘ଦୀର୍ଘ ବର୍ଷର ଗବେଷଣା ପରେ ଏଚ୍ଆଇଭି ଏବଂ ଡେଙ୍ଗୁ ରୋଗ ପାଇଁ ପ୍ରତିଷେଧକ ଟିକା ବୈଜ୍ଞାନିକମାନେ ବାହାର କରିବାରେ ସଫଳ ହୋଇ ନାହାନ୍ତି। ଏହି ରୋଗର ପ୍ରତିଷେଧକ ବାହାର କରିବା ପାଇଁ ଏବେ ବି ବିଭିନ୍ନ ଲାବୋରେଟୋରୀରେ ଗବେଷଣା ଚାଲିଛି।’’
ଚାରି ଦଶନ୍ଧି ଭିତରେ ଏଚ୍ଆଇଭି ସାରା ବିଶ୍ୱରେ ୩୨ ମିଲିଅନ ଲୋକଙ୍କ ଜୀବନ ନେଲାଣି। ଏବେ ବି ବିଶ୍ୱବାସୀ ଏଚ୍ଆଇଭି ଟିକାକୁ ଅପେକ୍ଷା କରି ରହିଛନ୍ତି। କେବଳ ସଚେତନତା ହିଁ ଏଚ୍ଆଇଭିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି।
ଡେଙ୍ଗୁ ବି ସମାନ ଅବସ୍ଥା ଦେଇ ଗତି କରୁଛି। ବର୍ଷକୁ ୪ ଲକ୍ଷ ଲୋକ ଡେଙ୍ଗ ରୋଗର ଶୀକାର ହେଉଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଏଥିପାଇଁ ପ୍ରତିଷେଧକ ବାହାରି ପାରିନାହିଁ। ବର୍ଷ ବର୍ଷ ଧରି ଏହି ରୋଗ ପାଇଁ ଗବେଷଣା ଚାଲିଛି।
ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍-୧୯ ପାଇଁ ୧୦୨ କମ୍ପାନି ପ୍ରତିଷେଧକ ଟିକା ବାହାର କରିବାରେ ଲାଗିଛନ୍ତି। ସେଥିମଧ୍ୟରୁ ୮ଟି ପ୍ରତିଷେଧକ ମନୁଷ୍ୟ ଶରୀରରେ ପ୍ରୟୋଗ କରାଯାଇଛି। ଯଦି ଏହା ସଫଳ ହୁଏ ତାହାଲେ ବିଶ୍ୱବାସୀ ଉପକୃତ ହୋଇପାରିବେ।
କୋଭିଡ୍-୧୯ ମୁକାବିଲା ପାଇଁ ଏବେ ବିଭିନ୍ନ ଦେଲ ଲକ୍ଡାଉନ୍ ଲାଗୁ କରିଛନ୍ତି। ହେଲେ ଏହି ନିୟମ ଦୀର୍ଘସ୍ଥାୟୀ ବ୍ୟବସ୍ଥା ନୁହେଁ। କାରଣ ଲକ୍ଡାଉନ୍ ଯୋଗୁଁ ଅର୍ଥନୀତି ଉପରେ ପ୍ରଭାବ ପଡୁଛି। ଏଣୁ ପ୍ରତିଷେଧକକୁ ସମସ୍ତେ ଚାହିଁ ରହିଛନ୍ତି।
The post ଏଚ୍ଆଇଭି, ଡେଙ୍ଗୁ ପାଇଁ ଏବେସୁଦ୍ଧା ପ୍ରତିଷେଧକ ବାହାରି ନାହିଁ, କରୋନା ପାଇଁ କେବେ? appeared first on OdishaLIVE.