Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆକୁ ବୁଲିଆସୁଥିବା ଦର୍ଶକ ମଣିଷ ନା ପୋକମାଛି?

$
0
0

– ନୀଳାମ୍ବର ରଥ

ରାଜଧାନୀ ଭୁବନେଶ୍ୱରର ଲୋକପ୍ରୟ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଅତ୍ୟାଧୁନିକ ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପାଇଁ ସରକାରଙ୍କର କିଛି ଦାୟିତ୍ୱ ରହିଛି କି?

ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ରେ ଥିବା ଇଡ୍‍କୋ ପ୍ରଦର୍ଶନୀ ପଡ଼ିଆ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ, ମେଳା ଏବଂ ମନୋରଞ୍ଜନଧର୍ମୀ ଇଭେଣ୍ଟର ଆୟୋଜନ ପାଇଁ ଅନେକ ବର୍ଷ ହେଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ହେଲେ ଏହାର ମାଲିକାନା ଦାୟିତ୍ୱରେ ଥିବା ସରକାରୀ ବିଭାଗର ପୁରୁଣାକାଳିଆ ଚିନ୍ତାଧାରା ଏବଂ ଏହାକୁ ଭଡ଼ାରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅନୁଷ୍ଠାନମାନଙ୍କର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହା ଏବେ ନୂଆ ସମସ୍ୟାର କାରଣ ହୋ‌ଇଛି।

ଏହି ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟତଃ ପୂର୍ବ-ପଶ୍ଚିମ କରି ଦୁଇଟି ଗ୍ରାଉଣ୍ଡ ରହିଛି। ଚଳିଆସୁଥିବା ବ୍ୟବସ୍ଥା ଅନୁଯାୟୀ ଏଠାରେ ଅଲଗା ଅଲଗା ଗ୍ରାଉଣ୍ଡରେ ଏକ ସମୟରେ ଅଲଗା ଅଲଗା କାର୍ଯ୍ୟକ୍ରମ ଚାଲିଥାଏ। ଏକ ସମୟରେ ଦୁଇ ଦୁଇଟି ବଡ଼ ଧରଣର କାର୍ଯ୍ୟକ୍ରମ ଚାଲୁଥିଲେ ଏଠାରେ ସୃଷ୍ଟି ହେଉଥିବା ଭିଡ଼ର ପରିଚାଳନା ପାଇଁ ପଡ଼ିଆ ଆଉ ସକ୍ଷମ ହେଉନାହିଁ। ବିଶେଷକରି ରାଜଧାନୀର ଜନସଂଖ୍ୟା ବିସ୍ଫୋରଣ ସାଙ୍ଗକୁ ଚାରିଚକିଆ ଯାନର ଭିଡ଼ ଏବେ ପ୍ରଦର୍ଶନୀ ପଡ଼ିଆ ଅଞ୍ଚଳ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି।

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଅଧିନରେ ଥିବା ଇଡ୍‍କୋ ଏହି ପଡ଼ିଆର ମାଲିକ। ସରକାରୀ ବା ବେସରକାରୀ କୌଣସି ଅନୁଷ୍ଠାନକୁ ଏହି ପଡ଼ିଆ ବ୍ୟବହାର କରି କିଛି କାର୍ଯ୍ୟକ୍ରମ କରିବାକୁ ଥିଲେ ଇଡ୍‍କୋଠାରୁ ନିର୍ଦ୍ଧାରିତ ଭଡ଼ାଦେଇ ପଡ଼ିଆ ନେବାକୁ ହୁଏ। କିନ୍ତୁ ଲକ୍ଷ୍ୟ କରିବା କଥା ଯେ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବା ରାଜଧାନୀ ସହରର ଏହି ଲୋକପ୍ରିୟ ପ୍ରଦର୍ଶନୀ ପଡ଼ିଆରେ ନା ରହୁଛି ଆବଶ୍ୟକ ପାର୍କିଂର ସୁବିଧା ନା ପରିମଳ ଏବଂ ଲୋକଙ୍କ ସୁରକ୍ଷା ପାଇଁ କାହାର ଚିନ୍ତା। ପଡ଼ିଆକୁ ଭଡ଼ାରେ ଦେଲାବେଳେ ସମ୍ପୃକ୍ତ ସରକାରୀ ବିଭାଗ ପକ୍ଷରୁ ଭଡ଼ାରେ ନେଉଥିବା ଅନୁଷ୍ଠାନ ପାଇଁ କି କି ନିୟମ ରହିଛି, ତାହା ଭଗବାନଙ୍କୁ ଜଣା।

ଆଜି ସବୁଠୁ ବଡ଼ ପ୍ରସଙ୍ଗ ହେଇଛି ବିକାଶ, ପରିଚ୍ଛନ୍ନତା ଏବଂ ସୁରକ୍ଷା। ଏହି ଲେଖକ ମନେକରେ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆର ମାଲିକ ବା ସାମୟିକ ଭଡ଼ାଟିଆ କାହାର ଏ ବାବଦରେ ସାମାନ୍ୟ ଚିନ୍ତା ନାହିଁ।

ଗୋଟିଏ ଉଦାହରଣ ଦେଲେ କଥାଟି ବେଶ୍‌ ପ୍ରାଞ୍ଜଳ ହୋ‌ଇଯିବ। ଏଇ ରବିବାର, ଜାନୁଆରୀ ୮ ତାରିଖ ଦିନ ପ୍ରଦର୍ଶନୀ ପଡ଼ିଆରେ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଶିଶିର ସରସ କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନ୍ୟପଟେ ଚାଲିଥିଲା ରାଜଧାନୀ ପୁସ୍ତକମେଳା। ଉଭୟର ଆୟୋଜକମାନେ ହୁଏତ ଛାତି ଫୁଲେଇ ଗର୍ବରେ କହିପାରନ୍ତି ଯେ ଏଭଳି ଐତିହାସିକ ଭିଡ଼ ସେମାନଙ୍କ ସଫଳତାର ଏକ ବଡ଼ ନମୁନା। କିନ୍ତୁ ଜଣେ ସାମ୍ବାଦିକ ହିସାବରେ ଏ ଲେଖକ ମନେକରେ ଯେ ଏହି ସ୍ଥାନ କୌଣସି ଅପନ୍ତରା ମୁଲକର ଗାଁ ମେଳାଠାରୁ କୌଣସି ଗୁଣରେ ଉନ୍ନତ ନୁହେଁ। ଏକଥା ଲେଖିଲାବେଳେ କୌଣସି ଅନୁଷ୍ଠାନ ବା ବ୍ୟକ୍ତିଙ୍କୁ ସମାଲେଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଲୋକଙ୍କ ସର୍ବନିମ୍ନ ସୁବିଧା ପ୍ରତି ଧ୍ୟାନ ନ ଦେଇ ପାନୀୟ ଜଳ, ପରିମଳ, ପାର୍କିଂ, ସୁରକ୍ଷା ପାଇଁ ଆଖିଦୃଶିଆ ବ୍ୟବସ୍ଥା ଉପରେ ଗୁରୁତ୍ୱ ନଦେଇ ଯଦି ଏଭଳି ଭିଡ଼କୁ ବାରମ୍ବାର ନିମନ୍ତ୍ରଣ କରାଯାଏ, ତା’ ହୁଏତଃ ଦିନେ ବିରାଟ ବିସ୍ଫୋରଣର କାରଣ ହୋ‌ଇପାରେ। ଆଉ ଯଦି ପରାମର୍ଶ ସରକାର ବା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ମନେହେଉନଥାଏ, ତେବେ ତା’ଠାରୁ ବଡ଼ ମୁର୍ଖତା ବୋଲି କିଛି ନାହିଁ।

ଆଜିର ଦିନରେ ଦୁଇ ଦୁଇଟି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ସନ୍ଧ୍ୟାବେଳେ ଯେଉଁ ପ୍ରକାରର ଭିଡ଼, ଧୂଳି, ଆବର୍ଜନା ଏବଂ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି, ଏହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ବିଶେଷକରି ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ବିପଜ୍ଜନକ କି ନୁହେଁ ଆପଣ ଥରେ ଭାବି ଦେଖନ୍ତୁ।

ଦେଶର ଅନ୍ୟ ସହର ଭଳି ରାଜଧାନୀ ଭୁବନେଶ୍ୱର ବଢୁଛି। ଏହି ସହର ଭବିଷ୍ୟତର ସମ୍ଭାବ୍ୟ ସ୍ମାର୍ଟସିଟି ପ୍ରତିଯୋଗିତାର ମୁକୁଟ ପିନ୍ଧି ଭାରି ନାଁ କରିଛି। କିନ୍ତୁ ସେ ନାଁର ବାସ୍ନା ଆମ ଆଚରଣରୁ ବାରିହେଉନାହିଁ। ରାଜଧାନୀର ଆବଶ୍ୟକତା ଦୃଷ୍ଟିରୁ ଜନତା ମ‌ଇଦାନ ଭଳି ଆଉ ଏକ ବଡ଼ ପଡ଼ିଆ ମଧ୍ୟ ରହିଛି। ଏଠାରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବେଳେ ପାର୍କିଂ ପାଇଁ କିଛିଟା ସୁଯୋଗ ରହିଥିବାରୁ ଅବସ୍ଥା ଚଳିଯାଉଛି। କିନ୍ତୁ ପରିମଳ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଦେଖିଲେ ସେଠି ମଧ୍ୟ ଅବସ୍ଥା ପାଖାପାଖି ସମାନ। ତେବେ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ ଅପେକ୍ଷାକୃତ ଛୋଟ ହୋ‌ଇଥିବାରୁ ଏବଂ ଏଠାକୁ ଅଧିକ ସଂଖ୍ୟକ ଲୋକ ଆସିବାର ସମ୍ଭାବନା ଥିବାରୁ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ।

ଏହି କ୍ରମରେ ଲେଖକ ତା’ର କେତୋଟି ମତାମତ ଏଠାରେ ରଖୁଛି ଏବଂ ଆଶା କରୁଛି ଏହା ସମ୍ପୃକ୍ତ ସରକାରୀ ବିଭାଗ, ରାଜ୍ୟ ସରକାରଙ୍କ ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ନିୟମିତଭାବେ ଏହି ପଡ଼ିଆ ବ୍ୟବହାର କରୁଥିବା ଅନୁଷ୍ଠାନମାନଙ୍କର ଦୃଷ୍ଟି ଆକର୍ଷଣ କରିବ।

(୧) ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଥିବା ଦୁଇଟିଯାକ ପଡ଼ିଆରେ ଏକ ସମୟରେ ଦୁଇ ଦୁଇଟି ଜନଗହଳି ସୃଷ୍ଟି ସମ୍ଭାବନାଥିବା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦିଆନଯାଉ। ବରଂ ଗୋଟିଏ ପଡ଼ିଆରେ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଆର ପଡ଼ିଆଟିକୁ ପାର୍କିଂ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ବ୍ୟବହାର କରାଯାଇପାରେ। (ଗୋଟିଏ ପଡ଼ିଆ ସାଙ୍ଗରେ ସରକାର ଅନ୍ୟ ପଡ଼ିଆଟିକୁ ମାଗଣାରେ ଦେବେ କି ଅଳ୍ପ କିଛି ଦେୟରେ ଯୋଗାଇଦେବେ ତାହା ଚିନ୍ତା କରାଯାଇପାରେ। କାରଣ ତା’ନହେଲେ କୌଣସି ଆୟୋଜକ ଦୁଇଟିଯାକ ପଡ଼ିଆକୁ ଭଡ଼ାରେ ନେବାକୁ ଆଦୌ ଆଗ୍ରହ ପ୍ରକାଶ କରିବେ ନାହିଁ।)

(୨) ହାଉସିଂ ବୋର୍ଡ ଛକ ଓ ରାମ ମନ୍ଦିର ମଝିରେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାପକ ପାର୍କିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଏହାହେଲେ ବର୍ଷସାରା ଏହି ମୁଖ୍ୟ ସଡ଼କରେ ଟ୍ରାଫିକ୍‌ ଚଳାଚଳରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।

(୩) କୌଣସି କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ପରିବେଶର (ମେଳା ଭିତର ଏବଂ ବାହାର) ପରିଚ୍ଛନ୍ନତା ବ୍ୟବସ୍ଥାକୁ ନିଶ୍ଚିତ କରାଯାଉ। ଏହାର ସ୍ଥାୟୀ ସମାଧାନ ପାଇଁ ଇଡ଼କୋ ପକ୍ଷରୁ ଯଥେଷ୍ଟ ସଂଖ୍ୟକ ୱାସ୍‌ରୁମ୍‌ ଏବଂ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇପାରେ। ତା’ ସହିତ ସେଠାରେ ଆବଶ୍ୟକ ସଂଖ୍ୟକ ଡଷ୍ଟବିନ୍‍ ଲାଗିବା ଜରୁରୀ।

(୪) ସୁରକ୍ଷା ଆଜିର ଦିନରେ ଏକ ବଡ଼ ପ୍ରଶ୍ନ। ଅଣ୍ଡାମାଡ଼ରୁ ବଞ୍ଚିବା ପାଇଁ ଆଜି ମନ୍ତ୍ରୀମାନଙ୍କ ସୁରକ୍ଷା ଉପରେ ଯେପରି ଧ୍ୟାନ ଦିଆଯାଉଛି, କୌଣସି ଅଘଟଣରୁ ରୋକିବା ପାଇଁ ପ୍ରଦର୍ଶନୀ ପଡ଼ିଆ ଭଳି ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା ରହିବା ଦରକାର। ତା’ ଭିତରେ ସ୍ଥାୟୀ ସିସିଟିଭି ଏବଂ ସ୍ୱତନ୍ତ୍ର ପୋଲିସ୍‍ ବ୍ୟବସ୍ଥା ବୋଧହୁଏ ଆଜିର ଦିନର ଏକ ଆବଶ୍ୟକତା।

(୫) ପ୍ରଦର୍ଶନୀ ପଡ଼ିଆକୁ ଭଡ଼ାରେ ଦେଲାବେଳେ ଏହାର ବ୍ୟବହାରକାରୀଙ୍କ ଉପରେ କଡ଼ା ସର୍ତ୍ତ ଲାଗୁ କରାଯାଉ। ଯେଉଁ କାର୍ଯ୍ୟକ୍ରମ ପାଇଁ ଏହି ସର୍ବସାଧାରଣଙ୍କ ସ୍ଥାନକୁ ଭଡ଼ାସୂତ୍ରରେ ନିଆଯାଉଛି, ସେହି କାର୍ଯ୍ୟକ୍ରମଠାରୁ କୌଣସି ବ୍ୟତିକ୍ରମ ଥିଲେ ସମ୍ପୃକ୍ତ ଅନୁଷ୍ଠାନ ଉପରେ ଫାଇନ୍‌ କରାଯାଉ କିମ୍ବା ଭବିଷ୍ୟତରେ ଏଭଳି ଅନୁଷ୍ଠାନକୁ ପଡ଼ିଆ ଭଡ଼ା ଦେବାରୁ ବ୍ୟାନ୍‌ କରାଯାଉ। ଯେପରିକି ବହିମେଳା ମଧ୍ୟରେ ପୁସ୍ତକ ବିକ୍ରି ଏବଂ ଶିକ୍ଷା ଓ ତାଲିମ୍‌ ସମ୍ପର୍କୀତ ପରାମର୍ଶ ଏବଂ ବିଭିନ୍ନ ସାମଗ୍ରୀ ପାଇଁ ଷ୍ଟଲ୍‌ ରହିବା ଦରକାର। କିନ୍ତୁ ତା’ ଭିତରେ ଆଚାର ବା ପାମ୍ପଡ ଷ୍ଟଲ୍‌ କିମ୍ବା ଶିଶୁଙ୍କ ଚିତ୍ତବିନୋଦନ ପାଇଁ ମେରିଗୋ ରାଉଣ୍ଡ ବା କ୍ରୀଡ଼ାକ୍ଷେତ୍ର ଖୋଲାନଯାଉ। ଏହା କେବଳ ଅଯଥା ଭିଡ଼ର କାରଣ ହେଉଛି ତା’ ନୁହେଁ ଆମର ମୂଳ ଲକ୍ଷ୍ୟ ବାଟବଣା ହେବା ସହିତ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଆସୁଥିବା ‘ସିରିୟସ୍‍’ ଦର୍ଶକ ବା ଗ୍ରାହକମାନଙ୍କ ଭାବନାକୁ ଭୟଙ୍କର ଭାବେ ବାଧା ପହଞ୍ଚାଉଛି।

ବହିମେଳା ହେଉ କି ଶିଳ୍ପ ମେଳା, ପ୍ରତି ଅନୁଷ୍ଠାନର ମର୍ଯ୍ୟାଦା ରହୁ, ଏବଂ ସେହି ଅନୁଷ୍ଠାନ ସହିତ ସମ୍ପୃକ୍ତ ବା ଆଗ୍ରହୀ ଏବଂ ସମାଜର ସାଧାରଣ ବର୍ଗର ଲୋକଙ୍କ ସମାବେଶ ନେଇ କୌଣସି ସମସ୍ୟା ନାହିଁ। ହେଲେ ସନ୍ଧ୍ୟାରେ ବାହାରେ ବୁଲି ବାଦାମ, ଗୁପଚୁପ ବା ମକା ଖାଉଥିବା ଗ୍ରାହକମାନଙ୍କର ସେଠାରେ ଭିଡ଼ ନହେବା ବୋଧହୁଏ ମଙ୍ଗଳମୟ ହେବ। ଏଭଳି ଟାଇମ୍‌ପାସ୍‌ ଲୋକଙ୍କ ଚିତ୍ତବିନୋଦନ ପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ ନୂଆ ବିଭାଗ ଖୋଲନ୍ତୁ ବା ରାଜଧାନୀର ଗୋଟିଏ ଅଞ୍ଚଳ ସେମାନଙ୍କୁ ଦାନ କରିଦିଅନ୍ତୁ।

ରାଜଧାନୀ ଭୁବନେଶ୍ୱରର ଏହି ପ୍ରଦର୍ଶନୀ ପଡ଼ିଆ ଏ ରାଜ୍ୟର ସାଧାରଣ ଜନତାଙ୍କ ସମ୍ପତ୍ତି। ଏହାକୁ ସାଧାରଣ ଜନତାଙ୍କ ହିତ ପାଇଁ ବ୍ୟବହାର କରାଯାଉ। ଯଦି ବେସରକାରୀ ଅନୁଷ୍ଠାନର ଆୟୋଜକ ଏବଂ ସରକାରଙ୍କ ସମ୍ପୃକ୍ତ ବିଭାଗର ଅନୁଷ୍ଠାନମାନଙ୍କର ବର୍ତ୍ତମାନ ବଦଳୁଥିବା ଦୁନିଆ ସମ୍ପର୍କରେ ଧାରଣା ବା ଆଗ୍ରହ ନାହିଁ, ସେମାନଙ୍କୁ ସରକାର କରଦାତାଙ୍କ ପ‌ଇସା ଖର୍ଚ୍ଚକରି ବାହାରକୁ ପଠାନ୍ତୁ। ବାହାର ଦୁନିଆ ଦେଖିଲେ କାଳେ ସେମାନଙ୍କ ଆଖି ଖୋଲିବ।

ଏହି ମତାମତ ଯଦି କୌଣସି ବିଭାଗୀୟ ବଡ଼ ଅଧିକାରୀ ପଢନ୍ତି, ସେ ହୁଏତ କହିପାରନ୍ତି ଆମେ ରାଜଧାନୀରେ ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ପରି ଭିତ୍ତିଭୂମି ତିଆରି କରିବାକୁ ଯାଉଛୁ। କିନ୍ତୁ ସେମାନଙ୍କୁ ମୋର କହିବା କଥା ହେଉଛି ସାଧାରଣତଃ କମ୍‌ ଖର୍ଚ୍ଚରେ ଆୟୋଜିତ ହେଉଥିବା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ପ୍ରଦର୍ଶନୀ ପାଇଁ ୟୁନିଟ୍‌-୩ ଭଳି ପଡ଼ିଆର ସବୁବେଳେ ଆବଶ୍ୟକତା ରହିଛି। ତେଣୁ ବିନମ୍ର ଅନୁରୋଧ ଯେ ଅବସ୍ଥା ଦେଖି ଆଜିଠାରୁ ବ୍ୟବସ୍ଥା କରିବାକୁ ଚିନ୍ତା କରନ୍ତୁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‌ ଚ୍ୟାନେଲ୍‌ର ପ୍ରତିଷ୍ଠାତା ଓ ସମ୍ପାଦକ | rath.nilambar@gmail.com)


Viewing all articles
Browse latest Browse all 11715