Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଜୁ ପଟ୍ଟନାୟକଙ୍କ ଉପରେ ଦ୍ୱିଭାଷୀ ପୁସ୍ତକ ‘ଶତାବ୍ଦୀର ଦୂରଦ୍ରଷ୍ଟା’

$
0
0

ଭୁବନେଶ୍ୱର, ୬୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାତୀୟବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ, ଜଣାଶୁଣା ପାଇଲଟ୍‍ ତଥା ଓଡ଼ିଶାରେ ଶିଳ୍ପ ଓ ବିକାଶର ନୂଆ ଧାରା ଆଣିଥିବା ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ସମୟ ଉପରେ ଆଧାରିତ ଦ୍ୱିଭାଷୀ ପୁସ୍ତକ ‘ଶତାବ୍ଦୀର ଦୂରଦ୍ରଷ୍ଟା’ ବର୍ତ୍ତମାନ ବଜାରରେ ମିଳୁଛି।  ଓଡ଼ିଶାର ପ୍ରଥମ ୱେବ୍‍ ଚ୍ୟାନେଲ୍‍ ନେଟୱାର୍କ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକଟି କିଛି ଦିନ ତଳେ ନୂଆଦିଲ୍ଲୀଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତର ଉପ-ରାଷ୍ଟ୍ରପତି ମହମ୍ମଦ ହମିଦ୍‌ ଅନ୍‌ସାରିଙ୍କ ହାତରେ ଉନ୍ମୋଚିତ ହୋ‍ଇଥିଲା।

ଚଳିତ ବର୍ଷ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ତେବେ ବିଜୁବାବୁଙ୍କ ଉପରେ ସବୁ ଦିଗରୁ ବିଚାରକରି ଗୋଟିଏ ଭଲ ପୁସ୍ତକ ନଥିଲା। ‘ଶତାବ୍ଦୀର ଦୂରଦ୍ରଷ୍ଟା’ ଏହି ଅଭାବକୁ କିଛି ମାତ୍ରାରେ ପୂରଣ କରିବ ବୋଲି ଏହି ପ୍ରକାଶନର ସମ୍ପାଦକ ତଥା ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ନୀଳାମ୍ବର ରଥ କହିଛନ୍ତି।

୨୫୫ ପୃଷ୍ଠାର ଏହି ପୁସ୍ତକରେ ବିଜୁବାବୁଙ୍କ ଜୀବନୀ ଓ ବିରଳ ବ୍ୟକ୍ତିତ୍ୱ ଉପରେ ଆଧାରିତ ଲେଖା ସହ ଏହି ଜନନେତାଙ୍କ ସମ୍ପର୍କରେ ଆସିଥିବା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସ୍ମୃତିଲେଖ ସ୍ଥାନ ପାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜନେତା, ପ୍ରଶାସକ, ସାମ୍ବାଦିକ, ଗବେଷକ ଏବଂ ରାଜନୈତିକ ବିଶ୍ଲେଷକ।

‘ଶତାବ୍ଦୀର ଦୂରଦ୍ରଷ୍ଟା’ ପ୍ରକାଶନ ପାଇଁ ସ୍ୱତନ୍ତ୍ର ଭାବେ ଲେଖା ପ୍ରସ୍ତୁତ କରିବା ସହ ପୂର୍ବରୁ ପ୍ରକାଶିତ କିଛି ଲେଖାକୁ ଏଥିରେ ସ୍ଥାନିତ କରାଯାଇଛି। ବିଜୁବାବୁଙ୍କ ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘଟଣା ଓ ଐତିହାସିକ ସୂଚନାକୁ ଗୋଟିଏ ସ୍ଥାନରେ ପରିବେଷଣ କରିବା ପାଇଁ ଏକ ଉଦ୍ୟମ କରାଯାଇଛି ବୋଲି ଏହାର ସମ୍ପାଦନାମଣ୍ଡଳି ପକ୍ଷରୁ କୁହାଯାଇଛି।

ଏହି ପୁସ୍ତକର ପ୍ରାରମ୍ଭରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ସ୍ଥାନ ପାଇଛି। ସେ ଲେଖିଛନ୍ତି ଯେ, ବିଜୁ ପଟ୍ଟନାୟକ ଥିଲେ ବିଂଶ ଶତାବ୍ଦୀର ଅନ୍ୟତମ ଯୁଗପୁରୁଷ। ତାଙ୍କର ସଂକଳ୍ପ, ସଂଗ୍ରାମ ତଥା ସଫଳତା ସମ୍ପର୍କରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପୁସ୍ତକଟିକୁ ଅତ୍ୟନ୍ତ ଉପାଦେୟ କରିପାରିଛି। ବିଜୁବାବୁଙ୍କ ଅଦମ୍ୟ ସାହସ, ଦୃଢ ମନୋବଳ ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ମଧ୍ୟରେ ଦରଦୀ ହୃଦୟର ପରିଚୟ ଏହି ପୁସ୍ତକରେ ଉପଯୁକ୍ତ ଭାବେ ପ୍ରତିଫଳିତ ହୋ‍ଇପାରିଛି। ଭବିଷ୍ୟତର ପିଢି ପାଇଁ ଏହି ପୁସ୍ତକଟି ଅତ୍ୟନ୍ତ ପ୍ରେରଣାଦାୟୀ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

‘ଶତାବ୍ଦୀର ଦୂରଦ୍ରଷ୍ଟା’ ପୁସ୍ତକରେ ବିଜୁବାବୁଙ୍କ ଉପରେ ଅନେକ ବିରଳ ରଙ୍ଗୀନ ଓ କଳାଧଳା ଚିତ୍ର ଛପା ହୋ‍ଇଛି। ତାଙ୍କ ଛାତ୍ର ଜୀବନର ଦୁଃସାହସିକ ପେସାୱାର ସାଇକେଲ ଯାତ୍ରାଠାରୁ ପାଇଲଟ ଜୀବନ, ଉଦ୍ୟୋଗ ବିକାଶ, ଓଡ଼ିଶାର ମୁଖ୍ୟମନ୍ତ୍ରିତ୍ୱ, କେନ୍ଦ୍ର ମନ୍ତ୍ରିତ୍ୱ, ଅନ୍ତର୍ଜାତୀୟ ରାଜନୀତି ଏବଂ ସ୍ୱର୍ଗଦ୍ୱାରରେ ଶେଷଯାତ୍ରା – ଏହି ଫଟୋ ମାଧ୍ୟମରେ ବେଶ୍‌ ପ୍ରତିଫଳିତ ହୋ‍ଇଛି।

ଏହି ପୁସ୍ତକର ଆଦ୍ୟ ଭାଗରେ ‘ମୋ ସ୍ୱପ୍ନ ଓଡ଼ିଶା’ ଶୀର୍ଷକରେ ୧୯୯୨ ମସିହାରେ ବିଜୁବାବୁ ଦେଇଥିବା ଭାବଗର୍ଭକ ଭାଷଣର ମୂଳ ଇଂଲିଶ ମୁଦ୍ରିତ ହୋ‍ଇଛି। ତା’ ସହିତ ବିଜୁବାବୁଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟଣାବଳିକୁ ‘ଯୁଗନାୟକଙ୍କ ଯୁଗ’ ଶୀର୍ଷକରେ ସ୍ଥାନିତ କରାଯାଇଛି।

ଆଇଏସବିଏନ୍‌ ନମ୍ବର ସହ ପ୍ରକାଶିତ ଏହି ପୁସ୍ତକର ମୂଲ୍ୟ ରହିଛି ୩୯୯ ଟଙ୍କା। ପୁସ୍ତକଟି ବର୍ତ୍ତମାନ ରାଜ୍ୟର ପ୍ରମୁଖ ବିକ୍ରେତାମାନଙ୍କ ପାଖରେ ଉପଲବ୍ଧ ରହିଛି।

ଆଗ୍ରହୀ ପାଠକ ଓ ପୁସ୍ତକ ବିକ୍ରେତାମାନେ ସିଧାସଳଖ ଭାବେ ବହିଟି ପାଇବା ପାଇଁ ଓଡ଼ିଶାଲାଇଭ୍‌ ସହ ଯୋଗାଯୋଗ କରିବାକୁ ପ୍ରକାଶନ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ଯୋଗାଯୋଗ: ୦୬୭୪ ୬୦୦୪୪୧୧, ଇମେଲ୍‍: digital.odishalive@gmail.com


Viewing all articles
Browse latest Browse all 11715

Latest Images

Trending Articles



Latest Images