ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନକୁ ନେଇ ସମଗ୍ର ଦେଶରେ ଅସମ୍ଭାଳ ଅବସ୍ଥା ସୃଷ୍ଟି ହୋଇଛି। ଚାରିଆଡ଼େ ଏହି ଆଇନ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆଜି ବାମପନ୍ଥୀ ଦଳ ପକ୍ଷରୁ ସମଗ୍ର ଦେଶରେ ବନ୍ଦ ଡାକରା ଦିଆଯାଇଛି। ବହୁ ରାଜ୍ୟରେ ଏଥି ପ୍ରତି ସମର୍ଥନ ମିଳିବା ଦେଖାଯାଇଛି। ସବୁ ବିରୋଧୀ ଦଳ ଏହି ଆଇନ ବିରୁଦ୍ଧରେ ଏକାଠି ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୦ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ବିହାରରେ ଲୋକେ ଟ୍ରେନକୁ ଅଟକାଇଛନ୍ତି। ବନ୍ଦ ଯୋଗୁଁ ଯାତାୟାତର ଅନ୍ୟ ମାଧ୍ୟମ ଉପରେ ବି ପ୍ରଭାବ ପଡ଼ିଛି। ଅଧିକାଂଶ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନକୁ ଆଖିରେ ରଖି ୧୪୪ ଧାରା ଲାଗୁ କରାଯାଇଛି।
ଏହି ଧାରା ଭାଙ୍ଗିବା କାରଣରୁ ଦିଲ୍ଲୀ ସମେତ ବହୁ ସହରରେ ବିକ୍ଷୋଭକାରୀଙ୍କୁ ପୋଲିସ ବାନ୍ଧି ନେଇଛି। ବେଙ୍ଗାଲୁରୁରେ ଇତିହାସବିତ ରାମଚନ୍ଦ୍ର ଗୁହା ଓ ଦିଲ୍ଲୀରେ ଗବେଷକ ତଥା ସ୍ୱରାଜ ଅଭିଯାନର ଆବାହକ ଯୋଗେନ୍ଦ୍ର ଯାଦବଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି।
ଗୁରୁବାର ପୂର୍ବାହ୍ନରୁ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିଛି ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଦିଲ୍ଲୀର ମଣ୍ଡି ହାଉସ୍ଠାରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ଅଟକ ରଖାଯାଇଛି।
ନାଗରିକତା ଆଇନ ବିରୁଦ୍ଧରେ ଆଜି ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ସେଥିପ୍ରତି ୬୦ଟି ସଂଗଠନର ସମର୍ଥନ ରହିଛି। ବିହାର ରାଜଧାନୀ ପାଟନାରେ କହ୍ନେୟା କୁମାରଙ୍କ ନେତୃତ୍ୱରେ ଜବରଦସ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେଣେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି। କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନେ ଏହି ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।
ଏହି ବିକ୍ଷୋଭ କର୍ଣ୍ଣାଟକକୁ ମଧ୍ୟ ବ୍ୟାପୁଛି। ରାଜଧାନୀ ବେଙ୍ଗାଳୁରୁର ବିଭିନ୍ନ ସ୍ଥାନରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ଅନେକ ସ୍କୁଲ ଓ କଲେଜକୁ ବନ୍ଦ କରି ଦିଆଯାଇଛି। କଲିକତାରେ ଚିତ୍ର ନିର୍ଦ୍ଦେଶିକା ଅପର୍ଣ୍ଣା ସେନ୍ ଏକ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିବା ବେଳେ ହାଇଦ୍ରାବାଦରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକାଇଛି। ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି।
The post ନାଗରିକତା ଆଇନକୁ ନେଇ ସମଗ୍ର ଦେଶରେ ବୋବାଳି appeared first on OdishaLIVE.