Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପୁରୀ, ଲିଙ୍ଗରାଜ ପରେ କୋଣାର୍କର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଲେ ସରକାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଉନ୍ନତି ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ ନିକଟରେ କୋଣାର୍କ ଗସ୍ତ କରି ପ୍ରତ୍ନତାତ୍ତ୍ୱିକ ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଥିଲେ। କୋଣାର୍କର ସମୃଦ୍ଧି ଓ ବିକାଶ ପାଇଁ ଦୁଇ ତିନୋଟି କଥା ଉପରେ ଗୁରୁତ୍ୱ ଦିଆଯିବ। ମନ୍ଦିର ସମ୍ମୁଖରେ ଥିବା ଜବରଦଖଲକୁ ପ୍ରଥମେ ହଟାଯିବ। ତା’ଛଡ଼ା ମନ୍ଦିର ପରିସରକୁ ଆହୁରି ସୁନ୍ଦର କରାଯିବ। ଯାତ୍ରୀ ଓ ପରିଦର୍ଶକମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରଙ୍କ ଦ୍ଵାରା ସ୍ଥିର କରାଯାଇଛି। ସବୁଠାରୁ ବଡ଼ କଥା, ମନ୍ଦିର ଚାରିପଟ ଥିବା ଅଳିଆ ଆବର୍ଜନାକୁ ହଟାଯିବ।

କୋଣାର୍କ ମନ୍ଦିର ପରିସରରେ ପଡ଼ିଥିବା ମୂର୍ତ୍ତି ଓ ପଥର ଖଣ୍ଡଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଏସ୍‌ଆଇ ମହାନିର୍ଦ୍ଦେଶକ ଉମା ଶର୍ମା ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହି ସମୟରେ କୋଣାର୍କର ରକ୍ଷଣାବେକ୍ଷଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଉଲ୍ଲେଖଯୋଗ୍ୟ ଯେ, କୋଣାର୍କ ମନ୍ଦିର ଏଏସଆଇ ମାଲିକାନାରେ ରହିଛି।

ଓଡ଼ିଶା ସରକାରଙ୍କ ଯୋଜନା ହେଉଛି କୋଣାର୍କ ପାଇଁ ଏକ ବାଇପାସ ତିଆରି ହେବ ଯାହାଫଳରେ କି ସହର ମଧ୍ୟରେ ଟ୍ରାଫିକ ଭିଡ଼ ଆଉ ପରିଲକ୍ଷିତ ହେଉନାହିଁ। ତା’ଛଡ଼ା ପଥଚାରୀମାନେ ମଧ୍ୟ ଅନାୟାସରେ ଚଳପ୍ରଚଳ କରିପାରିବେ। ଭେଣ୍ଡିଂ ଜୋନ୍, ଲ୍ୟାଣ୍ଡସ୍କେପିଂ ଓ ଷ୍ଟ୍ରୀଟ ଲାଇଟିଂ ଉପରେ ମଧ୍ୟ ସମାନ ଧ୍ୟାନ ଦିଆଯିବ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଥିବା ବସ୍‌ ଟର୍ମିନାଲକୁ ହଟାଇ ଦିଆଯାଇ ବିଭିନ୍ନ ପ୍ରକାର ଯାନର ରହଣି ପାଇଁ ଏକ ବୃହତ ଷ୍ଟାଣ୍ଡ ନିର୍ମାଣ କରାଯିବ। ଟୁରିଷ୍ଟ ବସ, ଇ-ରିକ୍ସା ଆଦି ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅଧିକାରୀ।

ଅନ୍ୟ ଏକ ଯୋଜନା ଅନୁଯାୟୀ କୋଣାର୍କ ମନ୍ଦିର ସମ୍ମୁଖରେ ଥିବା ଦୋକାନ ବଜାର ସବୁକୁ ହଟାଇ ଦିଆଯିବ ଓ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହି ଅଞ୍ଚଳ କେବଳ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଯିବାଆସିବା ପାଇଁ ଉଦ୍ଦିଷ୍ଟ ରହିବ।

ଖାଲି ସେତିକି ନୁହେଁ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭକୁ ମଧ୍ୟ ଉନ୍ନତ କରିବା ପାଇଁ ସ୍ଥିର କରିଛନ୍ତି ସରକାର। ସୌନ୍ଦର୍ଯ୍ୟକରଣ ବ୍ୟତୀତ, ଚଲାପଥ, ସାଇକେଲ, ଶୌଚାଳୟ ଓ ଖିଆପିଆ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ହେବ। କୋଣାର୍କ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବିରାଟକାୟ ତୋରଣ ନିର୍ମାଣ କରିବାକୁ ସରକାର ଚିନ୍ତା କରିଛନ୍ତି। ଏଏସଆଇ ଅଧୀନରେ ଥିବା ମ୍ୟୁଜିୟମକୁ ପୁଣିଥରେ ଆଧୁନିକ ଢଙ୍ଗରେ ନିର୍ମାଣ କରାଯିବ। କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀକୁ ଭିତ୍ତି କରି ଏହି ସଂଗ୍ରହାଳୟର ପୁନଃଉନ୍ନତିକରଣ ହେବ।

The post ପୁରୀ, ଲିଙ୍ଗରାଜ ପରେ କୋଣାର୍କର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଲେ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images