ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଏକ ହୋଟେଲରେ ପାଳନ ହୋଇଥିଲା ଜନ୍ମଦିନ ଉତ୍ସବ। ଏହି ଉତ୍ସବକରୁ ବ୍ୟାପିଗଡ଼ା କୋରୋନା ଭାଇରସ୍।
ମାରାତ୍ମକ କୋରୋନା ଭାଇରସ୍ ଚୀନର ସୀମା ଡେଇଁ ଏବେ ଭାରତରେ ପହଞ୍ଚିଛି। ଯଦିଓ ଏପର୍ଯ୍ୟନ୍ତ ଏହି ଭାଇରସ୍ ଭାରତରେ କାହାର ଜୀବନ ନେଇନି ତେବେ ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉତ୍ତରପ୍ରଦେଶର ନୋଏଡାରେ ଦୁଇ ଜଣ ଏବଂ ଆଗ୍ରାରେ ୬ ଜଣ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି। ତେବେ ଏହି ଭୂତାଣୁ କେମିତି ନୋଏଡା ଏବଂ ଆଗ୍ରାରେ ବ୍ୟାପିଲା ତାର ଖୁଲାସା ହୋଇଛି।
ଗତ ଫେବ୍ରୁଆରି ୨୮ରେ ନୋଏଡାର ଜଣେ ବ୍ୟକ୍ତି ତାଙ୍କ ପୁଅର ଜନ୍ମଦିନ ଉତ୍ସବ ଦିଲ୍ଲୀର ଏକ ହୋଟେଲରେ ପାଳନ କରିଥିଲେ। ଏହି ଉତ୍ସବରେ ନୋଏଡ଼ା ଏବଂ ଆଗ୍ରାର ତାଙ୍କ ସମ୍ପର୍କୀୟ ସାମିଲ ହୋଇଥିଲେ। ତେବେ ଯେଉଁ ବ୍ୟକ୍ତି ଏହି ଜନ୍ମଦିନ ଆୟୋଜନ କରିଥିଲେ ତାଙ୍କୁ କୋରୋନା ଭାଇରସ୍ ଆକ୍ରାନ୍ତ କରିଥିବା କୁହାଯାଉଛି। ହେଲେ ସେ ଏ ବିଷୟରେ ସଚେତନ ନଥିଲେ। ଜନ୍ମଦିନ ପରେ ଏହି ଭାଇରସ୍ ବ୍ୟାପିଥିବା କୁହାଯାଉଛି।
ଯେଉଁ ହୋଟେଲରେ ଜନ୍ମଦିନ ପାଳନ କରାଯାଇଥିଲା ସେଠାରେ ଏବେ ସତର୍କତା ଅବଲମ୍ବନ କରାଯାଇଛି। ଯେଉଁ ରୁମ୍ରେ ପାର୍ଟି ହେଉଥିଲା ସେହି ରୁମ୍କୁ ହୋଟେଲ କର୍ମଚାରୀମାନେ ପରିଷ୍କାର କରିବାରେ ଲାଗି ପଡ଼ିଛନ୍ତି। ଯେମିତି ହୋଟେଲକୁ ଆସୁଥିବା ଅନ୍ୟ ଲୋକଙ୍କର କିଛି ଅସୁବିଧା ନହୁଏ ସେଥିପ୍ରତି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଜନ୍ମଦିନ ଉତ୍ସବରେ ୧୩ ଜଣ ଲୋକ ସାମିଲ ହୋଇଥିଲେ। ଏବେ ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି। ଏମାନଙ୍କ ନମୁନା ପୁନେସ୍ଥିତ ଲାବରୋଟେରୀକୁ ପଠାଯାଇଛି। ଭୟଭୀତ ନହେବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି।
The post ନୋଏଡ଼ା ଏବଂ ଆଗ୍ରାରେ କେମିତି ବ୍ୟାପିଲା କୋରୋନା ଭାଇରସ୍? appeared first on OdishaLIVE.