ଓଡ଼ିଶାଲାଇଭ୍ ବ୍ୟୁରୋ
ଧଉଳି ପାଦଦେଶରେ ଉଦଘାଟିତ ହେଲା ୧୬ତମ ଧଉଳି କଳିଙ୍ଗ ମହୋତ୍ସବ।
- ଉଦଘାଟିତ ହେଲା ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ
- ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କୁ ଦିଆଗଲା ଶ୍ରଦ୍ଧାଜ୍ଞଳି
- ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନ ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ
- ମହାରାଷ୍ଟ୍ରର କଥକ ନୃତ୍ୟରେ ବିଭୋର ହେଲେ ଦର୍ଶକ
- ବୁଧବାର ଶେଷ ହେବ ଧଉଳି-କଳିଙ୍ଗ ମହୋତ୍ସବ
ଶୀତୁଆ ସନ୍ଧ୍ୟା ସାଙ୍ଗକୁ ଧଉଳି ପାଦ ଦେଶର ସୁଲୁସୁଲିଆ ପବନ। ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ଘୁଙ୍ଗୁରର ପଦଧ୍ୱନୀରେ ମୁଖରିତ ହେଉଥିଲା ଚାରିଦିଗ। ଏଭଳି ଏକ ରୋମାଞ୍ଚକର ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ।ଐତିହାସିକ ଧଉଳି ଶାନ୍ତିସ୍ତୁପର ପାଦଦେଶରେ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍ଘାଟନୀ ସନ୍ଧ୍ୟା। ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା।
ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମେ ପରିବେଷଣ ହୋଇଥିଲା ପଲ୍ଲବି ନୃତ୍ୟ। ଗୁରୁ କେଳୁଚରଣ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ଦେଇ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଓ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। ଗୁରୁ କେଳୁରଚଣ ମହାପାତ୍ରଙ୍କ ରଚିତ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ର ସଙ୍ଗୀତ ସଂଯୋଜନାରେ ଏହି ନୃତ୍ୟକୁ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ଗୁରୁ ରତିକାନ୍ତ ମହାପାତ୍ର।ଧଉଳି-କଳିଙ୍ଗ ମହୋତ୍ସବର ପ୍ରଥମ ଦିନର ସନ୍ଧ୍ୟାରେ ଦ୍ୱିତୀୟ ନୃତ୍ୟ ପରିବେଷଣ କରିଥିଲେ ମୁମ୍ବାଇର ରାଜଶ୍ରୀ ସିର୍କେ ଓ ତାଙ୍କର ଗ୍ରୁପ୍। କଥକ ନୃତ୍ୟରେ ସେ ମହାରାଷ୍ଟ୍ରର ସନ୍ଥ ନାରୀକବୀ କାହ୍ନୋପାତ୍ରାଙ୍କ ଜୀବନୀକୁ ଚିତ୍ରିତ କରିଥିଲେ। ଯାହାକୁ ଅତି ରୋମାଞ୍ଚକର ଭାବେ କଥା କଥନ ଶୈଳୀ ଓ କଥାକାର ପଦ୍ଧତିର ସେ ଉପସ୍ଥାପନ କରିଥିଲେ।
ଶେଷରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସମକାଳ ନୃତ୍ୟ ବିଶାରଦ ଓସ୍ତାଦ ଡ଼େବୁ ଓ ତାଙ୍କର ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ ପରିବେଶଣ କରାଯାଇଥିଲା। ତାଙ୍କ ନୃତ୍ୟରେ ସେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଉଦ୍ଧୃତ ପରସ୍ପର ପ୍ରତି ସମ୍ମାନ, ଦୋଷ ଓ ଦୁର୍ବଳତାକୁ ସ୍ୱୀକାର କରିବା, ବ୍ୟକ୍ତିତ୍ୱକୁ ବୁଝିବା ଏବଂ ଅନ୍ତଃନିହିତ ଗୁଣକୁ ପସନ୍ଦ କରିବା ଇତ୍ୟାଦିକୁ ବେଶ ନିପୂଣତାର ସହ ଦର୍ଶାଇଥିଲେ।ସୋମବାର ସନ୍ଧ୍ୟାରେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼କ୍ଟର ପ୍ରିୟମ୍ବଦା ମହାନ୍ତି, ବିଶିଷ୍ଟ ଭାଷାବିଦ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲାକ୍ରୀଷ୍ଣନ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନର ସଚିବ ଗୁରୁ ଇଲିଆନା ସିତାରିଷ୍ଟ ପ୍ରମୁଖ ଉପସ୍ଥିତ ରହିଥିଲେ।।
The post ଓଡ଼ିଶୀ, କଥକ ଓ ସମକାଳ ନୃତ୍ୟରେ ମୁଖରିତ ହେଲା ଧଉଳି-କଳିଙ୍ଗ ମହୋତ୍ସବ appeared first on OdishaLIVE.