ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ![]()
ଓଲିଉଡର ଏମିତି କିଛି ନାୟକ ନାୟିକା ଅଛନ୍ତି ଯେଉଁମାନେ ପରଦାରେ ସ୍ୱାମୀ, ସ୍ତ୍ରୀ ଭୂମିକା ନିଭାଉ ନିଭାଉ ବାସ୍ତବ ଜୀବନରେ ବି ସେହି ସମ୍ପର୍କରେ ବାନ୍ଧି ହୋଇ ଯାଇଛନ୍ତି। ସବୁଠୁ ଖାସ କଥା ଫିଲ୍ମରେ ଯେମିତି ଲୋକେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି, ରିଅଲ ଲାଇଫରେ ବି ସେମାନଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି।
ବିଜୟ ମହାନ୍ତି – ତନ୍ଦ୍ରା ରାୟ
ଓଡ଼ିଆ ଫିଲ୍ମ ଜଗତରେ ଜଣେ ଦକ୍ଷ ଅଭିନେତା ଥିଲେ ବିଜୟ ମହାନ୍ତି। ନାୟକ, ଖଳନାୟକ, ବାପା ଆଦି ବିଭିନ୍ନ ଚରିତ୍ରରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସିଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରେ ଅଧିକାଂଶ ଫିଲ୍ମ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କ ସହିତ କରିଥିଲେ। ‘ଚିଲିକା ତୀରେ’ ଫିଲ୍ମରେ ତନ୍ଦ୍ରା ତାଙ୍କ ନାୟିକା ସାଜିଥିଲେ। ଏହି ଫିଲ୍ମରୁ ହିଁ ଉଭୟଙ୍କ ଯୋଡି ହିଟ୍ ହୋଇ ଥିଲା। ଏହା ପରେ ପରେ ଦୁହିଁଙ୍କୁ ଅନେକ ଫିଲ୍ମରେ ସ୍ୱାମୀ, ସ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଅଭିନୟ କରୁ କରୁ ସେମାନେ ପରସ୍ପରକୁ ବିବାହ କରିଥିଲେ।
ଉତ୍ତମ ମହାନ୍ତି- ଅପରାଜିତା
ଓଲିଉଡର ଜଣେ ସଫଳ ନାୟକ ହେଲେ ଉତ୍ତମ ମହାନ୍ତି। ତାଙ୍କ ସମୟରେ ସେ ବହୁ ହିଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କ ସହ ଅଧିକାଂଶ ଫିଲ୍ମରେ କାମ କରିଥିଲେ। ସୁପରହିଟ ଫିଲ୍ମ ଉଦଣ୍ଡୀ ସୀତା, ଜୋର ଯା’ର ମୁଲକ ତା’ର, ବସ୍ତ୍ର ହରଣ, ଫୁଲ ଚନ୍ଦନ, କପାଳ ଲିଖନ, ଚକା ଚକା ଭଉଁରୀ ଆଦି ଅନେକ ଫିଲ୍ମରେ ଉଭୟ ଏକାଠି କାମ କରିଥିଲେ। ଏହାପରେ ୧୯୮୭ରେ ସେ ଅପରାଜିତାଙ୍କୁ ବିବାହ କରିଥିଲେ।
ସିଦ୍ଧାନ୍ତ ମହାପାତ୍ର – ମାମା ମିଶ୍ର
ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ତାଙ୍କ ଫିଲ୍ମ କ୍ୟାରିୟରରେ ବହୁ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ମାତ୍ର ରଚନା ବାନାର୍ଜୀଙ୍କ ପରେ ତାଙ୍କୁ ମାମା ମିଶ୍ରଙ୍କ ସହିତ ଅଧିକ ପସନ୍ଦ କରିଥିଲେ ଦର୍ଶକ। ତୋ ଆଖି ମୋ ଆଇନା, ରହିଚି ରହିବି ତୋରି ପାଇଁ, ସାକ୍ଷୀ ରହିଲା ଏ ସିଂହଦ୍ୱାରା, ନାରୀ ଆଖିରେ ନିଆଁ ଭଳି ହିଟ ଫିଲ୍ମରେ ଉଭୟ ଏକାଠି କାମ କରିଥିଲେ। ଏହାପରେ ୨୦୦୩ରେ ସିଦ୍ଧାନ୍ତ, ମାମା ମିଶ୍ର ବିବାହ କରିଥିଲେ।
ଅନୁଭବ ମହାନ୍ତି – ବର୍ଷା
ଏବେ ବିବାଦରେ ଥିବା ଅନୁଭବ ବର୍ଷା ଦିନେ ଓଲିଉଡର ଶୁଆ- ଶାରୀ କୁହାଯାଉଥିଲା। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେମାନଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଦର୍ଶକଙ୍କୁ ଦିଓ୍ୱାନା କରିଥିଲା। ଆମ ଭିତରେ କିଛି ଅଛି କି, ଗୋଟିଏ ଶୁଆ ଶାରୀ, ଗପ ହେଲେ ବି ସତ, ନେଇ ଯାରେ ମେଘ ମତେ, ଦିଓ୍ୱାନା, ସୁନା ଚଢ଼େଇ ମୋ ରୂପା ଚଢ଼େଇ, ସମଥିଙ୍ଗ୍ ସମଥିଙ୍ଗ, ବାଳୁଙ୍ଗା ଟୋକା ଫିଲ୍ମରେ ଏକାଠି କାମ କରିଥିଲେ। ଉଭୟ ୨୦୧୪ରେ ବିବାହ କରିଥିଲେ। ବିବାହ ପରେ ଉଭୟ ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ କିନ୍ତୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।
ସେହିପରି ଓଲିଉଡରେ ଜଣାଶୁଣା ଅଭିନେତା ସ୍ୱରୂପ ନାୟକ ଓ ତାଙ୍କ ପତ୍ନୀ ନିହାରିକାଙ୍କ ଯୋଡ଼ି ବେଶ ଜଣାଶୁଣା। ସ୍ୱରୂପ ଅଭିନେତା, ଗାୟକ, ନିର୍ଦ୍ଦେଶକ ଭାବେ ବେଶ ନାଁ କରିଥିଲା ବେଳେ ସେ ସମୟରେ ତାଙ୍କ ପତ୍ନୀ ନିହାରିକା ଶ୍ରୀରାମ ପଣ୍ଡାଙ୍କ ସହ ‘କାବେରୀ’ ଫିଲ୍ମ କରି ବେଶ ଚର୍ଚ୍ଚିତ ହୋଇଥିଲେ।
The post ଓଲିଉଡର ଷ୍ଟାର ଦମ୍ପତି – ଏକାଠି ଫିଲ୍ମ କରୁ କରୁ ହୋଇଗଲେ ଜୀବନ ସାଥୀ appeared first on OdishaLIVE.