Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗୋଟିଏ ଟାଇଟଲ, ଦୁଇଟି ଫିଲ୍ମ – ଦର୍ଶକଙ୍କୁ ପସନ୍ଦ ଆସିଛି ଓଲିଉଡର ଏହି ସିନେମା

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏମିତି ବି ସିନେମା ବେଳେବେଳେ ନିର୍ମିତ ହୁଏ, ଯାହାର ଟାଇଟଲ୍ କୌଣସି ଏକ ପୂର୍ବ ସିନେମାର ଶୀର୍ଷକ ସହ ସମାନ। ସବୁଠୁ ଖାସ କଥା କେତେକ କଳାକାର ଉଭୟ ସିନେମାରେ ସମାନ କଳାକାରଙ୍କୁ ଦେଖିବାକୁ ମିଳିଛି।

 ‘ସୁନା ସଂସାର

୧୯୭୮ରେ ରିଲିଜ୍‌ ହୋଇଥିଲା ଏକ ଓଡ଼ିଆ ଫିଲ୍ମ ‘ସୁନା ସଂସାର’। ହୋଇଥିବା ଫିଲ୍ମ ‘ସୁନାସଂସାର’ରେ ହର ପଟ୍ଟନାୟକ ଏକ ସଂକ୍ଷିପ୍ତ ଭୂମିକାରେ ଅଭିନୟ କରିଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶିନା ଦେଇଥିଲେ। ତା’ଛଡ଼ା ସେ ଏଥିରେ ସହକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପାଞ୍ଚଜନ୍ୟ ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ସିନେମା। ଶିଶିର ମିଶ୍ରଙ୍କ ‘ସୁନା ସଂସାର’ ମୁକ୍ତିଲାଭ କରିବାର ପ୍ରାୟ ଉଣେଇଶି ବର୍ଷ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ସେହି ସମାନ ଟାଇଟଲରେ ଏକ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ। ଏହାର ପ୍ରଯୋଜନା କରିଥିଲେ କେଶବ ରାଉତ।

ଦ୍ୱିତୀୟ ଥର ଲାଗି ‘ସୁନା ସଂସାର’ ଶୀର୍ଷକରେ ନିର୍ମିତ ହୋଇଥିବା ଏହି ସିନେମା ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା। ଏଥିରେ ମଧ୍ୟ ହର ପଟ୍ଟନାୟକ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଦର୍ଶକ ଖଳନାୟକ ଭୂମିକାରେ ଦେଖିବାକୁ ପାଇଥିଲେ।

ଏହି ‘ସୁନା ସଂସାର’ ଫିଲ୍ମରେ ସିଦ୍ଧାନ୍ତ, ମିହିର ଦାସ, ଲିଜା ଦାସ, ସ୍ମିତା ମହାନ୍ତି, ରାଇମୋହନ, ହରପଟ୍ଟନାୟକ, ଉତ୍ତମ ମହାନ୍ତି, ଅପରାଜିତା ଓ ଅଶ୍ରୁମୋଚନ ପ୍ରମୁଖ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୁ ସ୍ୱାଇଁ। ଫିଲ୍ମଟି ସୁପରହିଟ୍ ହୋଇଥିଲା।

ଜଗା ହାତରେ ପଘା

‘ଜଗା ହାତରେ ପଘା’ ଓଲିଉଡରେ ଏକ ସେମିତି ଟାଇଟଲ, ଯାହାକୁ ନେଇ ୨ଟି ଫିଲ୍ମ ତିଆରି ହୋଇଛି। ଏଥିମଧ୍ୟରୁ ପ୍ରଥମ ଥର ପାଇଁ ‘ଜଗା ହାତରେ ପଘା’ ଟାଇଟଲରେ ସିନେମା ପରଦାକୁ ଆସିଥିଲା ୧୯୮୫ ମସିହାରେ। ଏହାର ନିର୍ଦ୍ଦେଶକ ଥିଲେ ସ୍ୱର୍ଗତ ମହମ୍ମଦ ମହସୀନ୍। ଏଥିରେ ଅସିତ ପତି ମୁଖ୍ୟ ଖଳନାୟକ ଶିବୁ ଭୂମିକାରେ ଅଭିନୟ କରିଥିଲେ।  ‘ଜଗା ହାତରେ ପଘା’ରେ ଉତ୍ତମ ମହାନ୍ତି, ଅପରାଜିତା, ବୈଶାଳୀ ହେମନ୍ତ ଦାସ, ଗ୍ଲୋରିଅ ମହାନ୍ତି ଏବଂ ବିଜୟ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି। ଏହି ସିନେମାର ରୂପା ଶଗଡ଼ିରେ ସୁନା କନିଆଁ… ଗୀତ ଆଜି ବି ଲୋକପ୍ରିୟ। ‘ଜଗା ହାତରେ ପଘା’ ସୁପରହିଟ୍ ମଧ୍ୟ ହୋଇଥିଲା।

ଦ୍ୱିତୀୟ ଥର ‘ଜଗା ହାତରେ ପଘା’ ପରଦାକୁ ଆସିଥିଲା ୨୦୧୫ ମସିହାରେ। କେ.ଏମ୍‌ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଦେଖା ଦେଇଥିଲେ ବରିଷ୍ଠ ଅଭିନେତା ଅସିତ ପତି। ଏଥିରେ ତାଙ୍କୁ ଫିଲ୍ମର ଅନ୍ୟତମ ଖଳନାୟକ ବୁଦ୍ଧାଦିତ୍ୟଙ୍କ ପିତା ଭୂମିକାରେ ଦେଖିବାକୁ ମିଳିଥିଲା।

ଜଗା ହାତରେ ପଘା (୨୦୧୫)ରେ ଅନୁଭବ, ଏଲିନା, ଝିଲିକ୍, ମୀନକେତନ, ମହାଶ୍ୱେତା ଓ ଅଜିତ୍ ଦାସ ପ୍ରମୁଖ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମା କିନ୍ତୁ ହିଟ୍ ହୋଇନଥିଲା।

ତୁ ମୋ ଲଭ ଷ୍ଟୋରି

ତୁ ମୋ ଲଭ୍ ଷ୍ଟୋରି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଫିଲ୍ମ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ, ଦୀପକ ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା। ଏଥିରେ ନବାଗତା ଭୂମିକା ଦାସ ଓ ନବାଗତ ସ୍ୱରାଜ ବାରିକଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ସଫଳତା ପରେ ସମାନ ଟାଇଟଲରେ ‘ତୁ ମୋ ଲଭ ଷ୍ଟୋରି ୨ ୨୦୧୯’ରେ ରିଲିଜ ହୋଇଥିଲେ। ଏଥିରେ ବି ପ୍ରାୟ ସମାନ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

ଗପ ହେଲେ ବି ସତ

ଓଡ଼ିଆ ଭାଷାରେ ନିର୍ମିତ ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ହେଲା ‘ଗପ ହେଲେ ବି ସତ’। ଏହା ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଶିଳ୍ପପତି ଇଂ ସୁବିମଳ ମଲ୍ଲିକ। ଏହା ତାଙ୍କର ପ୍ରଥମ ଓ ଅନ୍ତିମ ଓଡ଼ିଆ ଫିଲ୍ମ ଥିଲା। ‘ଗପ ହେଲେ ବି ସତ’ର ନିର୍ଦ୍ଦେଶନା ଦେଇଥିଲେ ନଗେନ୍‌ ରାୟ। ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା।

ଏହାପରେ ସେହି ସମାନ ଟାଇଟଲକୁ ୨୦୧୫ରେ ଆଉ ଏକ ଫିଲ୍ମ ଆସିଥିଲା। ଯେଉଁଥିରେ ମୂରଲି କ୍ରିଷ୍ଣା ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅନୁଭବ, ବର୍ଷାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା।

The post ଗୋଟିଏ ଟାଇଟଲ, ଦୁଇଟି ଫିଲ୍ମ – ଦର୍ଶକଙ୍କୁ ପସନ୍ଦ ଆସିଛି ଓଲିଉଡର ଏହି ସିନେମା appeared first on OdishaLIVE.


Viewing all articles
Browse latest Browse all 11715

Trending Articles