ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
- କଂଗ୍ରେସ ଭବନରେ ତାଲା ପକାଇବା ଘଟଣାର ତଦନ୍ତ ହେବ
- ଭାରତୀୟ ଯୁବ କଂଗ୍ରେସ କରିବ ତଦନ୍ତ
- ତାଲା ପକାଇଥିବା ଲୋକ ବିଶ୍ୱାସଘାତକ
- ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଆବଶ୍ୟକ ପଡ଼ିଲେ ୬ ବର୍ଷ ପାଇଁ ଦଳରୁ ବହିଷ୍କାର: ଶ୍ରୀନିବାସ ବି ଭି
ଗତ ୨୩ ତାରିଖରେ କଂଗ୍ରେସ ଭବନ ଗେଟ୍ରେ କିଏ ପକାଇଥିଲା ତାଲା? ଯେଉଁମାନେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କୁ ବିରୋଧ କରୁଥିଲେ ସେମାନେ କିଏ? ଗେଟ୍ରେ ତଲା ଠୁଙ୍କି ଭିତରେ ବିରୋଧ କରିବାର ମାନେ କ’ଣ? ଏସବୁକୁ ନେଇ ଅଖିଳ ଭାରତୀୟ ଯୁବ କଂଗ୍ରେସର ଏକ ଟିମ୍ ତଦନ୍ତ କରିବ।
ଯେଉଁ ଯୁବ କଂଗ୍ରେସ କର୍ମୀମାନେ ତାଲା ଠୁଙ୍କି ପ୍ରତିବାଦ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ସେମାନଙ୍କୁ ଦଳରୁ ୬ ବର୍ଷ ଯାଏ ବହିଷ୍କାର କରାଯିବ ବୋଲି ଅଖିଳ ଭାରତୀୟ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବି ଭି କହିଛନ୍ତି।
ଗତ ୧୮ ତାରିଖରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ସମ୍ପାଦକ ଥିବା ସ୍ମୃତିରଞ୍ଜନଙ୍କୁ ଓଡ଼ିଶା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀନିବାସ ବି ଭି ଏନେଇ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଥିଲେ। ହେଲେ ଏହାକୁ ଓଡ଼ିଶାର କିଛି ନେତା ଗ୍ରହଣ କରିପାରି ନଥିଲେ। ସ୍ମୃତିରଞ୍ଜନଙ୍କୁ କଂଗ୍ରେସ ଭବନ ଭିତରରେ ପୂରାଇ ନଦେବା ପାଇଁ କିଛି ଗୋଷ୍ଠୀ ଚକ୍ରାନ୍ତ କରିଥିବା କୁହାଯାଉଛି।
ଶ୍ରୀଗୁଣ୍ଡିଚା ଦିନ ସ୍ମୃତିରଞ୍ଜନ କଂଗ୍ରେସ ଭବନକୁ ଆସି ଦାୟିତ୍ୱ ନେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ବିଭିନ୍ନ ଜିଲ୍ଲାରୁ ଯୁବ କଂଗ୍ରେସ କର୍ମୀମାନେ ନବନିଯୁକ୍ତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସି ପହଞ୍ଚିଥିଲେ। ହେଲେ ତା’ ପୂର୍ବରୁ କଂଗ୍ରେସ ଭବନ ଗେଟ୍ରେ ତାଲା ପଡ଼ିଯାଇଥିଲା। ସ୍ମୃତିରଞ୍ଜନ ଏବଂ ତାଙ୍କ ସମର୍ଥକମାନେ ଆସିବା ପୂର୍ବରୁ କିଛି ଯୁବକ ଏବଂ ମହିଳା ନିଜକୁ ଯୁବ କଂଗ୍ରେସ କର୍ମୀ ବୋଲି ପରିଚୟ ଦେଇ କଂଗ୍ରେସ ଭବନରେ ଭିଡ଼ ଜମାଇଥିଲେ। ସ୍ମୃତିରଞ୍ଜନଙ୍କୁ ବିରୋଧ କରିବା ସହ କଂଗ୍ରେସ ଭବନ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଯେଉଁ ଲୋକମାନେ ସ୍ମୃତିରଞ୍ଜନଙ୍କୁ ବିରୋଧ କରୁଥିଲେ ସେମାନଙ୍କ ସହିତ କୌଣସି ଜଣାଶୁଣା ନେତାଙ୍କୁ ଦେଖିବାକୁ ମିଳି ନଥିଲା। ସେମାନେ ପରଦା ପଛରେ ରହି ଗୋଟି ଚାଳନା କରିଥିବା ଚର୍ଚ୍ଚା ହେଉଛି।
ଏଠି ପ୍ରଶ୍ନ ଉଠୁଛି ଏହି ବିଶୃଙ୍ଖଳା ପାଇଁ ଦାୟୀ କିଏ? କାହା ସାହସରେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କୁ ଗତ ୨୩ ତାରିଖରେ ବିରୋଧ କରାଗଲା? ଯୁବ କଂଗ୍ରେସର ନିର୍ବାଚନ ପ୍ରକ୍ରିୟା ଏବଂ ସଭାପତି ପଦରେ ନିଯୁକ୍ତି ପ୍ରକ୍ରିୟାରେ ପିସିସିର କୌଣସି ଭୂମିକା ନଥାଏ। ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ହିଁ ଏହା ସ୍ଥିର କରାଯାଇଥାଏ। ସ୍ମୃତିରଞ୍ଜନଙ୍କୁ ଅନ୍ତରୀଣ ସଭାପତି ପଦରେ ନିଯୁକ୍ତି ଦେବା ପଛରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ଦସ୍ତଖତ ରହିଛି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ବି ସମର୍ଥନ ରହିଛି। ଏଣୁ ଗତ ୨୩ ତାରିଖରେ ତାଲା ଠୁଙ୍କି ଯେଉଁମାନେ ବିରୋଧ କରୁଥିଲେ ସେମାନେ କାହାକୁ ବିରୋଧ କରୁଥିଲେ ତାହା ଏବେ ଆଲୋଚନାର ବିଷୟ ପାଲଟିଛି।
ଏହାକୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ଗୁରୁତର ଭାବେ ଗ୍ରହଣ କରିଛି। ନବନିଯୁକ୍ତ ସଭାପତିଙ୍କୁ ସ୍ୱାଗତ କରିବା ବଦଳରେ ତଲା ପକାଇ ବିରୋଧ କରିବା ଘଟଣାର ତଦନ୍ତ କରାଯିବ ବୋଲି ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ କରାଯାଇଥିଲା। ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ପାଗ ଭିଡ଼ିଥିଲେ ହାଇକମାଣ୍ଡ। ନିରଞ୍ଜନ ଜଣେ ଅଭିଜ୍ଞ ନେତା ହୋଇଥିବାରୁ ଦଳ ଆଗ ଅପେକ୍ଷା ଭଲ କରିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ନିର୍ବାଚନ ହେବା ଆଗରୁ ନିରଞ୍ଜନଙ୍କ ସଭାପତିତ୍ୱକୁ ଗ୍ରହଣ ନକରି ଜଣକ ପରେ ଜଣେ ନେତା ଦଳ ଛାଡ଼ିଥିଲେ।
ପ୍ରଥମେ ଝାରସୁଗୁଡ଼ା ବିଧାୟକ ନବ ଦାସ, ସୁନ୍ଦରଗଡ଼ ବିଧାୟକ ଥିବା ଯୋଗେଶ ସିଂହ, ସାଲେପୁର ବିଧାୟକ ଥିବା ପ୍ରକାଶ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। ଏହାପରେ ନିର୍ବାଚନ ହେଲା। ଏଥିରେ ଦଳକୁ ସଫଳତା ମିଳି ନଥିଲା। ୨୦୧୪ରେ ଯେଉଁ ଦଳ ୧୬ଟି ବିଧାୟକ ଆସନ ପାଇ ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଥିଲା ସେହି କଂଗ୍ରେସ ଏଥର ତୃତୀୟ ସ୍ଥାନକୁ ଖସି ଆସିଛି। ବିଜେପୁର ଉପନିର୍ବାଚନ ଏବଂ ପାଟକୁରା ଉପନିର୍ବାଚନରେ କଂଗ୍ରେସ ପୂରା କ୍ଷତିଗ୍ରସ୍ତ ହୋଇଥିଲା। ଏତେସବୁ ପରେ ବି କଂଗ୍ରେସର ସ୍ଥିତି ସୁଧୁରୁନି। ଦଳକୁ ସଜାଡ଼ିବା ବଦଳରେ ପଦ ପଦବୀ ପାଇଁ କନ୍ଦଳ ଚାଲିଛି। ଏଥିରେ ହାଇକମାଣ୍ଡ ହସ୍ତକ୍ଷେପ କରିବାକୁ ବହୁ ବରିଷ୍ଠ ତଥା ଯୁବ କଂଗ୍ରେସ ନେତାମାନେ ଦାବି କରିଛନ୍ତି।
The post କଂଗ୍ରେସ ଭବନରେ କିଏ ପକାଇଥିଲା ତାଲା? ତଦନ୍ତ କରିବ ଭାରତୀୟ ଯୁବ କଂଗ୍ରେସ appeared first on OdishaLIVE.