ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ତଥା ବାମହାତୀ ଦ୍ରୁତ ବୋଲର ଇର୍ଫାନ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଶନିବାର ଷ୍ଟାର୍ ସ୍ପୋଟର୍ସର ଚ୍ୟାନେଲର ଷ୍ଟୁଡିଓରେ ଉପସ୍ଥିତ ରହି ସେ ନିଜର ଅବସର ଘୋଷଣା କରିଛନ୍ତି।
ଇର୍ଫାନ୍ ନିଜର ଅବସର ଘୋଷଣା କରିବା ସହ ଏହାମଧ୍ୟ କହିଛନ୍ତି ଯେ, ସେ ଘରୋଇ କ୍ରିକେଟ୍ ଖେଳିବା ଜାରି ରଖିବେ। ଏହାସହ ବିଭିନ୍ନ ପ୍ରକାର ଫ୍ରାଞ୍ଚାଇଜ୍ କ୍ରିକେଟରେ ମଧ୍ୟ ସେ ନିଜର ଖେଳ ଜାରି ରଖିବେ।୨୦୦୩ ମସିହାରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ଏହି ଖେଳାଳି ବହୁ ବର୍ଷ ଧରି ଭାରତୀୟ ଦଳର ସଦସ୍ୟ ରହିଥିଲେ। ଏହାସହ ଟେଷ୍ଟର ପ୍ରଥମ ଓଭରର ହାଟ୍ରିକ୍ ୱିକେଟ୍ ନେବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି। ଏଥିସହିତ ଦିନିକିଆରେ ମଧ୍ୟ ସେ ଭାରତର ପ୍ରମୁଖ ଦ୍ରୁତ ବୋଲର ହୋଇପାରିଥିଲେ।
ଦ୍ରୁତ ବୋଲିଂ ସହ ତାଙ୍କର ବ୍ୟାଟିଂ ଦକ୍ଷତା ଦଳ ପାଇଁ ଲାଭ ଦାୟକ ହେଉଥିଲା। ଏପରିକି କେତେକ ଅନ୍ତର୍ଜାତୀୟ କ୍ରିକେଟରେ ସେ ଦଳ ପାଇଁ ଓପନିଂ ବ୍ୟାଟିଂ ମଧ୍ୟ କରିଛନ୍ତି। ୨୦୦୭ ମସିହାରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନକୁ ହରାଇ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ଫାଇନାଲ୍ ହୋଇଥିଲେ ଇର୍ଫାନ୍ ପଠାନ। ତାଙ୍କର ଚତ୍ମକାର ବୋଲିଂ ପାକିସ୍ତାନର ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲା।ଏହାପରେ ତାଙ୍କର ଆହତ ଜନିତ ସମସ୍ୟା ଓ ଖରାପ ଫର୍ମ ପାଇଁ ସେ ଦଳଠୁ ଦୂରେଇ ରହିଥିଲେ। ଶେଷ ଥର ପାଇଁ ସେ ୨୦୧୨ ମସିହାରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ଏହାପରେ ତାଙ୍କୁ ଆଇପିଏଲର କେତେକ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଭାଷ୍ୟକାର ଭାବେ ମଧ୍ୟ ନଜର ଆସୁଛନ୍ତି।
The post ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଇର୍ଫାନ୍ ପଠାନ୍ appeared first on OdishaLIVE.