ସରକାର ଥରକୁ ଥର ଘୋଷଣା କରନ୍ତି, କୃଷି ପାଇଁ ଉଦ୍ଦିଷ୍ଟ ବୁନ୍ଦାଏ ପାଣି ଶିଳ୍ପକୁ ଦିଆଯିବ ନାହିଁ। କିନ୍ତୁ କୃଷିପାଇଁ କେତେ ପାଣି ଉଦ୍ଦିଷ୍ଟ ସେ କଥା ଘୋଷଣା କରାଯାଏ ନାହିଁ। ହୀରାକୁଦ ଜଳଭଣ୍ଡାର ଏବଂ କେନାଲ ସମୂହ କୃଷିପାଇଁ ଉଦ୍ଦିଷ୍ଟ, ସେଥିରୁ ଶିଳ୍ପକୁ ଏତେ ଅଧିକ ପରିମାଣରେ ଜଳଯୋଗାଣ କେବେହେଲେ ଯୁକ୍ତିଯୁକ୍ତ ନୁହେଁ।
ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଉଦ୍ଦେଶ୍ୟ ହେଲା ବନ୍ୟା ନିୟନ୍ତ୍ରଣ। ଅନ୍ୟ ଉଦ୍ଦେଶ୍ୟ ହେଲା ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ, ମାଛ ଚାଷ, ନିକଟବର୍ତ୍ତୀ ସହରକୁ ଜଳଯୋଗାଣ। ଶିଳ୍ପକୁ ଜଳଯୋଗାଣ କଥା କେବେହେଲେ ଚିନ୍ତା କରା ଯାଇ ନ ଥିଲା। ୨୦୦୫ ପୂର୍ବରୁ ଏହି ଜଳଭଣ୍ଡାରରୁ ଅତି ଅଳ୍ପମାତ୍ରାରେ ବିଭିନ୍ନ କଳ କାରଖାନା, ବିଭିନ୍ନ ଅନୁଷ୍ଠାନକୁ ଜଳ ଯୋଗାଣ କରାଯାଉଥିଲା। ୨୦୦୫ ରେ ସରକାର ସ୍ଥିର କଲେ ଯେ ହୀରାକୁଦ ଜଳଭଣ୍ଡାରରୁ ୪୭୮ କ୍ୟୁସେକ ଜଳ ଶିଳ୍ପକୁ ଯୋଗାଇ ଦେବେ। ଜଳଭଣ୍ଡାରର ଉଦ୍ଦେଶ୍ୟକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଗଲା।
ରାଜ୍ୟସରକାର ମତ ଦେଲେ ଯେ,ଶିଳ୍ପକୁ ଜଳ ଦେଲେ ହୀରାକୁଦ କମାଣ୍ଡ ଏରିଆର ଜଳସେଚନ ବାଧାପ୍ରାପ୍ତ ହେବ ନାହିଁ। କେବଳ ଆନୁପାତିକ ଭାବେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ କିଛି ପରିମାଣରେ ବାଧାପ୍ରାପ୍ତ ହେବ। ପ୍ରକୃତରେ ଅଙ୍କ କଷାକଷି କରି କୁହାଯାଉଛି ଯେ ଜଳଭଣ୍ଡାରରେ ବଳକା ପାଣି ଅଛି । ବାସ୍ତବରେ ବଳକା ପାଣି ନାହିଁ। ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ପଟୁମାଟିରେ ପୋତି ହେଇଯାଉଛି। ଜଳଭଣ୍ଡାରର ୨୭ ଭାଗରୁ ଉର୍ଦ୍ଧ୍ୱ ପୋତି ହୋଇଗଲାଣି। ଭବିଷ୍ୟତରେ ମଧ୍ୟ ପଟୁମାଟି ଭର୍ତ୍ତି ହୋଇ ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ସଙ୍କୁଚିତ ହେବ । ସରକାର ଥରକୁ ଥର ଘୋଷଣା କରନ୍ତି, କୃଷି ପାଇଁ ଉଦ୍ଦିଷ୍ଟ ବୁନ୍ଦାଏ ପାଣି ଶିଳ୍ପକୁ ଦିଆଯିବ ନାହିଁ। କିନ୍ତୁ କୃଷିପାଇଁ କେତେ ପାଣି ଉଦ୍ଦିଷ୍ଟ ସେ କଥା ଘୋଷଣା କରାଯାଏ ନାହିଁ। ହୀରାକୁଦ ଜଳଭଣ୍ଡାର ଏବଂ କେନାଲ ସମୂହ କୃଷିପାଇଁ ଉଦ୍ଦିଷ୍ଟ, ସେଥିରୁ ଶିଳ୍ପକୁ ଏତେ ଅଧିକ ପରିମାଣରେ ଜଳଯୋଗାଣ କେବେହେଲେ ଯୁକ୍ତିଯୁକ୍ତ ନୁହେଁ।
ହୀରାକୁଦ ନଦୀ ବନ୍ଧ ଯୋଜନା ନିର୍ମାଣ ସମୟରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ। ୧୯୮୮ରେ ହୀରାକୁଦ ଜଳ ପରିଚାଳନା ସକାଶେ ଯେଉଁ ରୁଲକର୍ଭର ପରିବର୍ତ୍ତନ କରାଗଲା, ତାହାର ଉଦ୍ଦେଶ୍ୟ ଥିଲା ବିଦ୍ୟୁତ ଉତ୍ପାଦନ ଆଉ କିଛି ବୃଦ୍ଧି। ବନ୍ୟା ନିୟନ୍ତ୍ରଣକୁ ଗୌଣ କରିଦିଆଗଲା। ବିଦ୍ୟୁତ ଉତ୍ପାଦନ ସଫଳ ଭାବେ କରାଗଲା। ବନ୍ୟା ନିୟନ୍ତ୍ରଣରେ ସେତିକି ସଫଳତା ମିଳିଲା ନାହିଁ। ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ମହାନଦୀରେ ଯେତେ ଥର ବନ୍ୟା ହେଉଥିଲା, ନିର୍ମାଣ ପରେ ତାହାର ଦୁଇଗୁଣ ଅଧିକ ବନ୍ୟା ହୋଇଛି। ନିଃସନ୍ଦେହରେ କୁହାଯାଇପାରେ, ହୀରାକୁଦ ନଦୀ ବନ୍ଧ ଯୋଗୁଁ ବନ୍ୟା ନିୟନ୍ତ୍ରଣରେ ଆଂଶିକ ସଫଳତା ମିଳିଛି। ଆଂଶିକ ବନ୍ୟା ନିୟନ୍ତ୍ରଣ ହୋଇଛି, ସମ୍ପୂର୍ଣ୍ଣ ବନ୍ୟା ନିୟନ୍ତ୍ରଣ ହୋଇ ନାହିଁ।
ସରକାରୀ ତଥ୍ୟରେ ଉଲ୍ଲେଖ ଅଛି ଯେ, ଶିଳ୍ପକୁ ଜଳ ଯୋଗାଣ କଲେ ସେହି ଅନୁପାତରେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ ହେବ। କିନ୍ତୁ ହୀରାକୁଦ କମାଣ୍ଡ ଏରିଆରେ ମଧ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହେଲା। କାରଣ ଶିଳ୍ପକୁ କେନାଲରୁ ଜଳଯୋଗାଣର ସୁଯୋଗ ଦିଆଗଲା। ସୂଚନାଯୋଗ୍ୟ ଯେ ଅନେକ ବର୍ଷ ହେଲା, କେନାଲର ଟେଲ ଏଣ୍ଡରେ ୨୦୦୦୦ ହେକ୍ଟର ପାଖାପାଖି ଜମିରେ ପାଣି ପହଞ୍ଚେ ନାହିଁ। ଶିଳ୍ପକୁ ଜଳଯୋଗାଣ ପରେ ଆନ୍ଦୋଳନ ତେଜିଉଠିଲା। କୃଷକ ସଂଗଠନ ଆନ୍ଦୋଳନ କଲେ। ହୀରାଖଣ୍ଡ ନାଗରିକ ପରିଷଦ ରାଷ୍ଟ୍ରପତିଙ୍କୁ ଆପତ୍ତି ଜଣାଇଲେ , ଏକ୍ସପର୍ଟ କମିଟି ହୀରାକୁଦ ଆସି ଏହି ସମ୍ପର୍କରେ ତଦନ୍ତ କରନ୍ତୁ। ଶିଳ୍ପକୁ ଜଳଯୋଗାଣ ସମ୍ପର୍କରେ ତଦନ୍ତ ସକାଶେ ପ୍ରଥମ ଏକ୍ସପର୍ଟ କମିଟି ୨୦୦୬ ଜୁଲାଇ ୨୪ ତାରିଖରେ ଆସିଥିଲେ। ପ୍ରଥମ କମିଟି ମତରେ ଶିଳ୍ପକୁ ୦.୩୫୦ ମିଲିୟନ ଏକର ଫୁଟ ଅର୍ଥାତ ୪୭୮ କ୍ୟୁସେକ ଜଳଯୋଗାଣ କରାଯାଇପାରେ।
ଠିକ୍ ବର୍ଷେ ପରେ ଦ୍ଵିତୀୟ ଏକ୍ସପର୍ଟ କମିଟି ୨୦୦୭ ଜୁଲାଇ ୧୭ ତାରିଖରେ ହୀରାକୁଦ ଆସିଲେ। ଦ୍ଵିତୀୟ କମିଟିଙ୍କ ମତରେ ଶିଳ୍ପକୁ ୦.୫୦୦ ମିଲିୟନ ଏକର ଫୁଟ ପରିମାଣର ଜଳ ଯୋଗାଇ ଦିଆଯାଇପାରିବ । ବର୍ଷେ ପରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ପଟୁମାଟି ଭର୍ତ୍ତି ଯୋଗୁଁ କମିଥିଳା, କ୍ଷମତା ବଢି ନ ଥିଲା। ତାହାହେଲେ ବଳକା ପାଣି ଆସିଲା କେଉଁଠୁ? ପ୍ରଥମ କମିଟିଙ୍କ ମତରେ ହୀରାକୁଦ କମାଣ୍ଡ ଏରିଆରେ ରବି ଜଳସେଚନ ବାଧାପ୍ରାପ୍ତ ହେବନାହିଁ, କିନ୍ତୁ ଶିଳ୍ପକୁ ଜଳଯୋଗାଣ କଲେ ବିଦ୍ୟୁତ ଉତ୍ପାଦନ କମିଯିବ। ଦ୍ଵିତୀୟ ଏକ୍ସପର୍ଟ କମିଟି କହନ୍ତି ଯେ, ବିଦ୍ୟୁତ ଉତ୍ପାଦନ ପାଇଁ ଆଗ ଅପେକ୍ଷା ଅଧିକ ପାଣି ଯୋଗାଇ ଦିଆଯାଉଛି। ଏହା ହାସ୍ୟାସ୍ପଦ। ପ୍ରକୃତରେ ଏବେ ବିଦ୍ୟୁତ ଉତ୍ପାଦନ ବହୁ ଅଧିକ ପରିମାଣରେ କମିଛି। ପ୍ରଥମ ଏକ୍ସପର୍ଟ କମିଟି ଅନ୍ୟାନ୍ୟ ପ୍ରସ୍ତାବ ସହିତ ହୀରାକୁଦର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯିବା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାନୁଷ୍ଠାନମାନଙ୍କ ଦ୍ଵାରା ଜଳଭଣ୍ଡାର ସଂକୁଚିତ କରିବା, ବର୍ଜ୍ୟବସ୍ତୁ ଜଳଭଣ୍ଡାରରେ ନିକ୍ଷେପ କରିବା ଏବଂ ଶିଳ୍ପାୟନ ଯୋଗୁଁ ପରିବେଶରେ ଅବନତି ସମ୍ପର୍କରେ କାଟୁ ମନ୍ତବ୍ୟ ଦେଇ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସରକାର କର୍ଣ୍ଣପାତ କଲେ ନାହିଁ। ଦ୍ଵିତୀୟ ଏକ୍ସପର୍ଟ କମିଟିର ସୁପାରିଶ ଅନୁସାରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।
ଶିଳ୍ପକୁ ଜଳଯୋଗାଣ ପରେ ବିଦ୍ୟୁତ ଉତ୍ପାଦନ ଆନୁପାତିକଭାବେ କମିଯିବ ବୋଲି ଏକ୍ସପର୍ଟ କମିଟି ସ୍ଵୀକାର କରିଛନ୍ତି। କିନ୍ତୁ ଆନୁପାତିକ ଭାବେ କମୁନାହିଁ , ବହୁତ ଅଧିକ ମାତ୍ରାରେ ବିଦ୍ୟୁତ ଉତ୍ପାଦନ କମିଛି। ହୀରାକୁଦ ଜଳ ପରିଚାଳନା ସକାଶେ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗ ଆଲୋଚନା କରି ପ୍ରତ୍ୟେକ ବର୍ଷ ବିଭିନ୍ନ ସମୟରେ ୱାର୍କିଙ୍ଗଟେବୁଲ ପ୍ରସ୍ତୁତ କରିଥାନ୍ତି । ୱାର୍କିଙ୍ଗଟେବୁଲ ଅନୁସାରେ ଜଳସେଚନ ପାଇଁ ଓ ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ଜଳ ବ୍ୟବହାର କରାଯାଏ। ଗତ ଚାରିବର୍ଷ ବିଦ୍ୟୁତ ଉତ୍ପାଦନ ସକାଶେ ଆବଶ୍ୟକୀୟ ଜଳ ଅନେକ ମାତ୍ରାରେ କମେଇ ଦିଆଯାଇଛି। ଚାରିବର୍ଷ ପୂର୍ବରୁ ଡେଡଲେଭେଲ ୫୯୦ ଫୁଟ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ୫୯୫ ଫୁଟ ପର୍ଯନ୍ତ ଜଳ ବ୍ୟବହାର କରି ଜାଣିଶୁଣି ୫ ଫୁଟ ଉଚ୍ଚତାର ଜଳରାଶି ନଷ୍ଟ କରାଯାଉଛି। କାରଣ ହେଲା, ଜଳସ୍ତର ୫୯୫ ଫୁଟରୁ ତଳକୁ ଖସିଲେ ଶିଳ୍ପାନୁଷ୍ଠାନଗୁଡିକ ପମ୍ପ ସାହାଯ୍ୟରେ ଜଳଭଣ୍ଡାରରୁ ଜଳ ଉଠେଇପାରିବେ ନାହିଁ। ଶିଳ୍ପକୁ ଜଳଯୋଗାଣର ସୁବିଧା ସକାଶେ ପ୍ରତ୍ୟେକ ବର୍ଷ ୫ ଫୁଟ ଉଚ୍ଚତାର ଜଳ ନଷ୍ଟ କରି ବିଦ୍ୟୁତ ଉତ୍ପାଦନ କମେଇ ଦିଆଯାଉଛି। ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏହି ଦିଗରେ ସରକାର ସମୀକ୍ଷା କରନ୍ତୁ।
କଳ କାରଖାନା ହେଉ। କିନ୍ତୁ କଳ କାରଖାନା ନିଜେ ନିଜର ଜଳଯୋଗାଣ ବ୍ୟବସ୍ଥା କରନ୍ତୁ। ବନ୍ୟା ସମୟରେ ଜଳ ସଂରକ୍ଷଣ କରି ଅନ୍ୟ ସମୟରେ ସେହି ଜଳକୁ ବ୍ୟବହାର କରାଯାଇପାରିବ। ଆବଶ୍ୟକତା ଅନୁସାରେ ସେହି ଜଳକୁ ରିସାଇକ୍ଲିଂ କରାଯାଇ ପାରିବ। ହୀରାକୁଦରୁ ଶିଳ୍ପକୁ ଜଳଯୋଗାଣ କରି ସୀମିତ ଅଞ୍ଚଳରେ ଅନେକ ଶିଳ୍ପାନୁଷ୍ଠାନକୁ ଅନୁମତି ଦେବା ଯୁକ୍ତିଯୁକ୍ତ ନୁହେଁ। ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ । ପରିବେଶ ସୁରକ୍ଷିତ ରହୁ । ସରକାର ବାସ୍ତବବାଦୀ ହୁଅନ୍ତୁ।
ଇଂ କରୁଣାକର ସୂପକାର ଓଡ଼ିଶା ସରକାରଙ୍କ ଜଳସେଚନ ବିଭାଗର ଯନ୍ତ୍ରୀ ମୁଖ୍ୟ (ଇଞ୍ଜିନିୟର୍-ଇନ୍-ଚିଫ୍) ପଦବୀରେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି। ଓଡ଼ିଶାର ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ସେ ଜଣେ ବିଶେଷଜ୍ଞ।