ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଭାରତର ପ୍ରମୁଖ ବସଷ୍ଟାଣ୍ଡ ହେବ ବରମୁଣ୍ଡା ବସ ଟର୍ମିନାଲ। ଏଥିପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାର ଉନ୍ନତୀକରଣ କାମ ଆଗାମୀ ୧୮ ମାସ ଭିତରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବରମୁଣ୍ଡା ବସ ଟର୍ମିନାଲର ଉନ୍ନତୀକରଣ କାମ ବୁଲି ଦେଖିବା ସହ ଏପରି କହିଛନ୍ତି।
ନବୀନ ଆଜି ଅପରାହ୍ଣରେ ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଥିବାବେଳେ ପ୍ରଥମ ପ୍ରକଳ୍ପ ଭାବେ ଖଣ୍ଡଗିରିରେ ବସ ଡିପୋ ନିର୍ମାଣ ଶେଷ ହୋଇଛି। ଦ୍ୱିତୀୟରେ ବରମୁଣ୍ଡାରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ ହେବ।ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧାସୁଯୋଗ, ବସମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ଏବଂ ବାଣିଜ୍ୟିକ ସ୍ଥାନ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଭୁବନେଶ୍ୱର ମହାନଗର ନିଗମ କମିସନର ଓ ପୋଲିସ କମିସନର ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ପୂର୍ବ ଭାରତର ପ୍ରମୁଖ ବସ ଟର୍ମିନାଲ ହେବ ବରମୁଣ୍ଡା, ଖର୍ଚ୍ଚ ହେବ ୧୮୦ କୋଟି appeared first on OdishaLIVE.