Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଯଲିଉଡ୍‌କୁ ମାଡ଼ିଲା କରୋନା – ଆଖି ବୁଜିଲେ ହାସ୍ୟାଭିନେତା ଜଗା ରାଉତ ଓ ଅଭିନେତ୍ରୀ ତୃପ୍ତି ପଣ୍ଡା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଯଲିଉଡ୍‌ର ହାସ୍ୟାଭିନେତା ଜଗା ରାଉତ ଓ ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ମଙ୍ଗଳବାର ଦିନ କରୋନାରେ ମୃତ୍ୟୁ ହୋଇଛି।

କରୋନା ମହାମାରୀ କେତେବେଳେ କାହାର ଜୀବିକା ଛଡ଼ାଇ ନେଉଛି, ତ ପୁଣି କେତେବେଳେ କାହାର ଜୀବନ ନେଉଛି। ଏହାରି ମଧ୍ୟରେ ଦୁଇ ଦକ୍ଷ କଳାକାରଙ୍କୁ ହରାଇଛି ଓଡ଼ିଆ ଯଲିଉଡ୍ ଜଗତ। ଗୋଟିଏ ଦିନରେ ଦୁଇଜଣ ଜଣାଶୁଣା କଳାକାରଙ୍କର ଜୀବନ ନେଇଛି କରୋନା। ଜଣେ ଯାତ୍ରା ମଞ୍ଚରେ ହଜାର ହଜାର ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବାବେଳେ, ଆଉ ଜଣେ ନିଜର ନିପୂଣ କଳା ମାଧ୍ୟମରେ ଦର୍ଶକଙ୍କ ମନ ଜିଣୁଥିଲେ। ସେ ଦୁଇଜଣ ହେଉଛନ୍ତି ଯାତ୍ରା ଜଗତର ବର୍ଷିଆନ୍ ହାସ୍ୟ ଅଭିନେତା ଜଗା ରାଉତ ଓ ଲୋକପ୍ରିୟ ଅଭିନେତ୍ରୀ ତୃପ୍ତି ପଣ୍ଡା।

ହାସ୍ୟ ଅଭିନେତା ଜଗା ରାଉତ

ମଞ୍ଚରେ ଦର୍ଶକଙ୍କୁ ହସାଉଥିବା ଅଭିନେତା ଜଗା ରାଉତ, ଆଜି ନିଜେ ନୀରବି ଯାଇଛନ୍ତି। କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗାଁରେ ସେ ଜନ୍ମ ନେଇଥିଲେ। ଉତ୍ତରାୟଣୀ ଅପେରାରୁ ନିଜର ଯାତ୍ରା କ୍ୟାରିୟର୍ ଆରମ୍ଭ କରିଥିଲେ ଜଗା ରାଉତ । ସେ ଦୀର୍ଘ ୬୨ ବର୍ଷ ଧରି ଯାତ୍ରା ଜଗତରେ ଅଭିନୟ କରିଛନ୍ତି। ୧୯୬୮ ମସିହାରେ ସାତଶଙ୍ଖ ଗଣନାଟ୍ୟରେ ଯୋଗଦେଇ ପ୍ରଥମେ ସଫଳତା ସାଉଣ୍ଟିଥିଲେ। ୨୦୦୨ରେ ସେ କୋଣାର୍କ ଗଣନାଟ୍ୟରେ ଯୋଗ ଦେଇଥିଲେ। ପରେ ୨୦୦୮ ମସିହାରେ ସେ କଳିଙ୍ଗ ଗଣନାଟ୍ୟରେ ନିଜର ଅଭିନୟର କଳା ଦେଖାଇଥିଲେ। ସେ ପ୍ରାୟ ୫ଶହରୁ ଅଧିକ ଯାତ୍ରାରେ ଅଭିନୟ କରିଥିଲେ। ଓଡ଼ିଶା ଯାତ୍ରା ଜଗତରେ ଜଣେ ପ୍ରସିଦ୍ଧ ହାସ୍ୟ କଳାକାର ଭାବେ ସେ ବେଶ ଜଣାଶୁଣା। ଅନେକ ତାଙ୍କୁ ଯାତ୍ରା ଜଗତର ମଉସା ନାମରେ ମଧ୍ୟ ଜାଣନ୍ତି। ଖାଲି ଯାତ୍ରା ନୁହେଁ, ସେ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ତାଙ୍କ ଯାତ୍ରା ଭିତରେ ‘ରାଜଧାନୀ ତତେ ଦୁରୁ ଜୁହାର’, ‘ନକହିଲେ କୂଳ ଭାସିଯାଉଛି’, ଆକାଶ କଇଁଆ ଚିଲିକା ମାଛ’, ‘ବୋହୂ ଆଣିଥିଲି ବେଶ୍ୟାପଡ଼ାରୁ’, ‘କହଲୋ ବଉଳ କିଏ ତୋ ବର’ ଇତ୍ୟାଦିକୁ ବେଶ୍ ସଫଳତା ମିଳିଥିଲା। ଏହିସବୁ ଯାତ୍ରାରେ ଜଗା ରାଉତଙ୍କ ଅଭିନୟକୁ ଲୋକେ ଭୁଲି ପାରୁନାହାଁନ୍ତି।

ଏପ୍ରିଲ ୨୨ରେ କରୋନାରେ ଆକ୍ରାନ୍ତ ହେବାପରେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜଗା ରାଉତଙ୍କ ମୃତ୍ୟୁ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

ଅଭିନେତ୍ରୀ ତୃପ୍ତି ପଣ୍ଡା

ଯଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ତୃପ୍ତି ପଣ୍ଡା। କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୦ବର୍ଷ ହୋଇଥିଲା। କୋଣାର୍କ ଗଣନାଟ୍ୟରୁ ସେ ତାଙ୍କର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ପରେ ଇଷ୍ଟର୍ଣ୍ଣ ଅପେରାରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ନିକଟତର ହୋଇପାରିଥିଲେ ତୃପ୍ତି ପଣ୍ଡା। କିଛିଦିନ ତଳେ ତୃପ୍ତି ଓ ତାଙ୍କ ସ୍ୱାମୀ ସୁଶାନ୍ତ ପଣ୍ଡା ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦୁଇ ଦିନ ପୂର୍ବରୁ ତୃପ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବାବେଳେ, ଏବେବି ତାଙ୍କ ସ୍ୱାମୀ ଚିକିତ୍ସାଧୀନ ଅଛନ୍ତି। ତୃପ୍ତି ପଣ୍ଡା ହେଉଛନ୍ତି ଯାତ୍ରା ଜଗତର ପ୍ରଖ୍ୟାତ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ।

ଖୁବ୍ କମ ବୟସରେ ଯାତ୍ରା ଜଗତରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ତୃପ୍ତି ପଣ୍ଡା ‘ବଦନାମ ଗଳିର ଝିଅ’ ନାଟକରେ ଲିଡ୍ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୦ରୁ ଅଧିକ ନାଟକରେ ଅଭିୟନ କରିସାରିଥିଲେ। ତୃପ୍ତିଙ୍କର ଗୋଟିଏ ୫ ବର୍ଷର ଝିଅ ଅଛି। ତାଙ୍କ ମୃତ୍ୟୁରେ ଯାତ୍ରା ଜଗତରେ ଦୁଃଖର ଛାୟା ଖେଳିଯାଇଛି।

The post ଯଲିଉଡ୍‌କୁ ମାଡ଼ିଲା କରୋନା – ଆଖି ବୁଜିଲେ ହାସ୍ୟାଭିନେତା ଜଗା ରାଉତ ଓ ଅଭିନେତ୍ରୀ ତୃପ୍ତି ପଣ୍ଡା appeared first on OdishaLIVE.


Viewing all articles
Browse latest Browse all 11715

Trending Articles