ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦ ଉତ୍ସବ ସାଙ୍ଗକୁ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ ଜମିଥିଲା ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ।
ବରଗଡ଼: ବରଗଡ ଧନୁଯାତ୍ରାର ତୃତୀୟ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଆତ୍ମବିଭୋର ହୋଇ ପଡିଛନ୍ତି ନନ୍ଦରାଜା ଏବଂ ଆୟୋଜନ କରିଛନ୍ତି ନନ୍ଦୋତ୍ସବ। ସେହିପରି ମଥୁରାନଗରୀରେ ମହାରାଜା କଂସ ପ୍ରତିଦିନ ପରି ନଗର ଭ୍ରମଣରେ ବାହାରିବା ସହ ଦେବକୀଙ୍କ ଅଷ୍ଟମ ସନ୍ତାନକୁ ଶୀଳାରେ ପ୍ରହାର, ବିଜୁଳି କନ୍ୟାର ଆବିର୍ଭାବ, ଦୈବବାଣୀ ଏବଂ କଂସଙ୍କ ଦ୍ୱାରା ଷଡମଲ୍ଲକୁ ଆହ୍ୱାନକୁ ନେଇ ଧନୁଯାତ୍ରାର ତୃତୀୟ ଦିନ ଜମିଥିଲା।
ଧନୁଯାତ୍ରା ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଧିରେ ଧିରେ ଦର୍ଶକଙ୍କ ସମାଗମ ବଢ଼ିବାକୁ ଲାଗିଛି। ସେହିପରି ମହାରାଜା କଂସଙ୍କ ରାଜଦରବାରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇପାରିଛି।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇ ପଡ଼ିଛି ସମଗ୍ର ଗୋପପୁର। ଏହା ଥିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ତୃତୀୟ ଦିବସର ଦୃଶ୍ୟ। ଗୋପପୁରବାସୀଙ୍କ ସମେତ ନନ୍ଦରାଜ ଓ ରାଣୀ ଖୁସିରେ ବିଭୋର ହୋଇ ପଡିଛନ୍ତି କୃଷ୍ଣଙ୍କ ଆବିର୍ଭାବକୁ ନେଇ। ବୃଦ୍ଧ କାଳରେ ରାଣୀଙ୍କ କୋଳରେ ଜନ୍ମ ନେଇଛି ପୁତ୍ର ସନ୍ତାନ, ଯାହାକୁ ନେଇ ନନ୍ଦ ରାଜା ଆଦେଶ ଦେଇଥିଲେ ପାଳନ କରିବା ପାଇଁ ଉତ୍ସବ। ସେଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇ ପଡ଼ିଥିଲା। ଭଗବାନ ଶ୍ରୀକୃଷ୍ଣଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯିବା ସହ ଦୋଳି ଝୁଲା ଏବଂ ରାସ ନୃତ୍ୟରେ ମାତି ଯାଇଥିଲେ ଗୋପପୁରବାସୀ।
ସେହିପରି ତୃତୀୟ ଦିବସରେ ଗୋପପୁରରେ ନନ୍ଦରାଜାଙ୍କ ଦରବାର ଉଦଘାଟିତ ହୋଇଛି। ବରଗଡ଼ ଏସ୍ପି ପଦ୍ମିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନନ୍ଦଭବନ ଏବଂ ନନ୍ଦଦରବାରକୁ ଉଦଘାଟନ କରିଥିଲେ। ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ଉପଜିଲ୍ଳାପାଳ ତଥା ଗୋପପୁର କମିଟିର ଆବାହକ ପ୍ରଭାସଚନ୍ଦ୍ର ଡନସେନା, କୃଷ୍ଣଚନ୍ଦ୍ର ମହାପାତ୍ର, ଦୟା ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ସେହିପରି ମଥୁରା ନଗରୀରେ ମହାରାଜା କଂସ ପ୍ରତିଦିନ ପରି ନଗର ପରିଭ୍ରମଣ କରି ପ୍ରଜାମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରି ଦୈବବାଣୀକୁ ଭୁଲାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏହା ସହ ଆରାଧ୍ୟ ଦେବତା ମହାଦେବଙ୍କୁ ସ୍ମରଣ କରିଥିଲେ। ନିଜର ମରଣ ନେଇ ଭୟରେ ଉବୁଟୁବୁ କଂସ କାଳୀ ମନ୍ଦିର ସ୍ଥିତ ଶ୍ୟାମେଶ୍ୱର ବାବାଙ୍କୁ ଦର୍ଶନ ଓ ଆରାଧନା କରିଥିଲେ।
ରାଜଦରବାରରେ ପାତ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା ଓ ମନ୍ତ୍ରଣା ସମୟରେ ଦେବକୀର ଅଷ୍ଟମ ସନ୍ତାନ ଜନ୍ମର ଖବର ପାଇଥିଲେ କଂସ। ଭୟମିଶା କ୍ରୋଧରେ ସମଲେଶ୍ୱରୀ ମନ୍ଦିରସ୍ଥିତ ମଥୁରା କାରାଗରକୁ ଯାଇ ଭଉଣୀ ଦେବକୀଙ୍କୁ ଅଷ୍ଟମ ସନ୍ତାନକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦେବକୀ ଏଥିରେ ରାଜି ହୋଇ ନଥିଲେ।
ଶେଷରେ କ୍ରୋଧାନ୍ୱିତ କଂସାସୁର ନବଜାତକର କୁଆଁ କୁଆଁ ରାବରେ ଅତିଷ୍ଠ ହୋଇ ଦେବକୀ କୋଳରୁ ଛଡ଼ାଇ ଆଣିଥିଲେ ଶିଶୁକନ୍ୟାକୁ। ଶିଶୁକୁ ଦର୍ପଣ ଶିଳାରେ କଚାଡ଼ିବା ପାଇଁ ଉଦ୍ୟମ କରନ୍ତେ, ଶିଶୁଟି କଂସାସୁର ହାତରୁ ମୁକୁଳି ଶୂନ୍ୟକୁ ଉଠି ନିଜକୁ ବିଜୁଳି କନ୍ୟା ଭାବେ ପରିଚୟ ଦେଇ ‘ତତେ ମାରିବ ସିଏ, ଗୋପରେ ବଢ଼ୁଛି ଯିଏ’ ବୋଲି ଅଟ୍ଟହାସ୍ୟ କରି ଉଭେଇଯାଇଥିଲେ।
ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ମହାରାଜ କଂସ ରାଜଦରବାରକୁ ଫେରି ସୁରାସାକିରେ ମନକୁ ଭୁଲାଇବା ପାଇଁ ଚେଷ୍ଟା କରି ବିଫଳ ହୋଇ ରାଜନବର୍ଗ ତଥା ଅସୁରକୂଳ ସହିତ ମନ୍ତ୍ରଣା କରିଥିଲେ। ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ଷଡ଼ମଲ୍ଲ ଓ ଭଉଣୀ ପୁତନାକୁ ଆବାହନ କରି ଦେବକୀର ଅଷ୍ଟମ ସନ୍ତାନର ବିନାଶ ପାଇଁ ଗୋପପୁର ପ୍ରେରଣ କରିଥିଲେ। ନିଜର ଭୟ ଓ ଆବେଗକୁ ପ୍ରଶମିତ କରିବା ପାଇଁ ପୁଣି ସୁରା ଓ ସାକୀର ସହାୟତା ନେଇ ମହାମନ୍ତ୍ରୀ ଶକ୍ରାଜିତଙ୍କୁ ନୃତ୍ୟ ଗୀତର ଆସର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାମନ୍ତ୍ରୀ ଶକ୍ରାଜିତଙ୍କ ଘୋଷଣା କ୍ରମେ ବରଗଡ଼ ତଥା ବାହାର ଅଞ୍ଚଳରୁ ଆସିଥିବା କଳାକାର ମାନେ ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
The post ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ – ଗୋପପୁରରେ ନନ୍ଦ ଉତ୍ସବ, ମଥୁରାରେ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ କଂସ ବିଚଳିତ appeared first on OdishaLIVE.