ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ଉଷ୍ମ ହେଲାଣି ପିପିଲିର ରାଜନୀତିକ ମଇଦାନ। ସକାଳୁ ରାତି ଯାଏଁ ଜିନ୍ଦାବାଦ୍ ଆଉ ନାରାବାଜିରେ କମ୍ପୁଛି ପିପିଲିର ଗାଁଦାଣ୍ଡ। ବିଭିନ୍ନ ପ୍ରସଙ୍ଗ ନେଇ ଘରକୁ ଘର ବୁଲି ଭୋଟ୍ ମାଗିବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀମାନେ। କାହା ଉପରେ ଆସ୍ଥା ଦେଖାଇବେ ପିପିଲିବାସୀ। କିଏ ପିନ୍ଧିବ ପିପିଲି ଆସନର ବିଜୟ ମୁକୁଟ। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି।
ମିଶନ ପିପିଲି ପାଇଁ ସ୍ଥାନୀୟ ନେତାଙ୍କଠାରୁ ବିଭିନ୍ନ ଦଳର ହେଭିଓ୍ଵେଟ୍ ନେତା, ସବୁ ଏବେ ପିପିଲି ମୁହାଁ ହୋଇଛନ୍ତି। ପଞ୍ଚାୟତ, ଓ୍ଵାର୍ଡକୁ ଭାଗ ଭାଗ କରି ପିପିଲିରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ଡେରା ପକାଇଛନ୍ତି।୩୫ ମାସ ପାଇଁ ସୁଶାସନକୁ ବାଛିବେ ପିପିଲିବାସୀ – ଆଶ୍ରିତ ପଟ୍ଟନାୟକ
ଫାଟିବ ଶଙ୍ଖ, ଫୁଟିବ ପଦ୍ମ… ମା’ ମାଉସୀଙ୍କୁ ରହିଲା ରାଣ, ରିକୁ ଭାଇକୁ ଜିତାଇ ଆଣ…, ପରିବାଦର ଅନ୍ତ ହେବ, ପିପିଲିରେ ଏଥର ପଦ୍ମ ଫୁଟିବ… ୩୫ ବର୍ଷ ବନାମ ୩୫ ମାସ। ଏଭଳି ନାରାବାଜିରେ କମ୍ପୁଛି ପିପିଲିର ଗାଁ ଦାଣ୍ଡ। ଏଥର ଉପନିର୍ବାଚନରେ ପିପିଲି ଆସନ ହାତେଇବାକୁ ଜୋର୍ଦାର ପ୍ରସ୍ତୁତି ଚଳାଇଛି ବିଜେପି। ଗତଥରର ଭୋଟ୍ ଦଳକୁ ମାଇଲେଜ ଦେଇଛି। ତେଣୁ ଏଥର ଉପନିର୍ବାଚନୀ ବୈତରଣୀକୁ ଖୁବ୍ ସହଜରେ ପାର୍ କରିବା ନେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ୍ ଆଶାବାଦୀ ଅଛନ୍ତି। ଏଥିପାଇଁ ଡୋର୍ ଟୁ ଡୋର୍ କ୍ୟାମ୍ପେନକୁ ଗୁରୁତ୍ଵ ଦେଇଛି ବିଜେପି। ବିରାଟ ବିରାଟ ବାଇକ ରାଲିରେ ପଞ୍ଚାୟତଓ୍ଵାରୀ ପ୍ରଚାର ଜମୁଛି।“୩୫ ବର୍ଷ ଧରି ପିପିଲିକୁ କୁଶାସନରେ ରଖିଥିବା ଶାସକ ଦଳକୁ ଏଥର ଭୋଟରମାନେ ପ୍ରତ୍ୟାଖାନ କରିବେ। ଲୋକମାନେ ଏବେ ପିପିଲିରେ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ଭାରତୀୟ ଜନତା ପାର୍ଟିରେ ମୋହର ଲଗାଇ ଆଗାମୀ ୩୫ ମାସ ପାଇଁ ସୁଶାସନକୁ ବାଛିବେ ପିପିଲିବାସୀ”, କହିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।
ଆଶ୍ରିତ ଆହୁରି ମଧ୍ୟ କହିଛନ୍ତି, “ପିପିଲିବାସୀଙ୍କ ପାଖରେ ଏଯାଏଁ ଫନି ସହାୟତା ପହଞ୍ଚିପାରିନି। ଏ ଅଞ୍ଚଳକୁ କେନାଲ ଅଛି, କିନ୍ତୁ ଜଳ ସେଚନର ସୁବିଧା ନାହିଁ। ଗୋଟିଏ ପରିବାରର ସ୍ଵାର୍ଥ ପାଇଁ ଆଜି ପିପିଲି ବିନାଶ ଆଡ଼କୁ ଯାଇଛି। ଏହିସବୁ ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଯାଉଛି। ଗତ ନିର୍ବାଚନରେ ପିପିଲିବାସୀଙ୍କ ଭଲ ସହଯୋଗ ମିଳିଥିଲା। ତେଣୁ ଏଥର ପିପିଲିବାସୀ ବିଜେପିକୁ ନିଶ୍ଚୟ ସୁଯୋଗ ଦେବେ।”ପୁଣି ପିପିଲିରେ ବାଜିବ ଶୁଭ ଶଙ୍ଖ – ରୁଦ୍ର ମହାରଥୀ
ବାପାଙ୍କ ପରେ ପୁଅ। ଏଥର ବି ପିପିଲି ଆସନର ମୁକୁଟ ମହାରଥୀଙ୍କ ପରିବାରକୁ ଯିବ। ନବୀନଙ୍କ ଭାବମୂର୍ତ୍ତି ଆଗରେ ଫେଲ୍ ମାରିବ ମୋଦୀ ଲହର। ପିପିଲିର ସୁଖ ଦୁଃଖର ସାଥୀ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଧାୟକ କରିବେ ପିପିଲିବାସୀ। ପିପିଲି ଉବନିର୍ବାଚନକୁ ନେଇ ଏପରି ଆଶାବାଦୀ ଅଛି ଶାସକ ବିଜୁ ଜନତା ଦଳ।ସକାଳ ୮ଟାରୁ ପ୍ରଚାର ଆରମ୍ଭ ହୋଇ ଶେଷ ହେବାକୁ ରାତି ୧୦ ବାଜି ଯାଉଛି। ପ୍ରତିଦିନ ୮ରୁ ୧୦ ପଞ୍ଚାୟତରେ ବିଜେଡିମାର୍କା ପତାକା ଉଡ଼ାଉଛନ୍ତି ଦଳୀୟକର୍ମୀ। ବାଇକ୍ ରାଲି, ଖୋଲା ଜିପ୍ ଆଉ ପଦଯାତ୍ରା ଜରିଆରେ ପ୍ରଚାରକୁ ଏପରି ଦମ୍ଦାର କରୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ଗାଁ ଗାଁ ବୁଲି ମା’ ମାଉସୀଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ବାପାଙ୍କ ପରି ସମସ୍ତଙ୍କ ସୁଖ ଦୁଃଖରେ ଛିଡ଼ାହେବେ, ପିପିଲିର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛନ୍ତି।
“ବାପାଙ୍କୁ ପିପିଲିବାସୀ ଭଲ ପାଉଥିଲେ। ଏଥିପାଇଁ ତାଙ୍କୁ ୭ଥର ସୁଯୋଗ ଦେଇଥିଲେ। ମୋ ପାଇଁ ବି ସେହି ସମାନ ଭଲ ପାଇବା ରହିବ, ଆଉ ମୁଁ ମଧ୍ୟ ସଂକଳ୍ପ କରୁଛି ପିପିଲି ପାଇଁ ବାପା ଦେଖିଥିବା ସ୍ଵପ୍ନକୁ ମୁଁ ପୁରା କରିବି। ଅଧାରେ ରହିଥିବା କାମକୁ ଶେଷ କରିବି”, କହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ।ପୋଷ୍ଟର, ବ୍ୟାନରରେ ସୀମିତ କଂଗ୍ରେସ
ପିପିଲି ଉପନିର୍ବାଚନ ପାଇଁ ବିଜେଡି ଆଉ ବିଜେପି ପକ୍ଷରୁ ଦମ୍ଦାର ପ୍ରଚାର ହେଉଥିବା ବେଳେ ପଛରେ ପଡ଼ିଯାଇଛି କଂଗ୍ରେସ। ପିପିଲିର ଗାଁ ଦାଣ୍ଡରେ କାଁ ଭାଁ ହାତ ଚିହ୍ନ ମାର୍କା ପୋଷ୍ଟର ଆଉ ବ୍ୟାନର ଦେଖିବାକୁ ମିଳୁଛି। ବିଜେଡି, ବିଜେପି ପରି କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ରାଲି ଦେଖିବାକୁ ମିଳୁନି। କଂଗ୍ରେସର ସ୍ଥିତି ଆଗପରି ଆଉ ନାହିଁ ବୋଲି ପିପିଲିବାସୀ କହୁଛନ୍ତି।
କିନ୍ତୁ ପିପିଲି ବଜାର ମୁଖ୍ୟ ରାସ୍ତାରେ ଘଣ୍ଟାକୁ ଘଣ୍ଟା କଂଗ୍ରେସ ପ୍ରଚାର ଗାଡ଼ି ଘେରା ମାରୁଥିବା ଦେଖିବାକୁ ମିଳୁଛି। ପ୍ରତି ପଞ୍ଚାୟତରେ ସାଂଗଠନିକ କର୍ମୀମାନେ ଭୋଜିଭାତର ଆସର ଜମାଉଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ବେଶି ପ୍ରଚାର ହେଉ ନଥିବା ପିପିଲିର ଜନସାଧାରଣ କହୁଛନ୍ତି। ଦିବଙ୍ଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି-ଡେଲାଙ୍ଗ ବିଧାୟକ ପଦ ଖାଲି ପଡ଼ିଛି। ଏଥିପାଇଁ ଏପ୍ରିଲ ୧୭ ତାରିଖରେ ଉପନିର୍ବାଚନୀ ଭୋଟ୍ ହେବ। ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଆସନ୍ତା ୩୫ ମାସ ପାଇଁ ପିପିଲି-ଡେଲାଙ୍ଗର ବିଧାୟକ କରିବେ। ମେ’ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।
The post ପ୍ରଚାରରେ କମ୍ପୁଛି ପିପିଲି – ମହାଲଢ଼େଇରେ ରୁଦ୍ର ଓ ଆଶ୍ରିତ, ପଛରେ ପଡ଼ିଲେ ଅଜିତ appeared first on OdishaLIVE.