ଭୁବନେଶ୍ୱର, ୨୪।୧୧।୨୦୧୬ (ଓଡ଼ିଶାଲାଇଭ୍ ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କ ଜୀବନି ଉପରେ ଆଧାରିତ ପୁସ୍ତକ ‘ଶତାବ୍ଦୀର ଦୂରଦ୍ରଷ୍ଟା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଦ୍ୱାରା ସମ୍ପାଦିତ ତଥା ‘ଓଡ଼ିଶାଲାଇଭ୍’ ମିଡିଆ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ନୂଆଦିଲ୍ଲୀର ଜବାହାରଲାଲ୍ ନେହରୁ ଷ୍ଟାଡ଼ିୟମ୍ରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ଉପରାଷ୍ଟ୍ରପତି ମହମ୍ମଦ ହମିଦ୍ ଅଲ୍ସାରୀ ଓ ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
୨୫୫ ପୃଷ୍ଠା ବିଶିଷ୍ଟ ଏହି ସଂକଳନରେ ଓଡ଼ିଆ ଏବଂ ଇଂରାଜୀ, ଦୁଇଟି ବିଭାଗରେ ବି୍ଜୁବାବୁଙ୍କ ଜୀବନ, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା, ଜାତୀୟ ଓ ଅନ୍ତର୍ଜାତୀୟ ରାଜନୀତିରେ ବିଜୁ ପଟ୍ଟନାୟକଙ୍କ ଭୂମିକା, ବିଶେଷକରି ଆଧୁନିକ ଓଡ଼ିଶାରେ ବିକାଶର ନୂଆ ଧାରା ଆଣିବାରେ ତାଙ୍କର ସ୍ୱପ୍ନ ଓ ଦୂରଦୃଷ୍ଟି ଆଦି ବିଷୟ ରହିଛି। ମୁଖ୍ୟତଃ ବିଜୁବାବୁଙ୍କ ଉପରେ ସୂଚନାଧର୍ମୀ ପ୍ରବନ୍ଧ ଏବଂ ତାଙ୍କ ଜୀବନ ଓ କାର୍ଯ୍ୟଧାରାକୁ ପାଖରୁ ଲକ୍ଷ୍ୟ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁଭୂତି – ଏହି ଦୁଇଟି ଭାଗରେ ଲେଖାଗୁଡିକ ପ୍ରସ୍ତୁତ କରାଯାଇଛି। ଏହି ସଂକଳନରେ ରାଜ୍ୟର ବରିଷ୍ଠ ରାଜନେତା, ଲେଖକ, ସାମ୍ବାଦିକ, ଗବେଷକ, ଅଧ୍ୟାପକ ଏବଂ ବିଜୁ-ସହଯୋଗୀଙ୍କ ଲେଖା ପ୍ରକାଶ ପାଇଛି।
‘ଶତାବ୍ଦୀର ଦୂରଦ୍ରଷ୍ଟା’ ପୁସ୍ତକର ଆଉ ଏକ ଆକର୍ଷଣ ହେଉଛି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନକୁ ନେଇ ରହିଥିବା ବିରଳ ଓ ସ୍ମରଣୀୟ ଫଟୋଗ୍ରାଫ୍। ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଫଟୋ ମୁଦ୍ରିତ ହୋଇ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ଛବିରେ ଉପସ୍ଥାପିତ କରିବାରେ ଏହା ଏକ ବିଶେଷ ଉଦ୍ୟମ।
ଓଡ଼ିଶାକୁ ନେଇ ତାଙ୍କ ସ୍ୱପ୍ନ ପ୍ରସଙ୍ଗରେ ୧୯୯୨ ମସିହାରେ ବିଜୁ ବାବୁ ଦେଇଥିବା ସ୍ମରଣୀୟ ଭାଷଣ ଏହି ପୁସ୍ତକର ଆରମ୍ଭରେ ପ୍ରକାଶିତ ହୋଇଛି। ଏହି ପୁସ୍ତକଟି ବିଜୁବାବୁଙ୍କ ଅଦମ୍ୟ ସାହସ ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ସମ୍ପର୍କରେ ଆଗାମୀ ପିଢିକୁ ସୂଚନା ଦେବା ସହିତ ପ୍ରେରଣା ଦେବ ବୋଲି ଏହି ପୁସ୍ତକରେ ମୁଦ୍ରିତ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଶାର କଳାସଂସ୍କୃତି, ଇତିହାସ ଓ ଜୀବନଧାରା ସହିତ ଏ ମାଟିର ବରପୁତ୍ରମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ କରିବା ଓ ସେସବୁକୁ ପ୍ରିଣ୍ଟ, ଅଡ଼ିଓ ଭିଜୁଆଲ୍ ଓ ଡିଜିଟାଲ୍ ମିଡ଼ିଆ ମାଧ୍ୟମରେ ବର୍ତ୍ତମାନ ଓ ପରବର୍ତ୍ତୀ ପିଢି ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ପକ୍ଷରୁ ଉଦ୍ୟମ କରାଯାଉଛି। ବିଜୁବାବୁଙ୍କ ଉପରେ ରଚିତ ଏହି ପୁସ୍ତକ ‘ଶତାବ୍ଦୀର ଦୂରଦ୍ରଷ୍ଟା’ ଏ ବାବଦରେ ଏକ ଉଦ୍ୟମ ବୋଲି ପୁସ୍ତକର ସମ୍ପାଦକ ତଥା ଓଡ଼ିଶାଲାଇଭ୍ ମିଡ଼ିଆର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି।