ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଟିକାକରଣ ପାଇଁ ଜାନୁଆରି ୨ ତାରିଖରୁ ସବୁ ରାଜ୍ୟରେ ଡ୍ରାଏ ରନ୍ ଆରମ୍ଭ ହେବ। ପ୍ରତି ରାଜ୍ୟର ରାଜଧାନୀରେ ଏହି ପ୍ରକ୍ରିୟାରେ ଡମି ଟିକାକରଣ କରାଯିବ। ଗୁରୁବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ପୂର୍ବରୁ ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି ରାଜ୍ୟ ଆନ୍ଧପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ଡ୍ରାଏ ରନ୍ ଶେଷ ହୋଇଛି। ଏହି ୪ଟି ରାଜ୍ୟରେ ୧୦୦ଜଣ ଲେଖାଏଁ ଲୋକଙ୍କୁ ନେଇ ଡମି ଟିକା ଦିଆଯାଇଛି।ଏହି ଡ୍ରାଏ ରନ୍ ଫଳପ୍ରଦ ହୋଇଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ଏହି ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ, କରୋନା-୧୯ ଟିକାକରଣ ପାଇଁ ଆମ ଦେଶ ପ୍ରସ୍ତୁତ ଅଛି।
ସେହିପରି ଓଡ଼ିଶାରେ ଡ୍ରାଏ ରନ୍ ବାବଦରେ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ବୁଧବାର କହିଥିଲେ ଯେ, ଟିକାକରଣ ପୂର୍ବରୁ ଡ୍ରାଏ ରନ୍ ଏକ ଭଲ ପ୍ରକ୍ରିୟା। ତେବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପ୍ରାଥମିକ ପର୍ଯ୍ୟୟରେ ୪ଟି ରାଜ୍ୟକୁ ଡ୍ରାଏ ରନ୍ ପାଇଁ ଅନୁମତି ଦେଇଛନ୍ତି। ତେବେ ଓଡ଼ିଶା ମଧ୍ୟ ଡ୍ରାଏ କରିବା ପାଇଁ ପ୍ରସ୍ତୁତ ରହିଛି। ଯେବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବ, ଓଡ଼ିଶାରେ ଡମି ଟିକାକରଣ ଆରମ୍ଭ ହେବ।
ଡ୍ରାଏ ରନ୍ କ’ଣ?
କୌଣସି ଏକ କାର୍ଯ୍ୟ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଉକ୍ତ କାର୍ଯ୍ୟ ପାଇଁ ଏକ ଅଭ୍ୟାସ କରିବାକୁ ଡ୍ରାଏ ରନ୍ କୁହାଯାଏ। ଯେପରି ଯୁଦ୍ଧ ପୂର୍ବରୁ ସେନା ଏକ ଡ୍ରିଲ୍ କରିଥାଏ। ଫଳରେ ସେନା ଯୁଦ୍ଧ ପାଇଁ କେତେ ପ୍ରସ୍ତୁତ ଅଛି, ଯୁଦ୍ଧ ହେଲେ କେତେ କ୍ଷତି ହୋଇପାରେ କିମ୍ଵା ଶତ୍ରୁକୁ ହରାଇବା ପାଇଁ ଆଉ କେତେ ପ୍ରସ୍ତୁତ ହେବାକୁ ପଡ଼ିବ ତାହା ଜଣାପଡ଼େ। ଏହି ପ୍ରକ୍ରିୟା କରାଯିବା ଦ୍ଵାରା କରୋନା ଟିକାକରଣ ପୂର୍ବରୁ ଟିକା ପାଇଁ ଆମ ଦେଶ କେତେ ପ୍ରସ୍ତୁତ ଅଛି ଏବଂ କିପରି ସଫଳତାର ସହ ଟିକାକରଣକୁ କରାଯିବ ସେବାବଦରେ ସରକାରଙ୍କୁ ଏକ ତଥ୍ୟ ମିଳିଯିବ।
The post ଜାନୁଆରି ୨ରୁ ସବୁ ରାଜ୍ୟରେ ହେବ ଡ୍ରାଏ ରନ୍ appeared first on OdishaLIVE.