Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11872

ଆଡ଼ପ ପହଣ୍ଡି ବେଳେ କାହିଁକି ପଡ଼ିଗଲେ ବଡ଼ଠାକୁର?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ରଥ ଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ଘଟିଲା ବଡ଼ ଅଘଟଣ। ଗୋଟି ପହଣ୍ଡିରେ ଯିବା ସମୟରେ ଚାରମାଳ ଉପରେ ମୁହଁମାଡ଼ି ପଡ଼ିଗଲେ ବଡ଼ଠାକୁର ଶ୍ରୀବଳଭଦ୍ର। ପହଣ୍ଡିବେଳେ ଏପରି ବିଭ୍ରାଟ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। କେହିକେହି ଏହାକୁ ଅଘଟଣ କହୁଛନ୍ତିତ’ କିଏ ଏହାକୁ ମସ୍ତବଡ଼ ଦୁର୍ଘଟଣାକହୁଛନ୍ତି।

ଜୁଲାଇ ୯ ତାରିଖ, ମଙ୍ଗଳବାର ସନ୍ଧ୍ୟା ସମୟରରେ ଘଟିଥିଲା ଏକ ବଡ଼ ଅଘଟଣ। ପହଣ୍ଡି ବେଳେ ଚାରମାଳରୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ ଶ୍ରୀବଳଭଦ୍ର। ଏଥିରେ ୧୦ରୁ ଅଧିକ ସେବାୟତ ଆହତ ହୋଇଥିଲେ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସାଙ୍ଗକୁ ସୋସିଆଲ ମିଡିଆରେ ଘୁରି ବୁଲିଲା ଅଘଟଣ ସମୟର ଲାଇଭ୍ କ୍ଲିପ୍।

ଦୈନିକ ସମ୍ବାଦ ହେଡଲାଇନ କରିଥିଲା ‘ବଡ଼ ଅଘଟଣ – ଚାରମାଳରେ ବଡ଼ଠାକୁରଙ୍କୁ ପକାଇଦେଲେ’। ସେହିପରି ଦୈନିକ ସମାଜର ହେଡଲାଇନ ରହିଥିଲା ‘ଆଡ଼ପ ପହଣ୍ଡି ବିଜେ ବେଳେ ଅଘଟଣ – ଝୁଙ୍କି ପଡ଼ିଲେ ବଡ଼ଠାକୁର’। ଦୈନିକ ପ୍ରମେୟ ହେଡଲାଇନ କରିଥିଲା ‘ଆଡ଼ପ ମଣ୍ଡପ ବିଜେ ବେଳେ ବିଭ୍ରାଟ – ପଡ଼ିଗଲେ ବଡ଼ଠାକୁର’। ଦୈନିକ ଧରିତ୍ରୀ ଲେଖିଥିଲା ‘ବଡ଼ଠାକୁରଙ୍କୁ ପକାଇଦେଲେ’। ସେହିପରି ଦୈନିକ ସକାଳର ହେଡଲାଇନ ଥିଲା ‘ମହା ଅଘଟଣ; ଅଶୁଭ ସଙ୍କେତ – ପହଣ୍ଡି ବେଳେ ଚାରମାଳରେ ମୁହଁମାଡ଼ି ପଡ଼ିଗଲେ ବଡ଼ଠାକୁର ବଳଭଦ୍ର’ ଏବଂ ଦୈନିକ ପ୍ରଗତିବାଦୀର ହେଡଲାଇନ ରହିଥିଲା ‘ଆଡ଼ପ ପହଣ୍ଡିରେ ବଡ଼ ଅଘଟଣ – ବଡ଼ଠାକୁର ମୁହଁମାଡ଼ି ପଡ଼ିଲେ’।

କାହିଁକି ଖସି ପଡ଼ିଲେ ବଡ଼ଠାକୁର, କେଉଁଠି ତ୍ରୁଟି ରହିଗଲା, ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା ବେଳେ ଏ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଗୋ କହିଥିଲେ, “ରଥଯାତ୍ରା ସମୟରେ ଶ୍ରୀବିଗ୍ରହଙ୍କ ନୀତିରେ ଏଭଳି ବିଭ୍ରାଟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ସମୂହକୁ ଦାୟୀ କରାଯାଉଛି। ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ଥିବା ସେବାୟତମାନଙ୍କ ଢିଲାପଣ ଏବଂ ଖାମଖିଆଲ ମନୋଭାବ ଲାଗି ଏଭଳି ଅଘଟଣ ଘଟୁଥିବା ବୁଦ୍ଧିଜୀବିମାନେ ମତ ରଖିଛନ୍ତି। ତେଣୁ ସତ୍ତ୍ୱଲିପି ବା ରେକର୍ଡ ଅଫ୍ ରାଇଟସର ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ କରିବା ଜରୁରୀ।”

ଚିଠି ଲେଖିଲେ ନବୀନ, ଉତ୍ତର ରଖିଲେ ମୋହନ

ମହାପ୍ରଭୁଙ୍କ ପହଣ୍ଡି ବିଭ୍ରାଟକୁ ରାଜନୈତିକ ମୁଦ୍ଦା କରାଯିବା ବେଳେ ଏ ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ। ଉଭୟ ଦଳ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ନୂଆ କରି ଓଡ଼ିଶାରେ ଶାସନ କ୍ଷମତାକୁ ଆସିଥିବା ମୋହନ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖି ଭବିଷ୍ୟତରେ ଏଭଳି ବିଭ୍ରାଟ ଯେମିତି ନଘଟେ ସେଥିପ୍ରତି ତାହାର ଶୁନିଶ୍ଚିତ କରିବାକୁ ହେବାକୁ ଅନୁରୋଧ କରିଥିଲେ।

ନବୀନ ପଟ୍ଟନାୟକଙ୍କର ଏହି ଚିଠି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚିଠି ଜରିଆରେ ଉତ୍ତର ରଖିଛନ୍ତି। ସେ ନବୀନଙ୍କୁ ଲେଖିଛନ୍ତି, “ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ। ଏ ଅଘଟଣ ବିଷୟରେ ଜାଣିବା ପରେ ମୁଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହିତ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛି।”

ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟି ପାଇଁ ମହାପ୍ରଭୁଙ୍କ ପହଣ୍ଡିରେ ଏଭଳି ବିଭ୍ରାଟ ଆସିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ପ୍ରଶାସକ ଦାୟିତ୍ୱରୁ ବଦଳି କରି ତତ୍ପରତା ଦେଖାଇଥିଲେ ରାଜ୍ୟ ସରକାର।

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ଦାୟିତ୍ୱ ମିଳିଛି। ରଥଯାତ୍ରାର ବାକି ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ହେବା ସହ ଭବିଷ୍ୟତରେ ଶ୍ରୀଜିଉଙ୍କ ଯାତ୍ରାକୁ ସୁରୁଖୁରୁରେ କରାଯିବ ବୋଲି ସାଧାରଣ ଭକ୍ତ ଆଶା ପ୍ରକାଶ କରିଛନ୍ତି

Tags: #Rathyatra #RathJatra2024 #BalabhadraPahandi #Puri #Odisha

The post ଆଡ଼ପ ପହଣ୍ଡି ବେଳେ କାହିଁକି ପଡ଼ିଗଲେ ବଡ଼ଠାକୁର? appeared first on OdishaLIVE.


Viewing all articles
Browse latest Browse all 11872

Latest Images

Trending Articles



Latest Images