ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ସରକାରୀ ତଥ୍ୟ ଅନୁସାରେ ଶନିବାର ରାଜ୍ୟରେ ସର୍ବାଧିକ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ୨ ଲେଖାଏଁ, କଟକ ଓ ଅନୁଗୁଳ ଜିଲ୍ଲାରୁ ମଧ୍ୟ ୨ ଲେଖାଏଁ, ପୁରୀ, ନୂଆପଡ଼ା, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କେନ୍ଦୁଝର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଗଞ୍ଜାମରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୬୧କୁ ବୃଦ୍ଧି ଘଟିଛି।
ଏହାପୂର୍ବରୁ ୨୦୨୦ ଅକ୍ଟୋବର ମାସରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ ନଭେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ଯାଏଁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିବା ସହିତ ମୃତ୍ୟୁସଂଖ୍ୟା ବି କମିଥିଲା। ଏମିତିକି ଜାନୁଆରି ୬ ତାରିଖ ଦିନ ରାଜ୍ୟରେ କରୋନା ମୃତ୍ୟୁ ଶୂନ ଥିଲା।
୨୦୨୦ ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ପ୍ରବେଶ କରିଥିଲାବେଳେ ଏପ୍ରିଲ ୭ ତାରିଖରେ ରାଜ୍ୟରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିଲା। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିଥିଲେ। ତା’ ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବି ବଢ଼ିବା ଆରମ୍ଭ କରିଥିଲା। ଜୁନ୍ ମାସରୁ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦୈନିକ ୧୦ରୁ ୨୦ ଭିତରେ ରହୁଥିଲା। ଏହାକୁ ନେଇ ପୂରା ରାଜ୍ୟରେ ଭୟ ଦେଖାଯାଇଥିଲା। କାରଣ ନଭେମ୍ବର ମାସ ଆଡ଼କୁ କରୋନା ସଂକ୍ରମିତ ସଂଖ୍ୟା ତଳକୁ ଖସି ଥିଲା। ହେଲେ ମୃତ୍ୟୁସଂଖ୍ୟାରେ କିଛି ଫରକ ଦେଖାଯାଇନଥିଲା। ଏବେ ପୁଣି ଥରେ କରୋନା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି।
The post କରୋନାରେ ୨୧ ଜଣଙ୍କ ମୃତ୍ୟୁ – ୮ ମାସରେ ଓଡ଼ିଶାରେ ସର୍ବାଧିକ appeared first on OdishaLIVE.