ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଖବରକାଗଜ, ଟିଭି ସବୁଠି କରୋନାଜନିତ ଖବର ଲୋକଙ୍କୁ ସ୍ତବ୍ଧ କରି ଦେଉଛି। ଏହାଦ୍ୱାରା ମନରେ ନକରାତ୍ମକ ଚିନ୍ତାଧାରା ଆସୁଛି। କିନ୍ତୁ ଏଭଳି ସ୍ଥିତିରେ ଆମ ପାଖରେ ଗୋଟିଏ ବାଟ ହେଉଛି ସକରାତ୍ମକ ଚିନ୍ତାଧାରା। ତେଣୁ ମନକୁ ସକରାତ୍ମକ ଚିନ୍ତାଧାରା ଆଣିବା ଓ କୋଭିଡର ମୁକାବିଲା କରିବା’’, ‘କେତେ ନୂଆ ବାଟ’ ଭିଡିଓ ସିରିଜ୍ରେ ଯୋଡ଼ି ହୋଇ ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଅନୁ ଚୌଧୁରୀ ଏହା କହିଛନ୍ତି।
କୋଭିଡ୍ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ ଅନୁ ଚୌଧୁରୀ ସକରାତ୍ମକ ମନୋଭାବ ମନରେ ଆଣିବା ଦ୍ୱାରା ହେଉଥିବା ଉପାଦେୟତା ଉପରେ ଗୁରୁତ୍ୱ ଦେଇଛନ୍ତି।
‘‘ମନରେ ସକରାତ୍ମକ ଚିନ୍ତା ନ ଆଣିଲେ ଏହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେତେ ଚିନ୍ତା ବଢ଼େ ତାହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ। ଫଳରେ ଆମେ ଆହୁରି ଅସୁସ୍ଥ ହୋଇଯାଆନ୍ତି। ତେଣୁ ମନରେ ସକରାତ୍ମକ ଭାବନା ଆଣିବା ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହେବ ଆମେ ରୋଗ ସହ ଲଢ଼ିପାରିବା’’, କହିଛନ୍ତି ଅନୁ ଚୌଧୁରୀ।
ସେ ଆହୁରି ମଧ୍ୟ କହିଛନ୍ତି,‘‘କୋଭିଡ ସହିତ ମୁକାବିଲା କରିବାରେ ବଡ଼ ଅସ୍ତ୍ର ହେଉଛି ଟିକା। ତେଣୁ ସମସ୍ତେ ନିଜ ପାଳି ଆସିଲେ ଟିକା ନେବା। ନିଜେ ଟିକା ନେବା ସହିତ ଅନ୍ୟମାନଙ୍କୁ ବି ଟିକା ନେବାକୁ କହିବା। ଏହାସହିତ ଯାହା କୋଭିଡ ନିୟମ ରହିଛି, ଯେମିତିକି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା। ତାହେଲେ ଆମେ କୋଭିଡରୁ ସୁରକ୍ଷିତ ରହିପାରିବା’’।
କୋଭିଡ୍ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।
ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।
The post ମନରେ ସକରାତ୍ମକ ଭାବନା ଆଣିବା, କୋଭିଡ୍ ସହ ଲଢ଼ିବା – ଅନୁ ଚୌଧୁରୀ appeared first on OdishaLIVE.