Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଖାଁ ଖାଁ ବଡ଼ଦାଣ୍ଡ, ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନନୀତି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ପାଇଁ ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଛି।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଏହା ଆଦ୍ୟପର୍ବ। ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ ଦେଉଳୁ ବାହାରି ସ୍ନାନ ମଣ୍ଡପରେ ବିଜେ ହୁଅନ୍ତି। ବରଷକ ପରେ ନିଜ ଭାବର ଠାକୁରଙ୍କୁ ଚର୍ମ ଚକ୍ଷୁରେ ଟିକେ ଦର୍ଶନ କରିବାକୁ ଭକ୍ତ ଧାଇଁ ଆସିଥାଏ ବଡ଼ଦାଣ୍ଡକୁ। ଅଗଣିତ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ସ୍ନାନ ନୀତି ହୋଇଥାଏ। ହେଲେ ଗଲା ବର୍ଷ ପରି ଏବର୍ଷ ବି କରୋନା ପାଇଁ ସବୁ ବିଗିଡ଼ି ଯାଇଛି। କଟକଣା ପାଇଁ ଭକ୍ତ ଘରେ ରହିଛି। ଖାଁ ଖାଁ ପଡ଼ିଛି ବଡ଼ଦାଣ୍ଡ। ବିନା ଭକ୍ତରେ ସ୍ନାନ କରିଛନ୍ତି ମହାପ୍ରଭୁ।ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଆଉ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ ପହଣ୍ଡି ପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସମ୍ପର୍ଣ୍ଣ କରାଯାଇଥିଲା। ସକାଳ ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶଶେଷ ଓ ଦ୍ଵାରପାଳ ପୂଜା ପରେ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି।ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ମେକାପ କରାଯାଇ ନୂଆଲୁଗା ବେଶ ହୋଇଛି। ତେବେ ଗଲାବର୍ଷ ଭଳି ଏଥର ବି କରୋନା ସଂକ୍ରମଣ ହେତୁ ଛେରାପହଁରା ପାଇଁ ଆସିନାହାନ୍ତି ଗଜପତି ମହାରାଜା। ଗଜପତିଙ୍କ ପ୍ରତିନିଧି ନାରାୟଣ ମୁଦିରସ୍ତ ପରମ୍ପରା ରକ୍ଷା ପାଇଁ ଛେରାପହଁରା କରିଛନ୍ତି।

ଛେରାପହଁରା ପରେ ଏବେ ମହାପ୍ରଭୁଙ୍କ ହାତୀବେଶ ଆୟୋଜନ ହେଉଛି। ଏହାପରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ। ଆସନ୍ତା କାଲି ମହାପ୍ରଭୁ ଅଣସର ବିଜେ କରିବେ।ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ୧୪୪ ଧାରା ଲାଗୁ ହୋଇଛି।  ଶୁକ୍ରବାର ଯାଏଁ ଏହା ବଳବତ୍ତର ରହିବ। ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଚେକ୍ ପଏଣ୍ଟ କରିଛି। ପୁରୀକୁ ଯେପରି କେହି ପ୍ରବେଶ ନ କରିପାରିବେ ସେଥିପ୍ରତି ପ୍ରଶାସନ ନଜର ରଖିଛି।

ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। କରୋନା ପାଇଁ ଗଲାବର୍ଷ ପରି ଏଥର ମଧ୍ୟ କେବଳ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ।

The post ଖାଁ ଖାଁ ବଡ଼ଦାଣ୍ଡ, ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନନୀତି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images