Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’–ପିଇଲେ ଜାଣିବେ ମଜା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା’ ପିଇବାକୁ ଗ୍ରାହକଙ୍କ ଲମ୍ଵା ଲାଇନ ଲାଗୁଛି।

(କଟକରୁ ବିଶ୍ଵଜିତ ସାହୁ): ଆପଣ କେବେ ଗୁଆଘିଅ ଚା’ ପିଇଛନ୍ତି କି? ଯଦି ପିଇବାକୁ ଚାହୁଛନ୍ତି ତେବେ କଟକ ଆସନ୍ତୁ। କଟକ ବାରବାଟୀ ଷ୍ଟାଡିୟମ ପାଖରେ ରହିଛି ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା’ ଦୋକାନ। ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାବେଳେ ମୁନୁ ଭାଇଙ୍କ ଦୋକାନକୁ ଆସନ୍ତୁ, ଆଉ ଗୁଆଘିଅ ଚା’ର ମଜା ନିଅନ୍ତୁ।

କଟକରେ ଅନେକ ଚା’ ଦୋକାନ ରହିଛି। କିନ୍ତୁ ମୁନୁ ଭାଇଙ୍କ ଗୁଆଘିଅ ଚା’ର ସ୍ଵତନ୍ତ୍ର ସ୍ଵାଦ ପାଇଁ ପ୍ରତିଦିନ ତାଙ୍କ ଦୋକାନକୁ ଶହ ଶହ ଗ୍ରାହକଙ୍କ ଭିଡ଼ ହୋଇଥାଏ। ଦୀର୍ଘ ୨୨ ବର୍ଷ ଧର କଟକିଆଙ୍କୁ ଏକ ନିଆରା ଚା’ର ସ୍ଵାଦ ଦେଇଥିବା ମୁନୁ ଭଆଇଙ୍କ ପୂରା ନାଁ ହେଉଛି ବ୍ରକିଶୋର ଦେ। ଘର କଟକର ଶେଖ ବଜାର ଅଞ୍ଚଳରେ। ବୟସ ପାଖାପାଖି ୭୦ ହେବ। କିନ୍ତୁ ଏ ବୟସରେ ବି ମୁନୁ ଭାଇ ନିଜ ନିଆରା ଚା’ ବ୍ୟବସାୟ ପାଇଁ କଟକରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।କାହିଁକି ହେଲେ ଚା’ ବ୍ୟବସାୟୀ?

ମୁନୁ ଭାଇଙ୍କ ଚା’ ଦୋକାନ କରିବା ପଛରେ ଏକ ଲମ୍ଵା କାହାଣୀ ରହିଛି। ଚା’ ଦୋକାନ କରିବା ପୂର୍ବରୁ ୧୯୭୫ ମସିହା ବେଳକୁ କଟକ ଚଣ୍ଡୀ ମନ୍ଦିର ପାଖରେ ଆରିଷ୍ଟପ ନାମରେ ଏକ ଟେଲର ଦୋକାନ କରିଥିଲେ ମୁନୁ ଭାଇ। ସେତେବେଳ ସମୟରେ ଟେଲର ଜଗତରେ ତାଙ୍କର ବେଶ୍ ଭଲ ନାଁ ଥିବା ରହିଥିବା ନେଇ ସେ କହନ୍ତି। ତେଣୁ ନୂଆ ନୂଆ ସୁଟ୍, କୋଟ୍, ଡିଜାଇନର କୁର୍ତ୍ତା ଆଦିପାଇଁ ମୁନୁ ଭାଇଙ୍କ ପାଖକୁ ଗ୍ରାହକମାନେ ଛୁଟି ଆସୁଥିଲେ।

କିନ୍ତୁ ଯେତେବେଳେ ରେଡିମେଟ୍ ଡ୍ରେସର ଚାହିଦା ବଢ଼ିଗଲା, ଆଗଭଳି ଲୋକେ ଆଉ କୋଟ୍, ସୁଟ୍ ତିଆରି କରିବାପାଇଁ ରାଜି ହେଲେନି। ଟେଲର ବ୍ୟବସାୟ ମାନ୍ଦାରେ ଚାଲିଲା। ତେଣୁ ୧୯୯୮ ମସିହା ବେଳକୁ ଟେଲର ଦୋକାନ ବନ୍ଦ କରି ଚା’ ଦୋକାନ କରିବାକ ମନ ବଳାଇଲେ ମୁନୁ ଭାଇ। ଗଡ଼ଗଡ଼ିଆ ମନ୍ଦିର ପାଖରେ ପ୍ରଥମେ ୨ ଲିଟର କ୍ଷୀରରେ ଚା’ କରି ଏକ ଦୋକାନ ଆରମ୍ଭ କଲେ। କ୍ରମେ ମୁନୁ ଭାଇଙ୍କ ଚା’ ପିଇବାକୁ ଲୋକେ ପସନ୍ଦ କଲେ। ଦୋକାନରେ ଭିଡ଼ ବଢ଼ିଲା। ତେଣୁ ବାରବାଟୀ ପଡ଼ିଆକୁ ଦୋକାନକୁ ସ୍ଥାନାନ୍ତର କରାଗଲା। ଏବେ ପ୍ରତିଦିନ କୁଇଣ୍ଟାଲରୁ ଅଧିକ କ୍ଷୀରରେ ଚା’ ବ୍ୟବସାୟ କରୁଛନ୍ତି ମୁନୁ ଭାଇ। ଗୋଟେ କପ୍ ଗୁଆଘିଅ ଚା’ର ଦାମ୍ ରହିଛି ମାତ୍ର ୧୦ ଟଙ୍କା।ଗୁଆଘିଅ ଚା’ର ସ୍ଵତନ୍ତ୍ରତା

ଗୁଆଘିଅ ମାର୍କା ଚା’ ପାଇଁ ପୂରା କଟକ ସହରରେ ମୁନୁ ଭାଇଙ୍କ ସ୍ଵତନ୍ତ୍ର ପରିଚୟ ରହିଛି। ସହରରେ ଅନେକ ପ୍ରକାରର ଚା’ ମିଳୁଥିଲେ ବି ସକାଳ, ସଞ୍ଜରେ ଗ୍ରାହକମାନେ ମୁନୁ ଭାଇଙ୍କ ଗୁଆଘିଅ ଚା’ ପିଇବାକୁ ଅଧିକ ପସନ୍ଦ କରିଥାନ୍ତି।

ଉଭୟ ମଇଁଷି କ୍ଷୀର ଆଉ ପ୍ୟାକେଟ କ୍ଷୀରରେ ପ୍ରସ୍ତୁତ ହୋଇଥାଏ ଏହି ଗୁଆଘିଅ ଚା’। ପ୍ରଥମେ କ୍ଷୀରର ସରକୁ ଘିଅ ପାଇଁ ଚୁଲିରେ ବସାହୁଏ। ଯେତେବେଳେ ଏହା ସରରୁ ଘିଅ ହେବା ଆରମ୍ଭ ହୁଏ ଏହି ସରକୁ କ୍ଷୀରରେ ମିଶାଯାଇ ଫୁଟାଯାଏ। କ୍ଷୀର ସାମାନ୍ୟ ଗରମ ହେବାପରେ ଏଥିରେ ଖୁଆ, ଗୁଜୁରାତି, ଚିନି ଆଦି ପଡ଼େ। କ୍ଷୀର ଫୁଟିଗଲା ପରେ ଚା’ ପତି ପକାଇ ପୁଣି ଚା’କୁ ଫୁଟାଯାଏ। କିଛି ସମୟ ଫୁଟିଲା ପରେ ପ୍ରସ୍ତୁତ ହୋଇଯାଏ ଗୁଆଘିଅ ଚା’। ତେବେ ଚା’କୁ ଏକ ନିଆରା ଆଉ ଦେଶୀ ସ୍ଵାଦ ଦେବା ପାଇଁ କାଠଚୁଲିରେ ଚା’ ବନାଇଥାନ୍ତି ମୁନୁ ଭାଇ।ସବୁ ୟଙ୍ଗମ୍ୟାନ ଭିତରେ ଏକା ଓଲ୍‌ଡମ୍ୟାନ ମୁନୁ ଭାଇ

ପ୍ରଥମେ ଯେତେବେଳେ ମୁନୁ ଭାଇ ଚା’ ଦୋକାନ ଆରମ୍ଭ କରିଥିଲେ, ସେତେବେଳେ ସାଧାରଣତଃ ମଧ୍ୟମ ବୟସ ଆଉ ବୃଦ୍ଧ ଲୋକମାନେ ଚା’ ପିଇବାକୁ ଆସୁଥିଲେ। ସକାଳେ, ସନ୍ଧ୍ୟାରେ ବାରବାଟୀ ଷ୍ଟାଡ଼ିୟମ ପାଖକୁ ଓ୍ଵାକ୍ କରିବାକୁ ଆସୁଥିବା ଲୋକମାନେ ମୁନୁ ଭାଇଙ୍କ ଚା’ ପିଉଥିଲେ। ଏବେ କିନ୍ତୁ ମୁନୁ ଭାଇଙ୍କ ଗରାଖ ତାଲିକା ବଦଳିବାରେ ଲାଗିଛି। କ୍ରମେ ଯୁବବର୍ଗମାନେ ଗୁଆଘିଅ ଚା’ ପିଇବାକୁ ମୁନୁ ଭାଇଙ୍କ ପାଖରେ ଭିଡ଼ ଜମାଉଛନ୍ତି।“ଆଗରୁ କେବଳ ଚାକିରିଆ ଲୋକ ନହେଲେ ବୁଢ଼ା ଲୋକମାନେ ଚା’ ପିଇବାକୁ ଆସୁଥିଲେ। ଏବେ କିନ୍ତୁ କଲେଜ ପଢୁଆ ପିଲା ବେଶି ଆସୁଛନ୍ତି। ଅଙ୍କଲ ଏକ୍ ଚାଏ ଦେଦୋ… ହମ୍‌କୋ ଆପ୍‌କି ଚାଏ ଖିଞ୍ଚ୍‌କେ ଲେ ଆତି ହେ…। ତେଣୁ ଏବେ ମୋ ଦୋକାନ ପାଖରେ ସବୁ ୟଙ୍ଗମ୍ୟାନ, ସେମାନଙ୍କ ଭିତରେ କେବଳ ମୁଁ ଏକା ଓଲ୍‌ଡମ୍ୟାନ”, କହିଛନ୍ତି ମୁନୁ ଭାଇ।

The post କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’ – ପିଇଲେ ଜାଣିବେ ମଜା appeared first on OdishaLIVE.


Viewing all articles
Browse latest Browse all 11715