Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମହାନଦୀ କୂଳ ବୁଲି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କଟକ ରିଂରୋଡ୍ ହେବ ୬ଲେନ୍‌

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାନଦୀର ପୁନରୁଦ୍ଧାର ଜମିର ପ୍ରତ୍ୟେକ ଇଞ୍ଚକୁ ସହରବାସୀଙ୍କ ସୁବିଧା ଲାଗି ବିନିଯୋଗ
  • କଟକ ରିଂ ରୋଡ୍‌ ହେବ ୬ ଲେନ୍‌ ବିଶିଷ୍ଟ
  • ମାର୍ଚ୍ଚରୁ ଏସ୍‌ସିବି ମେଡିକାଲ କଲେଜର ହେବ ଉନ୍ନତିକରଣ

 କଟକ: ‘‘କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୬ଥାକିଆ ରିଂରୋଡ୍। ଅନାବଶ୍ୟକ ହୋଇ ପଡ଼ିରହିଥିବା ମହାନଦୀ ପଠା ବା ହାଡ଼ିଆପଠାକୁ ବିନିଯୋଗ କରି ସ୍ପୋର୍ଟସ୍ କମ୍ପେ୍ଲକ୍ସ ସହିତ ସାଂସ୍କୃତିକ ଏବଂ ଅବସର ବିନୋଦନର ପରିବେଶ କରାଯିବ। ମାର୍ଚ୍ଚରୁ ଏସ୍‌ସିବି ମେଡିକାଲ କଲେଜର ଉନ୍ନତିକରଣ କାମ ଆରମ୍ଭ ହେବ’’, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ଏ ସବୁ ପ୍ରକଳ୍ପର ବିଧିବଦ୍ଧ ଘୋଷଣା କରିଛନ୍ତି।

ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୋଜନା ଖସଡ଼ା ଦେଖିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସେ କହିଛନ୍ତି, ‘‘କଟକ ସହର ପାଇଁ ଏକ ବିଧିବଦ୍ଧ ‘ଡିକଞ୍ଜେସନ୍ ପ୍ଲାନ୍‌’ ବା ‘ଅବରୁଦ୍ଧତା ଯୋଜନା’ କରାଯିବ। ଏଥିରେ ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ଭଳି ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ ସହରକୁ ନୂଆ ରୂପ ଦିଆଯିବ। ଐତିହାସିକ କଟକ ସହରକୁ ଦେଇ ପ୍ରବାହିତ ହେଉଛି ପବିତ୍ର ମହାନଦୀ। ଓଡ଼ିଶାର ଜୀବନରେଖା। ମହାନଦୀର ପୁନରୁଦ୍ଧାର ଜମିରୁ କଟକ ସହରରେ ମୁକ୍ତ ପରିବେଶ ସହିତ ରିଭର୍ ଫ୍ରଣ୍ଟ୍ ବିକାଶ କରାଯାଇ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରାଯିବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୁନରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଞ୍ଚକୁ ସହରବାସୀଙ୍କ ସୁଖସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ। କ୍ରୀଡ଼ାଠାରୁ ଆରମ୍ଭ କରି ସାଂସ୍କୃତିକ ଓ ଅବସର ବିନୋଦନ ପରିବେଶର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଜୈବ ବିବିଧତା ରକ୍ଷା ପାଇଁ ନିଆଯିବ ପଦକ୍ଷେପ। କଟକ ସହର ପାଇଁ ଏହି ସବୁ ଯୋଜନା ନିମନ୍ତେ ଅଭିଜ୍ଞ ସହରାଞ୍ଚଳ ପ୍ରସ୍ତୁତିକାରୀ ନିୟୋଜିତ ହେବେ। ଜନସାଧାରଣଙ୍କ ମତାମତକୁ ଗ୍ରହଣ କରାଯାଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରାଯିବ। ସହରର ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ। ହଜାର ବର୍ଷର ଏହି କଟକ ସହର। ଅନେକ ଐତିହାସିକ ସ୍ମୃତି ବହାନ କରୁଛି।

ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି।

ଏହି ଅବସରରେ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍‌, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନ, ବିଧାୟକ ମାନେ ଉପସ୍ଥିତ ଥିଲେ ।

The post ମହାନଦୀ କୂଳ ବୁଲି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କଟକ ରିଂରୋଡ୍ ହେବ ୬ଲେନ୍‌ appeared first on OdishaLIVE.


Viewing all articles
Browse latest Browse all 11715

Trending Articles