ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ବିଜେଡି ନେତା ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ତାଙ୍କ ଘର ଉପରେ ସିବିଆଇ ରେଡ୍ କରିଛି। ରେଡ୍ର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସି-ସୋର୍ ଚିଟ୍ଫଣ୍ଡ ଦୁର୍ନୀତି ମାମଲା ସହିତ ଏହାର ଲିଙ୍କ୍ ଥିବା ଅନୁମାନ କରାଯାଉଛି।
ଶୁକ୍ରବାର ସିବିଆଇର ୭ ଜଣିଆ ଟିମ୍ ଦେବୀ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା। ଏହି ଟିମ୍ ଚଢ଼ାଉର କାରଣ ପ୍ରକାଶ କରିନଥିଲେ ମଧ୍ୟ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।
ଦେବୀ ମିଶ୍ର ମନ୍ତ୍ରୀ ଥିବା ସମୟରେ ମହାନଦୀ ବୋଟିଂ ପ୍ରୋଜେକ୍ଟ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। କିନ୍ତୁ ତା’ ପରେ ଏନେଇ କୌଣସି ତଦନ୍ତ କଥା ସାମ୍ନାକୁ ଆସିନଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସିବିଆଇ ଦେବୀ ମିଶ୍ରଙ୍କ ଘରେ ରେଡ୍ କରିଛି। ତେଣୁ ସିବିଆଇ ହାତରେ କିଛି ଠୋସ୍ ପ୍ରମାଣ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।ଅନ୍ୟପଟେ ଦେବୀ ମିଶ୍ର କହିଛନ୍ତି, “୨୦୧୩ ମସିହାରୁ ମହାନଦୀରେ ବୋଟିଂ ପ୍ରକଳ୍ପକୁ ନେଇ ସିବିଆଇ ତଦନ୍ତ ଜାରି ରଖିଛି। ଏହି ମାମଲାରେ ଆଗରୁ ବି ସିବିଆଇ ଆମକୁ ପଚରାଉଚରା କରିଛି। କିନ୍ତୁ ମୁଁ ସେତେବେଳେ ଜଣେ ମନ୍ତ୍ରୀ ଥିଲି। ସେ ନିଷ୍ପତ୍ତି ସରକାର ନେଇଥିଲେ। ମୁଁ କୌଣସି ନିଜସ୍ଵ ନିଷ୍ପତ୍ତି ନେଇନାହିଁ। ଏହି ମାମଲାରେ ସିବିଆଇ ପର୍ଯ୍ୟଟନ ବିଭାଗରୁ ସବୁ ଡକ୍ୟୁମେଣ୍ଟ ନେଇଛି। ତେବେ ଆଜି ସେମାନେ ପୁଣି ଥରେ ପଚରାଉଚରା କରିବାକୁ କହିଲେ। ମୁଁ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇ ହୋମ୍ ଆଇସୋଲେସନ୍ରେ ଅଛି। ତେଣୁ ସେମାନେ ଘରକୁ ଆସିଲେ ମୁଁ ତାଙ୍କୁ ସବୁ ପ୍ରକାର ସହଯୋଗ କରିବି ବୋଲି କହିଥିଲି। ସେହି ବିଷୟରେ ପଚରାଉଚରା କରିବାକୁ ସେମାନେ ଆସିଥିଲେ।”
ସି-ସୋର୍ର ମହାନଦୀ ବୋଟିଂ ପ୍ରୋଜେକ୍ଟରେ ସିବିଆଇ ତାଙ୍କୁ ଜେରା କରିଥିବା ଦେବୀ ମିଶ୍ର ସ୍ଵୀକାର କରିଛନ୍ତି। ତେବେ ସେ ଆଗକୁ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।ଗତ ୨୦୧୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଭିଯୋଗ କ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରିଥିଲା। ଏହି ମାମଲାରେ ପୂର୍ବରୁ ବିଧାୟକ ପ୍ରଭାତ ବିଶ୍ଵାଳଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଗତ ଦୁଇ ବର୍ଷ ହେଲା ସିବିଆଇର ତଦନ୍ତ ଶିଥିଳ ପଡ଼ିଯାଇଥିବା ଅଭିଯୋଗ ହେଉଥିଲା। ଚଳିତବର୍ଷ ଜୁନ୍ ମାସରେ ଏହି ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଶୁଭଙ୍କର ନାୟକଙ୍କୁ ସିବିଆଇ ଜେରା କରିଥିଲା। ଏହା ପରଠାରୁ ସିବିଆଇ ଏହି ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ପୁଣି ଖୋଳତାଡ଼ ଆରମ୍ଭ କରିଛି।
The post ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ appeared first on OdishaLIVE.