ଭୁବନେଶ୍ୱର, ୦୨ଏପ୍ରିଲ୍ ୨୦୧୭ (ଓଡ଼ିଶାଲାଇଭ୍ ବ୍ୟୁରୋ): ମେ ୩ ତାରିଖରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଏକ ଦୁଇଦିନିଆ ଜାତୀୟ ମିଡିଆ କନ୍କ୍ଲେଭ୍ ଅନୁଷ୍ଠିତ ହେବାକୁ ଯାଉଛି । ଗଣମାଧ୍ୟମର ସାମାଜିକ ଦାୟିତ୍ୱ ଶୀର୍ଷକରେ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ତଥା ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନେ ଯୋଗଦେବେ ।
ଏହି ସମ୍ମିଳନୀର ମୂଳ ଥିମ୍ ଗଣମାଧ୍ୟମର ସାମାଜିକ ଦାୟିତ୍ୱ ସହ ଆଉ କେତୋଟି ସବ୍ଥିମ୍ ମଧ୍ୟ ରହିଛି । ମିଡିଆର ମୂଳ ଆଭିମୁଖ୍ୟ, ପ୍ରଶାସନ ଏବଂ ଜନସମାଜ ସହ ଏହାର ସମ୍ପର୍କ, ବର୍ତ୍ତମାନର ପରିବର୍ତ୍ତନଶୀଳ ଧାରା ମଧ୍ୟରେ ଏହାର ଆଦର୍ଶ ଓ ଉତ୍ତରଦାୟିତ୍ୱ ଏବଂ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ଟେକ୍ନୋଲୋଜିର ପ୍ରଭାବ ଆଦି ବିଷୟରେ ବିଭିନ୍ନ ଅଧିବେଶନରେ ନିବନ୍ଧ ଉପସ୍ଥାପନା ଏବଂ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ୱେବ୍ ଚ୍ୟାନେଲ୍ ‘ଓଡ଼ିଶାଲାଇଭ୍’ ଏହାର ନଲେଜ୍ ପାର୍ଟନର ଭାବେ ଯୋଗଦେଇଛି ।
ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ସମ୍ମିଳନୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଏମଏସ ନିର୍ଦ୍ଦେଶକ ତଥା ସମ୍ମିଳନୀର ଆବାହକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସମ୍ମିଳନୀର ଆଭିମୁଖ୍ୟ ତଥା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମିଳନୀର ପରିଚାଳନା କମିଟିର ସଦସ୍ୟ ତଥା ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲୀପ ଶତପଥୀ, ସନ୍ଦୀପ ସାହୁ, ଯତୀନ୍ଦ୍ର ଦାଶ, ହରପ୍ରସନ୍ନ ଦାସ, ଶିଶିର କୁମାର ଭଟ୍ଟମିଶ୍ର, କେ ରବି, ସନ୍ଦୀପ ମିଶ୍ର ଏବଂ ଶ୍ୟାମଳ କିଶୋର ଦାସ ପ୍ରମୁଖ । ‘ଓଡ଼ିଶାଲାଇଭ୍’ର ସମ୍ପାଦକ ତଥା ସିଇଓ ଏବଂ ସମ୍ମିଳନୀର ସଂଯୋଜକ ନୀଳାମ୍ବର ରଥ ସମ୍ମିଳନୀର ବିଭିନ୍ନ ଅଧିବେଶନର ରୂପରେଖ ଏବଂ ଏହାର ପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ସମ୍ମିଳନୀରେ ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ସାମ୍ବାଦିକତାର ମୁଖ୍ୟ ଧାରାରେ କାର୍ଯ୍ୟ କରୁଥିବା ପେସାଦାର, କର୍ପୋରେଟ୍ କମ୍ୟୁନିକେସନ ଏବଂ ଡେଭଲପମେଂଟ୍ କମ୍ୟୁନିକେସନ କ୍ଷେତ୍ରକୁ ମଧ୍ୟ ସାମିଲ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।