ଭୁବନେଶ୍ୱର, ୮।୧।୨୦୧୭ (ଓଡ଼ିଶାଲାଇଭ୍ ବ୍ୟୁରୋ): ଆଜି ଯଦି କେହି ଗୁଗଲ୍ କରି ଜାଣିବାକୁ ଚାହିଁବେ ପୃଥିବୀର ଆଇଟି କ୍ଷେତ୍ରରେ ଶିଖର ଛୁଇଁଥିବା ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କର ତାଙ୍କ ପେସା ଓ ପ୍ରେମ ସହିତ ପ୍ରଥମେ କେଉଁଠି ଭେଟ ହୋଇଥିଲା, ହୁଏତ ଓଡ଼ିଶାଲାଇଭ୍ର ଏହି ରିପୋର୍ଟ ତା’ର ଉତ୍ତର ଦେଇପାରିବେ।
ଆଇଆଇଟି ଖଡଗ୍ପୁରର ୧୯୯୩ ବ୍ୟାଚ୍ର ପି ସୁନ୍ଦରାଜନ ବା ଆଜିର ସୁନ୍ଦର ପିଚାଇ ଅନ୍ୟ ଅନେକ ତରୁଣଙ୍କ ଭଳି ନିଜ ପ୍ରେମିକାକୁ ଭେଟିବାକୁ ଲେଡିଜ୍ ହଷ୍ଟେଲ୍ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ତାଙ୍କର ପତ୍ନୀ ଓ ତତ୍କାଳିନ ପ୍ରେମିକା ଅଞ୍ଜଳିଙ୍କୁ ସୁନ୍ଦର ଆଇଆଇଟି ଖଡଗପୁରରେ ହିଁ ଭେଟିଥିଲେ। ସେମାନେ ଉଭୟ ଥିଲେ କ୍ଲାସ୍ମେଟ୍। ନିକଟରେ ଆଇଆଇଟି ଖଡଗପୁରରେ ଆସି ସେ ସ୍ମୃତିକୁ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି ଏହି ଆଇଟି ବାଦ୍ଶାହ ମିଷ୍ଟର ପିଚାଇ।
କେବଳ ପ୍ରେମ ନୁହେଁ, ଆଜିଆଇଟି ବା କମ୍ପ୍ୟୁଟର ଉପରେ ଆଧାରିତ ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ ବ୍ୟକ୍ତିତ୍ୱ ସୁନ୍ଦର ପିଚାଇ, ତାଙ୍କ ଜୀବନରେ କମ୍ପ୍ୟୁଟରର ପ୍ରଥମ ପରିଚୟ ମଧ୍ୟ ପାଇଥିଲେ ଆଇଆଇଟି ଖଡଗ୍ପୁରରେ। ଛାତ୍ରାବସ୍ଥାରେ ଜଣେ ଲାଜକୁଳା ମଣିଷ ହିସାବରେ ପରିଚିତ ସେଦିନର ଏହି ଦକ୍ଷିଣ ଭାରତୀୟ ଯୁବକ ପ୍ରାୟ ୨୩ ବର୍ଷ ପରେ ଆଇଆଇଟି ଖଡଗ୍ପୁର ଆସି ଅନୁଷ୍ଠାନର ଟାଗୋର୍ ଓପନ୍ ଏୟାର୍ ଅଡିଟୋରିୟମ୍ରେ ଛାତ୍ରମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ। ପିଚାଇଙ୍କୁ ଭେଟିବା, ତାଙ୍କୁ ଶୁଣିବା ଓ ତାଙ୍କ ସହ ସେଲ୍ଫି ନେବା ପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ଏକ ମ୍ୟାଡ୍ରସ୍ ଦେଖିବାକୁ ମିଳିଥିଲା। ସୁନ୍ଦରଙ୍କ ଏହି ଗସ୍ତକୁ ଇମୋସନାଲ୍ ହୋମ୍କମିଂ ବୋଲି ବର୍ଣ୍ଣନା କରାଯାଉଛି।
ମାଡ୍ରାସ୍ର ଯୁବକ ସୁନ୍ଦର ହିନ୍ଦୀରେ ଦୁର୍ବଳ ଥିଲେ। ‘ଆବେ ସାଲେ’ କହି ଲୋକଙ୍କୁ ସମ୍ବୋଧନ କରାଯାଏ ବୋଲି ତାଙ୍କର ଧାରଣା ଥିଲା। ଦିନେ ମେସ୍ ମ୍ୟାନେଜରଙ୍କୁ ‘ଆବେ ସାଲେ’ ବୋଲି ଡାକିବାରୁ ସେଠାରେ ଏକ ପ୍ରକାରର ଝଡ଼ ବହି ଯାଇଥିଲା।
ସୁନ୍ଦର ତାଙ୍କର ଏହି ଗସ୍ତ ସମୟରେ ଆଇଆଇଟି ଖଡଗପୁର ଛାତ୍ରାବାସର ଯେଉଁ ରୁମ୍ରେ ରହି ସେ ପାଠ ପଢୁଥିଲେ, ସେଠିକୁ ଯାଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ପିଚାଇ ତାଙ୍କ ଟ୍ୱିଟରରେ ‘ଓଲ୍ଡ୍ ଡର୍ମ୍ ରୁମ୍’ ବୋଲି ଲେଖିଛନ୍ତି।