ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଖେଳପଡ଼ିଆରେ ଚାଲିଥିବା କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ତୃତୀୟ ଦିନରେ ପହଞ୍ଚିଛି। ଏହି ଅବସରରେ ପ୍ରତିଦିନ ‘ପାଠଶାଳା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ‘କୃଷି ଓଡ଼ିଶା-୨୦୨୧ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଷୀ ଭାଇମାନଙ୍କର ସମୂହ ସ୍ୱାର୍ଥ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।
ମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଆଞ୍ଚଳିକ ଆରବିଆଇ ନିର୍ଦ୍ଦେଶକ ଏଚ୍ ଏନ୍ ପଣ୍ଡା, ଭୁବନେଶ୍ୱର ଦକ୍ଷିଣ ବିଧାୟକ ସୁଶାନ୍ତ କୁମାର ରାଉତ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ମୁଥୁ କୁମାର, ମୃତ୍ତିକା ରକ୍ଷଣଶୀଳ ଓ ଜଳପ୍ରବାହ ବିକାଶ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା।
“ଆଗକୁ ଚାଷୀ ସମସ୍ତ ସୁବିଧା ଅନଲାଇନରେ ପାଇବେ, ସେନେଇ ରାଜ୍ୟ ସରକାର କାମ ଆରମ୍ଭ କରିସାରିଲେଣି। ଓଡ଼ିଶା ଚାଷୀଙ୍କ ଆୟ ଦୁଇଗୁଣ କରିବା ସରକାରଙ୍କ ଲକ୍ଷ୍ୟ। ଏଣିକି ସରକାରଙ୍କ ସବୁ ସ୍କିମ ପଇସା, ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ” କହିଛନ୍ତି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ମୁଥୁ କୁମାର।
କିଭଳି ବ୍ୟାଙ୍କରୁ ଋଣ ସହଜରେ ମିଳିପାରିବ, ସେନେଇ ପାଠଶାଳାରେ ପ୍ରଶ୍ନ କରିଥିଲେ ସମସ୍ତ ଚାଷୀ। ବ୍ୟାଙ୍କ ଜରିଆରେ ଜଣେ ଚାଷୀର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ଆଞ୍ଚଳିକ ଆରବିଆଇ ନିର୍ଦ୍ଦେଶକ ଏଚ୍ ଏନ୍ ପଣ୍ଡା।
ସେ କହିଥିଲେ, ଚଳିତ ବର୍ଷ କୃଷି ଓଡ଼ିଶାର ଥିମ ସମନ୍ୱିତ ଚାଷୀ ଓ ଚାଷୀଙ୍କ ବିକାଶକୁ ଗୁରୁତ୍ୱ ଦେଇ କାମ କରୁଛି ବ୍ୟାଙ୍କ। ଓଡ଼ିଶା ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କୃଷି। ଦୀର୍ଘ ୨୦ବର୍ଷରେ ଚାଷ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ସରଳୀକରଣ ଉପାୟ ଅବଲମ୍ବନ କରି ଚାଷୀଙ୍କୁ ଋଣ ଯୋଗାଇ ଦେବା ବ୍ୟାଙ୍କର ଲକ୍ଷ୍ୟ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ ଚାଷୀଙ୍କୁ ଋଣ ଯୋଗାଉଛି।
ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଓଡ଼ିଶା ସରକାରଙ୍କ ମିଲେଟ୍ସ ମିଶନର କାର୍ଯ୍ୟକାରିତାକୁ ଉଚ୍ଛ ପ୍ରଶଂସା କରାଯାଇଥିଲା।
ବୁଧବାର ପାଠଶାଳାରେ ତିନୋଟି ସେମିନାର କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରଥମ ସେମିନାରର ମୁଖ୍ୟ ବିଷୟ ବସ୍ତୁ ରହିଥିଲା ‘କୁକୁଡ଼ା ପାଳନ – ଏକ କ୍ରମବର୍ଦ୍ଧିଷ୍ଣୁ ଉଦ୍ୟୋଗ’, ଦ୍ୱିତୀୟ ସେମିନାରର ଥିଲା ଉଦ୍ୟୋଗୀମାନଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋପାଳନ ଏବଂ ଶେଷରେ କୃଷି ଉତ୍ପାଦନ ବୃଦ୍ଧିରେ ସମନ୍ୱିତ ଚାଷର ଭୂମିକା ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ମଞ୍ଚାସୀନ କୃଷି ବିଶେଷଜ୍ଞ।
The post କୃଷି ଓଡ଼ିଶାର ତୃତୀୟ ଦିନ – ଚାଷୀଙ୍କ ସମୂହ ସ୍ୱାର୍ଥ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ appeared first on OdishaLIVE.