ଓଡିଶାଲାଇଭ୍ ବ୍ୟୁରୋ![]()
ଓଡ଼ିଆ ଭାଷା ସାହିତ୍ୟ ଏବଂ ସାମ୍ବାଦିକତା ଜଗତ ପ୍ରତି କର୍ମବୀର ଗୌରୀଶଙ୍କର ରାୟଙ୍କର ରହିଛି ଅତୁଳନୀୟ ଅବଦାନ।
ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ଯେଉଁ କେତେଜଣ ବରେଣ୍ୟ ଓଡ଼ିଆ ଆଗଧାଡ଼ିରେ ରହିଥିଲେ ସେମାନଙ୍କ ଭିତରେ କର୍ମବୀର ଗୌରୀ ଶଙ୍କର ରାୟ ଥିଲେ ଅନ୍ୟତମ। ଓଡ଼ିଆ ଭାଷାକୁ ଉଜ୍ଜୀବୀତ କରି ରଖିବାରେ କର୍ମବୀରଙ୍କ ଅବଦାନ ଥିଲା ଅତୁଳନୀୟ। ସବୁବେଳେ ସେ କର୍ମରେ ବିଶ୍ୱାସ କରୁଥିଲେ। ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ତାଙ୍କୁ ‘କର୍ମବୀର’ ଆଖ୍ୟା ଦିଆଯାଇଛି। ଏହି ଯୋଗଜନ୍ମା ପୁରୁଷଙ୍କ ଆଜି ପୂଣ୍ୟ ଜୟନ୍ତୀ ତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି।
ଉନବିଂଶ ଶତାବ୍ଦୀରେ ଓଡ଼ିଆ ନବଜାଗରଣର ପୁରୋଧା ଥିଲେ କର୍ମବୀର ଗୌରୀଶଙ୍କର ରାୟ। ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନୀୟ। ୧୮୩୮ ମସିହା ଜୁଲାଇ ୧୩ ତାରିଖରେ ସେ ଜନ୍ମ ହୋଇଥିଲେ।
କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ଭୁବନେଶ୍ଵର ସଂସ୍କୃତି ଭବନ ପରିସରରେ ଜୁଲାଇ ୧୩ ତାରିଖରେ ପାଳିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହାକୁ ପାଳନ କରାଯାଇଛି।
“ଉତ୍କଳ ଦୀପିକାରେ ଗୌରୀଶଙ୍କର ରାୟ ନିର୍ଭିକ ଭାବେ ସମ୍ବାଦ ପରିବେଷଣ କରୁଥିଲେ। ନିଜେ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ସେ ସରକାରଙ୍କ ବିରୁଦ୍ଧରେ ଲେଖିବା ପାଇଁ ପଶ୍ଚାଦପଦ ହେଉନଥିଲେ। ଗୌରୀଶଙ୍କରଙ୍କ ବଳିଷ୍ଠ ନେତୃତ୍ଵ ଫଳରେ ଆମର ଜାତୀୟ ଜୀବନ ଗଠିତ ହୋଇଥିଲା,” କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।
ସେ ଆହୁରି କହିଛନ୍ତି, “ଜଣେ ନୀତିନିଷ୍ଠ ଏବଂ କର୍ମପ୍ରବୀଣ ବ୍ୟକ୍ତି ଥିଲେ। ସେଥିପାଇଁ ତାଙ୍କୁ କର୍ମବୀର ଆଖ୍ୟା ଦିଆଯାଇଥିଲା। ଓଡ଼ିଆ ଜାତି ପାଇଁ ସେ ଯେଉଁ ସ୍ଵପ୍ନ ଦେଖୁଥିଲେ, ତାଙ୍କର ଯେଉଁ ଆଶା ଥିଲା ନିଶ୍ଚିତ ଭାବେ ତାହା ପରପିଢ଼ିକୁ ଅନୁପ୍ରାଣୀତ କରିବ।”
ଓଡ଼ିଆ ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି, “କର୍ମବୀର ଗୌରୀଶଙ୍କର ରାୟ ଜଣେ ନିଷ୍ଠାପର ସାରସ୍ଵତ ସାଧକ, ସମାଜ ସଂସ୍କାରକ ଏବଂ ନିର୍ଭିକ ସାମ୍ବାଦିକ ଭାବରେ ସୁପରିଚିତ। ଦୀର୍ଘ ୫୦ ବର୍ଷ କାଳ ଉତ୍କଳ ଦୀପିକାର ସୁଯୋଗ୍ୟ ସଂପାଦକ ଭାବରେ ସେ ଯଶସ୍ଵୀ। ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତିନିୟମ ଏବଂ ସମାଜରେ ପ୍ରଚଳିତ ଘୃଣ୍ୟ ପ୍ରଥା ବିରୁଦ୍ଧରେ ସେ ଧାରାବାହିକ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ ଏହି ଉତ୍କଳ ଦୀପିକା ମାଧ୍ୟମରେ।”ସେ ଆହୁରି କହିଛନ୍ତି, “ସମାଜ ସଂସ୍କାର, ଓଡ଼ିଆ ଭାଷାର ସମୃଦ୍ଧି, ସୁରକ୍ଷା ଏବଂ ବିଭିନ୍ନ ଓଡ଼ିଆଭିତ୍ତିକ କାର୍ଯ୍ୟକ୍ରମରେ ସଦାସର୍ବଦା ସେ ଯତ୍ନବାନ ଥିଲେ। ଗୌରୀଶଙ୍କର ନିଜର ଦୃଢ଼ ଅଧ୍ୟବସ୍ୟାୟ ଏବଂ ଦୃଢ଼ ନିଷ୍ଠା ପାଇଁ ବହୁ ପ୍ରାଚୀନ ସାହିତ୍ୟ, ଗ୍ରନ୍ଥ, ଧର୍ମଗ୍ରନ୍ଥ ଇତ୍ୟାଦି କଟକ ପ୍ରିଣ୍ଟିଂ ପ୍ରେସରୁ ପ୍ରକାଶିତ କରି ଓଡ଼ିଆ ଭାଷା ଏବଂ ସାହିତ୍ୟରେ ସମୃଦ୍ଧି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ଏତଦ୍ ବ୍ୟତୀତ ସେ ଜଣେ ବଦାନ୍ୟ ବ୍ୟକ୍ତି ଥିଲେ। ଏହି କାଳଜୟୀ କର୍ମବୀର ଚିର ନମସ୍ୟ।”
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି, “ଓଡ଼ିଆ ଅସ୍ମିତାର ସଂରଚନା ଏବଂ ଓଡ଼ିଶାରେ ଖବରକାଗଜ ପ୍ରକାଶନର ଆଦି କର୍ଣ୍ଣଧାର ଭାବରେ, ଓଡ଼ିଆ ସାହିତ୍ୟ ଇତିହାସରେ ଏବଂ ଓଡ଼ିଶା ଇତିହାସରେ କର୍ମବୀର ଗୌରୀଶଙ୍କର ରାୟ ଚିର ଆୟୁଷ୍ମାନ ହୋଇରହିଛନ୍ତି ଏବଂ ରହିବେ।”ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅସିତ ମହାନ୍ତି କହିଛନ୍ତି, “ ଓଡ଼ିଶାର ସାମ୍ବାଦିକତା, ସାହିତ୍ୟ ଏବଂ ସ୍ଵାଭିମାନ ସବୁକୁ ସେ ତାଙ୍କର ଅବଦାନରେ ଏପରି ଭାବେ ପୁଷ୍ଟ କରିଥିଲେ ଯେ ଆଜି ବି ଆମେ ତାଙ୍କୁ ପ୍ରାତଃ ସ୍ମରଣୀୟ ବୋଲି ମନେ କରୁଛୁ। ନଅଙ୍କ ଦୁର୍ଭିକ୍ଷ ଏବଂ ଓଡ଼ିଆ ଭାଷା ଉପରେ ବଙ୍ଗବାସୀଙ୍କର ଆକ୍ରମଣକୁ ସେ ଏ ଦୁଇଟିଯାକ କ୍ଷେତ୍ରରେ ଲଢ଼ି ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପରିଚିତି ଦେଇଥିଲେ।”
ସେ ଆହୁରି କହିଛନ୍ତି, “ସମ୍ବାଦ ପରିବେଷଣରେ ସେ ଯେଉଁ ଭାଷା ବ୍ୟବହାର କରୁଥିଲେ, ଯେପରି ଚିଠି ଦେଉଥିଲେ, ଯେପରି ଆଲୋଚନା ଆରମ୍ଭ କରିଥିଲେ ତାହା ଓଡ଼ିଆ ସାହିତ୍ୟ ଜଗତକୁ ପୁଷ୍ଟ କରିଥିଲା।”
ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହ କହିଛନ୍ତି, “ସେ ଥିଲେ ଜଣେ ତ୍ୟାଗୀ, ଦେଶଭକ୍ତ ଏବଂ ବିଶିଷ୍ଟ ଜନସେବକ। ନଅଙ୍କ ଦୁର୍ଭିକ୍ଷ ସମୟରେ ଉତ୍କଳ ଦୀପିକାର ପ୍ରକାଶନ କରି ସେ ଓଡ଼ିଆ ଜାତୀୟ ଜୀବନର ନେତୃତ୍ଵ ନେଇଥିଲେ।”
ନଅଙ୍କ ଦୁର୍ଭିକ୍ଷଠାରୁ ଆରମ୍ଭ କରି ଓଡ଼ିଆ ଭାଷା ଉପରେ ବଙ୍ଗବାସୀଙ୍କ ଆକ୍ରମଣ ଏସବୁକୁ ଦକ୍ଷତାର ସହ ସାମ୍ନା କରିଥିଲେ ସେ। ଜଣେ ଦକ୍ଷ ସାମ୍ବାଦିକ ଭାବେ ଲୋକଙ୍କ ଦାବିକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନ କରିବା ସହ ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଲୋଚନକୁ ଆଣୁଥିଲେ। ତେଣୁ ଓଡ଼ିଆ ଭାଷା ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ନାମ ଚିର ସ୍ମରଣୀୟ। ୧୯୧୭ ମାର୍ଚ୍ଚ ୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।
The post ଓଡ଼ିଆ ନବଜାଗରଣର ପୁରୋଧା ଥିଲେ କର୍ମବୀର ଗୌରୀଶଙ୍କର ରାୟ appeared first on OdishaLIVE.