ଭୁବନେଶ୍ୱର, ୭।୩।୨୦୧୭ (ଓଡ଼ିଶାଲାଇଭ୍ ବ୍ୟୁରୋ): ଆଜିର ଶିଶୁ କାଲିର ଭବିଷ୍ୟତ। ସେମାନେ ଆଗାମୀ ଦିନରେ ଦେଶ ନିର୍ମାଣରେ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବେ। କିନ୍ତୁ ବିଶ୍ୱରେ ଆଜି ବି ଦଶ କୋଟି ଶିଶୁ ବିଭିନ୍ନ କାରଣବଶତଃ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ଶିକ୍ଷାରୁ ବଞ୍ଚିତ, ତା’ପରେ କ୍ରୀତଦାସ, ଯୌନ ଶୋଷଣ ପରି ବିଭିନ୍ନ ଉପାୟରେ ସେମାନେ ଅନ୍ୟମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। ସେମାନଙ୍କ ଶୈଶବ ବର୍ତ୍ତମାନ ସଙ୍କଟରେ। ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ।
ଭୁବନେଶ୍ୱରରେ ରାଜ୍ୟ ଅତିଥି ଭବନରେ କୈଳାସ ସତ୍ୟାର୍ଥୀ ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ରୋଚକ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମନାରେ ରଖିଛନ୍ତି। ବିଶ୍ୱରେ ଅନେକ ଶିଶୁ ମୌଲବାଦିଙ୍କ କବଳରେ ଅଛନ୍ତି। ଛୋଟ ପିଲାମାନଙ୍କର ମାନସିକ ପରିପକ୍ୱତା ଆସିନଥାଏ। ସେମାନଙ୍କୁ ଆମେ ଯାହା କହିଥାଉ, ଯେଉଁ ରାସ୍ତାରେ ଯିବାକୁ ଶିଶୁମାନଙ୍କୁ ଉପଦେଶ ଦେଇଥାଉ, ସେମାନେ ସେୟା ହିଁ କରିଥା’ନ୍ତି। ଭୁଲ୍ ଠିକ୍ର ବିବେଚନା ଶିଶୁମାନେ କରିପାରନ୍ତି ନାହିଁ। ତେଣୁ ଏହାର ଫାଇଦା ନେଇ ମୌଲବୀମାନେ ସେମାନଙ୍କ ମସ୍ତିଷ୍କକୁ କବଳିତ କରିବା ସହ ସେମାନଙ୍କୁ ଆତ୍ମଘାତୀ ବୋମା ସ୍ୱରୁପ ବ୍ୟବହାର କରୁଛନ୍ତି ଏବଂ କିଛି ଶିଶୁଙ୍କୁ ଆତଙ୍କବାଦୀ କରିଦିଆଯାଉଛି। ସମ୍ପ୍ରତି ବିଶ୍ୱର ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ଏଭଳି ଦୃଶ୍ୟ ବହୁମାତ୍ରାରେ ଦେଖାଯାଉଛି, ଯାହାକି ଏକ ଚିନ୍ତାଜନକ ବିଷୟ।
ଆଗାମୀ ଦିନରେ ଏହାର ସୁବ୍ୟବସ୍ଥା କରାଯିବ ଏବଂ ଭାରତରୁ ଏହି ଅଭିଯାନର ଶୁଭାରମ୍ଭ ହେବ ବୋଲି କୈଳାସ ସତ୍ୟାର୍ଥୀ ମତବ୍ୟକ୍ତ କରିଛନ୍ତି। ଏକ ଅଭିନବ ଉପାୟରେ ‘୧୦ କୋଟିଙ୍କ ପାଇଁ ୧୦ କୋଟି’ ନାଁରେ ଏକ ଅଭିଯାନ ଆରମ୍ଭ ହେବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ଏହି ଅଭିଯାନକୁ ସୋସିଆଲ୍ ମିଡିଆ ବା ଡିଜିଟାଲ୍ ମିଡିଆ ମାଧ୍ୟମରେ ଆଗାମୀ ଦିନରେ ଖୁବ୍ ଜୋର୍ରେ ପ୍ରଚାର ପ୍ରସାର କରାଯାଇପାରିବ ବୋଲି ସେ ହୃଦୟଙ୍ଗମ କରିଥିଲେ। ରାଜ୍ୟ ଏବଂ ଦେଶର ଯୁବକ ଯୁବତୀମାନେ କିପରି ଭାବରେ ଏହି ଅଭିଯାନରେ ଯୋଡ଼ି ହୋଇପାରିବେ ସେଥିପାଇଁ ବ୍ଲୁପ୍ରିଣ୍ଟ୍ ତିଆରି କରାଯାଉଛି। ଏଥିସହିତ ବିଭିନ୍ନ ସଂଗଠନ, ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍, ଧାର୍ମିକ ନେତୃବୃନ୍ଦଙ୍କୁ ଏଥିରେ ମଧ୍ୟ ସାମିଲ୍ କରାଯିବ। ପ୍ରତି ବସ୍ତି, ଗାଁ, ସହର, କୌଣସି ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଛୋଟବଡ଼ ଦୋକାନମାନଙ୍କରେ ଯଦି ଶିଶୁମାନେ ଶୋଷଣର ଶିକାର ହେଉଥିବେ, ତେବେ ସେମାନଙ୍କୁ କିପରି ତୁରନ୍ତ ସାହାଯ୍ୟ କରାଯିବ, ତାହାରି ଉପରେ ଏହି ଅଭିଯାନର ଗୁରୁ ଦାୟିତ୍ୱ ରହିବ ବୋଲି ସତ୍ୟାର୍ଥୀ ସୂଚନା ଦେଇଛନ୍ତି।
ଶିଶୁମାନଙ୍କ ଉପରେ ପରିସଂଖ୍ୟାନର ତଥ୍ୟ ଦେଇ ସେ କହିଛନ୍ତି ଯେ ସମ୍ପ୍ରତି ବିଶ୍ୱରେ ୨୫ ବର୍ଷରୁ କମ୍ ଯୁବକଙ୍କ ସଂଖ୍ୟା ହେଉଛି ୩ ବିଲିୟନ୍। ଭାରତରେ ୧୮ ବର୍ଷରୁ କମ୍ ବୟସ୍କ ଯୁବକଙ୍କ ସଂଖ୍ୟା ହେଉଛି ୪୦ ପ୍ରତିଶତ। ବର୍ତ୍ତମାନ ଯୁବପିଢିମାନେ ଆଗକୁ ଆସି ନେତୃତ୍ୱ ନେବା ପାଇଁ ଆଗ୍ରହୀ। ସମଗ୍ର ବିଶ୍ୱରେ ୧୦ କୋଟି ଯୁବବର୍ଗ ପରିବର୍ତ୍ତନର ସୂତ୍ରଧର ହେବାକୁ ଚାହୁଁଛନ୍ତି ଏବଂ ନେତୃତ୍ୱ ନେବାର ସମ୍ଭାବନା ସେମାନଙ୍କ ପାଖରେ ଅଛି।
ଅନେକ ଦେଶରେ ଶିଶୁମାନଙ୍କ ପ୍ରତି ଥିବା ଆଇନ୍ ବହୁତ ଦୁର୍ବଳ। କୈଳାସ ସତ୍ୟାର୍ଥୀ ବାଂଲାଦେଶର ଉଦାହରଣ ଦେଇ କହିଛନ୍ତି ଯେ ବାଂଲାଦେଶରେ ଶିଶୁ କନ୍ୟାମାନଙ୍କର ବିବାହର ବୟସ ୧୬ ବର୍ଷରୁ ୧୪ ବର୍ଷକୁ କମ୍ କରିଦିଆଯାଉଥିବା ବେଳେ ପାକିସ୍ଥାନରେ ମଧ୍ୟ ସମ ଅବସ୍ଥା ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ବାରମ୍ବାର ଆଲୋଚନା ଓ ଏହା ଉପରେ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଆମ ଦେଶରେ ଯେଉଁପରି ଭାବେ ଆଜି ବି ମାନବ ଚାଲାଣ କରାଯାଉଛି, ତାହା ନୈରାଶ୍ୟଜନକ। କାରଣ ଆମ ଦେଶରେ ଯେଉଁ ଆଇନ୍ ରହିଛି, ତାହା ମଧ୍ୟ ଦୁର୍ବଳ। ତେଣୁ ସଂପ୍ରତି କେନ୍ଦ୍ର ସରକାର ସଂସଦରେ ଏକ ନୂଆ ଆଇନ୍ ଆଣିବାର ଆବଶ୍ୟକତା ରହିଛି। ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ନବୀନ ସରକାର ମାନବ ଚାଲାଣ ଉପରେ ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ବିଷଯ। ବିଜୁ କନ୍ୟାରତ୍ନ ଯୋଜନା ଆଗାମୀ ଦିନରେ ଓଡ଼ିଶା ଶିଶୁକନ୍ୟାମାନଙ୍କୁ ସହଯୋଗ କରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଶିଶୁମାନଙ୍କର ବିକାଶରେ ଶିକ୍ଷା, ମାନସିକ ଓ ଅର୍ଥନୈତିକ ସୁରକ୍ଷା ନିତାନ୍ତ ଆବଶ୍ୟକ। ତେଣୁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟାବସାୟିକ ଅନୁଷ୍ଠାନ, ସହୃଦୟ ବ୍ୟକ୍ତିଙ୍କ କିଛି ନା କିଛି ସାହାଯ୍ୟ ଶିଶୁମାନଙ୍କ ଶୈଶବକୁ ବିପଥଗାମୀ ହେବାରୁ ରକ୍ଷା କରିପାରିବ ବୋଲି କୈଳାସ ସତ୍ୟାର୍ଥୀ କହିଛନ୍ତି।