Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଶିଶିର ସରସ’ ୨୦୨୦ –ଯେତେ କାରିଗରି, ସେତେ କାହାଣୀ

$
0
0

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି

ଫଟୋ – ନିରଞ୍ଜନ ଦାସ

‘ଶିଶିର ସରସ’ ମେଳାରେ ସାମଗ୍ରୀ ନୂଆ ନୁହେଁ, କିନ୍ତୁ କାରିଗରିରେ ଥିବା ନିଆରା ପଣ ହିଁ‌ ସାଜିଛି ଆକର୍ଷଣ।

ଶିଶିରମୟ ଶୀତୁଆ ସଂଜରେ ରାଜଧାନୀ ଭୁବନେଶ୍ୱରରେ ୨୫ଟି ରାଜ୍ୟର ସରସ କାରିଗରିକୁ ନେଇ ଖୋଲିଛି ‘ଶିଶିର ସରସ’ ମେଳା। ଓଡ଼ିଶା ତଥା ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳର କାରିଗରଙ୍କ ହାତ ତିଆରି ପାରମ୍ପରିକ ଏବଂ ଆଧୁନିକ ସାମଗ୍ରୀର ବଡ଼ ଆକର୍ଷଣ ହୋଇଛି ଏହି ଜାତୀୟ ମେଳା। ବିଶେଷକରି, ଓଡ଼ିଶା ଜୀବିକା ମିସନ୍‌ ଅଧୀନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଗଢ଼ି ଉଠିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀଙ୍କ ହାତର ଯାଦୁ ଏହି ମେଳାରେ ପ୍ରତିଫଳିତ ହୋଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଓଡ଼ିଶା ଜୀବିକା ମିଶନ ଅଧିନରେ ଥିବା ଓର୍‌ମାସ୍ ପକ୍ଷରୁ ପ୍ରତିବର୍ଷ ‘ଶିଶିର ସରସ’ ମେଳା ଆୟୋଜନ କରାଯାଉଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଗତ ୪ ତାରିଖରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଜାନୁଆରି ୧୪ ଯାଏଁ ଏହି ମେଳା ଚାଲିବ।

‘‘ଓଡ଼ିଶାର ୩୦ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ବିକ୍ରି, ପ୍ରଚାର ଓ ପ୍ରସାର ପାଇଁ ଏହା ଏକ ବଡ଼ ମେଳା।  ଗୋଟିଏ ସ୍ଥାନରେ ବିଭିନ୍ନ ସାମଗ୍ରୀ ମିଳିପାରୁଛି। ଏହାଦ୍ୱାରା ମେଳାରେ ଉପଲବ୍ଧ ସାମଗ୍ରୀ ସଂପର୍କରେ ଲୋକମାନେ ଜାଣିବା ସହିତ ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିବ’’, କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ଶିଶିର ସରସ ମେଳାରେ ସାମଗ୍ରୀ ନୂଆ ନୁହେଁ, କିନ୍ତୁ କାରିଗରିରେ ଥିବା ନିଆରା ପଣ ହିଁ‌ ସାଜିଛି ଆକର୍ଷଣ। ବ୍ୟବସାୟୀ ମନସ୍କ ବ୍ୟକ୍ତିବିଶେଷ ଏଥିରୁ ନିଶ୍ଚୟ ଅନେକ ପ୍ରେରଣା ପାଇବେ।

ବାଉଁଶ ପଲଙ୍କରୁ ଆରାମ ଚେୟାର

କେବଳ ଘର ସଜା ସାମଗ୍ରୀରେ ସୀମିତ ଥିବା ବାଉଁଶ କାରିଗରୀରେ ଏବେ ସୁଦୃଶ୍ୟ ଆସବାବ (ଫର୍ଣ୍ଣିଚର) ପ୍ରସ୍ତୁତ ହେଉଛି। ବାଉଁଶରେ ନିର୍ମିତ ପଲଙ୍କର କମକୁଟ କାରିଗରୀ ଯେତିକି ମନଲୋଭା ଟ୍ରାଙ୍ଗୁଲାର ଟି-ପୟର ଡିଜାଇନ୍ ସେତିକି ଆକର୍ଷଣୀୟ।

ଏହା ସେତିକିରେ ସୀମିତ ନୁହେଁ, ବରଂ ଆରାମ ଚେୟାରଠୁ ନେଇ ସୋଫା ସେଟ୍‌, ଡାଇନିଂ ସେଟ୍‌ ପର୍ଯ୍ୟନ୍ତ ବି ବାଉଁଶରେ ପ୍ରସ୍ତୁତ କରାଯାଉଛି। ଦୃଷ୍ଟି ଆକର୍ଷଣ ପାଇଁ ଏଗୁଡ଼ିକୁ ରାଜକୀୟ ସ୍ପର୍ଶ ମଧ୍ୟ ଦିଆଯାଉଛି।

ସଭିଏଁ ହୁଏତ ଉଣା ଅଧିକେ ଆସାମର ବାଉଁଶ ଉତ୍ପାଦ ବାବଦରେ ଅବଗତ ଥିବେ। ମାତ୍ର ବନ ବିଭାଗର କୋରାପୁଟ ଜୟପୁର ଡିଭିଜନର ବୈପାରୀଗୁଡ଼ା ରେଞ୍ଜରେ ଏଇ ୩ ମାସ ତଳେ ଜୟପୁର ଡିଭିଜନ୍‌ର ଡିଏଫ୍‌ଓ ଅଶ୍ୱିନୀ କରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ବାଉଁଶ ସାମଗ୍ରୀର ଏହିସବୁ ଉତ୍ପାଦ ଏବେ ପାଲଟିଛି ଆକର୍ଷଣ।

ସବୁଠୁ ବଡ଼ କଥା ହେଉଛି, ଏହି ଆସବାବଗୁଡ଼ିକୁ ଯେଭଳି ଲୋକେ ଦୀର୍ଘବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବେ ସେନେଇ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି। ବୈପାରୀଗୁଡ଼ା ରେଞ୍ଜ୍‌ର ରେଞ୍ଜ ଅଧିକାରୀ ଦିବ୍ୟା ମାଧୁରୀଙ୍କ କହିବା ମୁତାବକ, ଆସବାବ ପ୍ରସ୍ତୁତ କରିବା ପୂର୍ବରୁ ବାଉଁଶ ଖଣ୍ଡଗୁଡ଼ିକରେ ଛୋଟଛୋଟ ଛିଦ୍ର କରି ବୋରେକ୍ସ ଓ ପାଣି ଜରିଆରେ ଭାକ୍ୟୁମ ପ୍ରେସର ଦିଆଯାଏ। ଭାକ୍ୟୁମ ପ୍ରେସର ଇମ୍ପ୍ରେଗ୍‌ନେସନ୍‌ ପ୍ଲାଣ୍ଟ୍‌ରେ ଏହି ଟ୍ରିଟ୍‌ମେଣ୍ଟ୍‌ କରାଯାଏ। ଫଳରେ ବାଉଁଶରୁ ଓଦା ଅଂଶ ବାହାରିଯିବା ସହ ବୋରେକ୍ସ ସ୍ପର୍ଶରେ ଆସିବା ପରେ ଏହା ଦୀର୍ଘ ସମୟ ବ୍ୟବହାର ଉପ‌ଯୋଗୀ ହୁଏ।

ସାଧାରଣରେ ଯଦି ଜଣେ ଏକ ବାଉଁଶ ସାମଗ୍ରୀକୁ ୫ ବର୍ଷ ବ୍ୟବହାର କରୁଥାଏ, ତେବେ ଏହି ପ୍ରକ୍ରିୟାରେ ପ୍ରସ୍ତୁତ ଆସବାବକୁ ୧୫ ବର୍ଷରୁ ଅଧିକ ସମୟ ବ୍ୟବହାର କରିହୁଏ। ଏହାବ୍ୟତୀତ ଏଥିରେ କେବଳ ଜୈବିକ ବା ଅର୍ଗାନିକ ରଙ୍ଗ ବ୍ୟବହୃତ କରାଯାଉଥିବା ବେଳେ ମସୃଣ ଲାଗିବା ପାଇଁ ପଲିସ କରାଯାଏ।

ପ୍ରସ୍ତୁତ ସାମଗ୍ରୀ ମଧ୍ୟରେ ଖଟର ଦାମ ୧୭ ହଜାର ଟଙ୍କା ରହିଥିବା ବେଳେ ସୋଫାସେଟ୍‌ର ଦାମ୍‌ ୫ରୁ ୬ହଜାର, ୩ଟି ଟେବୁଲ୍‌ ସହ ଟି-ପୟ ୫ହଜାର, ଆରାମ ଚେୟାର ଓ ଫୋଲ୍ଡିଂ ଚେୟାର ୩ହଜାର ଟଙ୍କା ରଖାଯାଇଛି।

କୋରାପୁଟର ‘ପରବ’ରେ ପ୍ରଥମଥର ପାଇଁ ଏହି ସାମଗ୍ରୀ ସହ ଅଂଶଗ୍ରହଣ କରି ଜୟପୁର ଡିଭିଜନ ବେଷ୍ଟ୍‌ ଷ୍ଟଲ୍‌ ଭାବେ ପୁରସ୍କୃତ ହୋଇଥିଲା। ଦିବ୍ୟାଙ୍କ କହିବା ମୁତାବକ ଏଥିପାଇଁ ଆମେ ୩୦ ଜଣଙ୍କୁ ନେଇ ଏକ ତାଲିମ୍‌ କାର୍ଯ୍ୟକ୍ରମ କରିଥିବା ବେଳେ ଆସାମର କିଛି କାରିଗର ସେମାନଙ୍କୁ ତାଲିମ୍‌ ଦେଇଥିଲେ। କିଛିମାସର ତାଲିମ୍‌ ପରେ ପ୍ରଶିକ୍ଷଣ ନେଇଥିବା ୧୦ ଜଣଙ୍କୁ ଏହି କାମରେ ନିୟୋଜିତ କରାଯାଇଛି। ଏହାଦ୍ୱାରା କିଛି ବେକାର ଯୁବକ ମଧ୍ୟ ରୋଜଗାର ପାଇପାରିଛନ୍ତି ବୋଲି ସେ କହିଛନ୍ତି।

ପ୍ଲାଣ୍ଟେବୁଲ୍ ପେନ୍

ଆପଣ ବ୍ୟବହାର କରୁଥିବା କଲମର କାଳି ସରିଯିବା ପରେ ନିଶ୍ଚୟ ଫୋପାଡ଼ି ଦେଉଥିବେ। ତାହା ଫୋପାଡ଼ିଦେବା ପରେ ଆପଣଙ୍କର କିଛି କାମରେ ତ ଆସିବ ନାହିଁ, ବରଂ ତାହା ମାଟିରେ ଦୀର୍ଘକାଳ ପଡ଼ିରହି ପରିବେଶକୁ କ୍ଷତି ପହଞ୍ଚାଇବ। ମାତ୍ର ଆପଣ ଯଦି ଏପରି ଏକ କଲମ ବ୍ୟବହାର କରିବେ ଯେଉଁ କଲମରୁ କାଳି ସରିଯିବା ପରେ ତାକୁ ଯେଉଁଠି ଫୋପାଡ଼ିଦେଲେ ସେଠି ଗଛଟିଏ ଉଠିଯିବ ତେବେ?

ଏହା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ମାତ୍ର ଛତିଶଗଡ଼ର ଜୟ ଅମ୍ବେ ସ୍ୱ ସହାୟତା ସମୂହ ପକ୍ଷରୁ ମହିଳାମାନେ ପ୍ରସ୍ତୁତ କରିଛନ୍ତି ‘ପ୍ଲାଣ୍ଟେବୁଲ୍‌ ପେନ୍‌’। ସମୂହର ସଦସ୍ୟା ପଦ୍ମିନୀ ବର୍ମାଙ୍କ କହିବା ଅନୁଯାୟୀ, କାଗଜରେ ପ୍ରସ୍ତୁତ ହୋଇଥିବା ଏହି କଲମରେ ତୁଳସୀ, ଧନିଆ, ପିଆଜ, କୋବି, ଟମାଟୋ, ବିନ୍‌ସି, ଲଙ୍କାଠୁ ନେଇ ପ୍ରାୟ ୧୫ କିସମର ମଞ୍ଜି ଖଞ୍ଜା ଯାଇଛି।

କଲମର ଦାମ୍‌ ୧୫ଟଙ୍କା ରହିଛି। ଏହାକୁ କିଣି ବ୍ୟବହାର କରିବା ଫଳରେ ୩ ପ୍ରକାରର ଉପକାର ସାଧିତ ହେବ। ତେବେ କଲମ ବ୍ୟତୀତ ପେନ୍‌ସିଲ୍‌ ମଧ୍ୟ ଏହି ଢଙ୍ଗରେ ପ୍ରସ୍ତୁତ କରାଯାଉଛି। ପିଲାମାନଙ୍କୁ ବାପା ମା’ମାନେ ଅନ୍ତତଃ ଏହି କଲମଟିଏ ଲେଖିବା ପାଇଁ ଦେବା ପରେ ‌ଯେତେବେଳେ ପିଲାମାନଙ୍କୁ ଏହାର ଉପକାର ସମ୍ପର୍କରେ କହିବେ ପିଲାମାନେ ପରିବେଶ ସମ୍ବନ୍ଧରେ ଅନ୍ତତଃ ସଚେତନ ହେବା ସହ ଏଦିଗରେ ଅଧିକ ଯତ୍ନବାନ ହୋଇପାରିବେ ବୋଲି ଶ୍ରୀମତୀ ବର୍ମା କହିଛନ୍ତି।

ଚାଉଳିରୁ ଖଅଙ୍ଗା

ଶୁଖୁଆ କଥା କହିଲେ କେତେଜଣ ନାକ ଟେକନ୍ତି। ମାତ୍ର ଏମିତି ବି ଶୁଖୁଆ ରଙ୍କୁଣା ଅଛନ୍ତି, ଯେଉଁମାନେ ଶୁଖୁଆ ନାଁ ଶୁଣିଲେ ଲାଳାୟିତ ହୋଇଯାଆନ୍ତି। ଶିଶିର ସରସରେ ଅନେକ ଷ୍ଟଲ୍‌ ଲାଗିଥିଲେ ହେଁ ଆମିଷ ରଙ୍କୁଣାଙ୍କ ପାଦ ଆପେ ଆପେ ୬୯ ନମ୍ବର ଶୁଖୁଆ ଷ୍ଟଲ୍‌ ଆଡ଼କୁ ଟାଣି ହୋଇଯାଉଛି।

ଜଗତସିଂହପୁର କୁଜଙ୍ଗ ବ୍ଲକ୍‌ ଫତେପୁରର ଆଦର୍ଶ ଶୁଖୁଆ ଉତ୍ପାଦକ ଗୋଷ୍ଠୀରେ ୩୦ ଜଣ ଏବେ ଶୁଖୁଆ ଉତ୍ପାଦକୁ ସମଗ୍ର ଦେଶରେ ପହଞ୍ଚାଇ ରୋଜଗାରକ୍ଷମ ହୋଇଛନ୍ତି। ଆନ୍ଦିରି, ଗର୍ଗ, ଚାଉଳି, ଓଳେଇ, ପଥରମୁଣ୍ଡି, ଖଅଙ୍ଗା ଆଦି ଶୁଖୁଆକୁ ହାଇଜେନିକ୍‌ ଉପାୟରେ ପ୍ରସ୍ତୁତ କରି ପ୍ୟାକେଜିଂ କରି ସେ ଯୋଗାଇ ଦେଉଛନ୍ତି।

ଗୋଷ୍ଠୀର ସଦସ୍ୟା ନିରୂପମା ସାମନ୍ତରାୟ କହିଛନ୍ତି, ‘‘୨୦୧୪ ମସିହାରୁ ୩୦ ଜଣ ମହିଳା ନିଜ ନିଜ ମଧ୍ୟରେ କାମ ବାଣ୍ଟି ଏହାକୁ ପ୍ରସ୍ତୁତ କରୁଛୁ। ମାଛକୁ ଆଣି ଜାଲିରେ ଶୁଖାଇବା ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ ସବୁକୁ ସାବଧାନତାର ସହିତ କରୁ। ନୂଆଦିଲ୍ଲୀରେ କିଛି ବଙ୍ଗାଳି ପରିବାର ଏହି ଶୁଖୁଆ ଖାଇବା ପରେ ବହୁତ ପ୍ରଶଂସା କରିଥିଲେ। ତେଣୁ ସବୁଆଡ଼େ ଏହାର ଚାହିଦା ଥିଲେ ହେଁ ଆମେ ଯାଇପାରୁନା। ଏତେ ଚାହିଦା ଯେ ମେଳାମାନଙ୍କରେ ଯୋଗାଇ ହୁଏ ନାହିଁ। ବିଶେଷକରି ଭୁବନେଶ୍ୱରରେ ବହୁତ ଚାହିଦା ରୁହେ। ଓର୍‌ମାସରେ ପୂର୍ବବର୍ଷ ୩ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ମହିଳା ସଦସ୍ୟାମାନେ କିଛିକିଛି ସମୟ ଦେଇ ମାସକୁ ୫ହଜାର ଲେଖାଏଁ ରୋଜଗାର କରନ୍ତି।’’

ମାଟି ହାଣ୍ଡିରୁ ମାଟି ବୋତଲ

ଦିନ ଥିଲା ମାଟି ହାଣ୍ଡି ହିଁ ରାନ୍ଧିବାର ଏକମାତ୍ର ବିକଳ୍ପ ପାଲଟିଥିଲା। ତେବେ ରସ ଓ ଷ୍ଟିଲ୍‌ ବାସନ ଆସିବା ପରେ ମାଟି ହାଣ୍ଡି ଯେମିତି ନିଶ୍ଚିହ୍ନ ହୋଇଗଲା। ମାତ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏବେ ମାଟି ହାଣ୍ଡି ମଟନ୍‌ ତ କିଏ ମାଟି ହାଣ୍ଡି ବିରିୟାନି କହି ଲୋଭ ଦେଖାଇ ହୋଟେଲ୍‌ ଆଡ଼କୁ ସ୍ୱାଗତ କରୁଥିବା ବେଳେ ମାଟି ହାଣ୍ଡିରେ ରୋଷେଇ କରି ଖାଇବାକୁ ଏବେ ଲୋକଙ୍କ ମନ ବଳିଲାଣି।

ଖାଲି ଯେ ମାଟି ହାଣ୍ଡିରେ ପ୍ରସ୍ତୁତ ଖାଦ୍ୟ ସ୍ୱାଦିଷ୍ଟ ଲାଗୁଛି ବୋଲି ଏହାର ଚାହିଦା ବଢ଼ିଛି ସେକଥା ନୁହେଁ, ବରଂ ମାଟି ହାଣ୍ଡିରେ ରୋଷେଇ କରି ଖାଇଲେ ଗ୍ୟାଷ୍ଟ୍ରିକ୍‌ ଭଳି ସମସ୍ୟା ଦୂର ହେବା ସହ ବହୁ ରୋଗରୁ ଉପଶମ ‌ପାଇ ହେଉଥିବା ନେଇ କିଛି ବିଶେଷଜ୍ଞ କହିବା ପରେ ମାଟି ହାଣ୍ଡିର ଚାହିଦା ବଢ଼ିଛି ବୋଲି କହିଛନ୍ତି ସୁରସେନ ଟେରାକୋଟା ଉତ୍ପାଦକ ଗ୍ରୁପ୍‌ର ବ୍ୟାସଦେବ ରଣା।

ମାଟିହାଣ୍ଡିର ଦର ୧୬୦ରୁ ୨୫୦ ପର୍ଯ୍ୟନ୍ତ ରହିଥିବା ବେଳେ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମାଟିର ପାଣି ବୋତଲ, ଜଗ୍‌, ଗ୍ଲାସ୍‌, ଦହିପାତ୍ର, ଚା କପ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ବ୍ୟାସଦେବଙ୍କ କହିବା ମୁତାବକ ସେ ଯେଉଁ ମେଳାକୁ ବି ଯାଆନ୍ତି ତାଙ୍କର ସମସ୍ତ ମାଟିପାତ୍ର ବିକ୍ରି ହୋଇଯାଏ।

ବର୍ଷକୁ ସେ ୧୦ଟି ମେଳା ତଥା ପ୍ରଦର୍ଶନୀକୁ ଯାଉଥିବା ବେଳେ ସବୁଠାରେ ଲକ୍ଷାଧିକ ଟଙ୍କାର ବିକ୍ରିବଟା ହୁଏ। ବ୍ୟାସଦେବ କହିବା ଅନୁଯାୟୀ, ଏଇ ୨ ବର୍ଷ ହେବ ମାଟି ହାଣ୍ଡି ଓ ମାଟିର ପାତ୍ରର ବିକ୍ରି ପୁଣି ବଢ଼ିଛି। ଏହା ଲୋକଙ୍କ ଦ୍ୱାରା ଆଦୃତ ହେବା ସହିତ ଆମଭଳି କୁମ୍ଭକାର ପରିବାର ମଧ୍ୟରେ ମଧ୍ୟ ଆଶା ଜନ୍ମାଇଛି।

The post ‘ଶିଶିର ସରସ’ ୨୦୨୦ – ଯେତେ କାରିଗରି, ସେତେ କାହାଣୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles