ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କୃଷି ଆଇନ ବିରୋଧରେ ମାର୍ଚ୍ଚ ୨୬ରେ ପୁଣି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ। ବନ୍ଦ ବେଳେ ଦେଶବ୍ୟାପୀ ରାସ୍ତାଘାଟ, ରେଳ ପରିବହନ ଏବଂ ଦୋକାନବଜାର ଆଦି ବନ୍ଦ ରଖାଯିବ ବୋଲି କୃଷକନେତାମାନେ କହିଛନ୍ତି।
କେନ୍ଦ୍ର ସରକରାଙ୍କ ୩ଟି କୃଷି ବିଲକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆସନ୍ତା କାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବ। ତେଣୁ କାଲିର ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବାସୀଙ୍କୁ ଅପିଲ କରିଛି।ମାର୍ଚ୍ଚ ୨୬ ଭାରତ ବନ୍ଦକୁ ସଫଳ କରିବାକୁ କୃଷକ ନେତା ଦର୍ଶନ ପାଲ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି,”କୃଷକ ଆନ୍ଦୋଳନକୁ ୪ ମାସ ପୁରିଛି। କିନ୍ତୁ ସରକାର ଏଯାଏଁ ଚାଷୀମାନଙ୍କ ଦାବିକୁ ଗ୍ରହଣ କରୁନାହାନ୍ତି। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ।”
ଶାନ୍ତିପୂର୍ଣ୍ଣ ଭାବେ ଏହି ଭାରତ ବନ୍ଦକୁ ପାଳନ କରିବାକୁ କୃଷକ ନେତା ବୁଟାସିଂ ବୁର୍ଜଗିଲ ଦେଶବାସୀଙ୍କୁ କହିଛନ୍ତି। କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବା ସୂଚନା ମିଳିଛି। ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡିଙ୍କ ସରକାର ମଧ୍ୟ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
The post କାଲି ଭାରତ ବନ୍ଦ – ସକାଳ ୬ରୁ ସନ୍ଧ୍ୟା ୬ ବନ୍ଦ ରହିବ ପରିବହନ ସେବା appeared first on OdishaLIVE.