ଓଡ଼ିଶାଲାଇଭ୍ ବ୍ୟୁରୋ![Lokaseva Bhawan]()
ସରକାରୀ ବିଭାଗଗୁଡ଼ିକ ଉନ୍ନୟନମୂଳକ କାମ ପାଇଁ ଆସୁଥିବା ଟଙ୍କା ଖର୍ଚ୍ଚ କରୁନାହାନ୍ତି। ଏନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଅବସ୍ଥା ଏମିତି ହୋଇଛି ଯେ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଗଲାଣି। ବିଗତ ୫ ମାସ ମଧ୍ୟରେ ସାଧାରଣ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେଉଁ ଅର୍ଥ ବରାଦ କରାଯାଇଛି ତାହା ସେମିତି ପଡ଼ି ରହିଛି।
ଅତିରିକ୍ତ ବଜେଟ୍ ଆସିବା ପୂର୍ବରୁ ଏ ସମ୍ପର୍କରେ ଏକ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ଅଧିକାଂଶ ବଡ଼ ବଡ଼ ବିଭାଗ ଟଙ୍କା ଖର୍ଚ୍ଚ କରିନାହାନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଆରଆଇଡିଏଫ୍ରେ ପାଖାପାଖି ୪,୦୦୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିଛି। ଏହା ଫଳରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ପୂରା ପଛେଇ ଯାଇଛି। ଗତ ବର୍ଷ ତୁଳନାରେ ଏବର୍ଷ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାତ୍ର ୩୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି।
ଯେଉଁ ସବୁ ବିଭାଗ ଟଙ୍କା ଖର୍ଚ୍ଚ ନକରି ପକେଇ ରଖିଛନ୍ତି ତା ଭିତରେ ମୁଖ୍ୟତଃ ରହିଛି କୃଷି, ଜଙ୍ଗଲ ଓ ପରିବେଶ ବିଭାଗ। କରୋନା ଯୋଗୁଁ ବାହାରୁ ଆସିଥିବା ଲୋକେ ଗ୍ରାମାଞ୍ଚଳରେ ନରେଗା ଅଧୀନରେ କାମ କରିବାକୁ ଇଛୁକ। କିନ୍ତୁ ତାହା ସମ୍ଭବ ହୋଇ ପାରୁନାହିଁ। ଉଦାହରଣ ସ୍ୱରୂପ, ଛତିଶଗଡ଼ ନରେଗା ଅଧୀନରେ ୬,୦୦୦ କୋଟ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ମାତ୍ର ୨,୮୦୦ କୋଟି ଖର୍ଚ୍ଚ କରିଛି।କେବଳ ରାଜ୍ୟ ବଜେଟ୍ରୁ ନୁହେଁ କେନ୍ଦ୍ରରୁ ଆସିଥିବା ଟଙ୍କାର ବିନିଯୋଗ ମଧ୍ୟ ହୋଇ ପାରୁନାହିଁ। ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ଅନ୍ତତଃ ୬ ହଜାର କୋଟି କେନ୍ଦ୍ର ଅନୁଦାନ ଖର୍ଚ୍ଚ ହୋଇ ପାରିନଥିବା ଜଣାପଡ଼ିଛି। କାମ୍ପା ଓ ଅନ୍ୟାନ୍ୟ ବାବଦକୁ ପ୍ରଚୁର ଟଙ୍କା ଥିଲେ ହେଁ ତାକୁ ଖର୍ଚ୍ଚ କରିବା ପାଇଁ ବିଭାଗଗୁଡ଼ିକ ଆଗ୍ରହୀ ନୁହଁନ୍ତି।
The post ଉନ୍ନୟନ ପାଣ୍ଠି ଖର୍ଚ୍ଚ କରୁନାହାନ୍ତି ସରକାରୀ ବିଭାଗ appeared first on OdishaLIVE.