Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାହିଁକି ନବୀନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ?

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ରାଜ୍ୟ ରାଜନୀତିରେ ଆଜି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଭେଟ୍‌ଘାଟ୍‌କୁ ନେଇ ହିଁ ରାଜନୀତି କରିଡ଼ର ଉଠୁଛି ପଡୁଛି।

ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କିଛି ନୂଆ କଥା ନୁହେଁ। ତେବେ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଛି। ପ୍ରତାପ କାହିଁକି ନବୀନଙ୍କୁ ଭେଟିଲେ ତାକୁ ନେଇ କାରଣ ଖୋଜା ଚାଲିଛି। ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଏହି ଭେଟ୍‌ଘାଟ୍‌ ହୋଇଥିବାରୁ ରାଜନୀତି କରିଡ଼ର ଉଠୁଛି ପଡୁଛି।

ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ଜିତିବା ପରେ ମୋଦୀ ସରକାରରେ ପଶୁ ସମ୍ପଦ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର କିପରି ଅଧିକ ବିକାଶ ହୋଇପାରିବ ଏବଂ ରାଉରକେଲାରେ ଟୁଲ୍‌ ଟ୍ରେନିଂ ସେଣ୍ଟର ପାଇଁ ଜମି କେମିତି ମିଳିବ ସେନେଇ ପ୍ରତାପ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି। ହେଲେ ଏହି ଭେଟ୍‌ଘାଟ୍‌ ପଛରେ ରାଜନୀତି ରହିଥିବା ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ଭିତରେ ଥିବା ସମ୍ପର୍କ ଭିନ୍ନ ମୋଡ଼ ନେଇଛି। କେନ୍ଦ୍ର ସରକାର ଆଣୁଥିବା ବିଭିନ୍ନ ଯୋଜନାକୁ ବିଜେଡି ସାଂସଦମାନେ ସମର୍ଥନ କରିବା, ନବୀନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ଏବଂ ସଂଖ୍ୟା ବଳ ନଥାଇ ବିଜେପି ପ୍ରାର୍ଥୀ ବିଜେଡି ସମର୍ଥନରେ ରାଜ୍ୟସଭା ଯିବା ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଏବେ ଏହି ସମ୍ପର୍କକୁ ନୂଆ ମୋଡ଼ ଦେଇଛି ପ୍ରତାପ ଏବଂ ନବୀନଙ୍କ ଭେଟ୍‌ଘାଟ୍‌।

ପ୍ରତାପ ଷଡ଼ଙ୍ଗୀ କେବଳ ଜଣେ କେନ୍ଦ୍ରମନ୍ତ୍ରୀ ନୁହନ୍ତି। ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା। ମନ୍ତ୍ରୀ ହେବା ପରେ ତାଙ୍କର ଗୁରୁତ୍ୱ ବଢ଼ିଛି। ଓଡ଼ିଶାରେ ବିଜେପି ସଙ୍ଗଠନ କେମିତି ସୁଦୃଢ଼ ହେବ ତାର ଦାୟିତ୍ୱ ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ନେଇଛନ୍ତି। ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀରେ ଧର୍ମେନ୍ଦ୍ର-ନବୀନଙ୍କ ଭେଟ୍‌ଘାଟ୍‌ ହୋଇଥିଲା। ଏବେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାରେ ନବୀନଙ୍କୁ ଭେଟି ରାଜନୀତି ପାଣିପାଗକୁ ଆହୁରି ଗୋଳିଆ କରିଛନ୍ତି।

ଗତ ୧୧ ତାରିଖରେ ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିଥିଲା। ବିଜେପିକୁ ଦିଲ୍ଲୀ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ଫଳାଫଳରୁ ଜଣାପଡ଼ିଛି। ଦିଲ୍ଲୀ ଫଳାଫଳ ପରେ ହିଁ ପ୍ରତାପ ନବୀନଙ୍କୁ ଭେଟିଛନ୍ତି। କିଛିଦିନ ତଳେ ଝାଡ଼ଖଣ୍ଡ, ମହାରାଷ୍ଟ୍ର ବିଜେପି ହାତରୁ ଖସି ଯାଇଥିଲା। ଏଣୁ ଦିଲ୍ଲୀ ଦଖଲ କରି ବିଜେପି ନିଜର ପତିଆରା ଜାହିର କରିବାକୁ ଚାହୁଁଥିଲେ ମଧ୍ୟ ତାହା ଫେଲ୍‌ ମାରିଛି। ଏଣୁ ଆଗାମୀ ଦିନରେ ବିଜେଡିର ସମର୍ଥନ କେମିତି ଜାରି ରହିବ ସେଥିପାଇଁ ଏହି ଭେଟ୍‌ଘାଟ୍‌ ହୋଇଥିବା କୁହାଯାଉଛି।

କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ପ୍ରତାପ ନୀଳଗିରି ବିଧାୟକ ରହିଥିଲେ। ବିଧାୟକ ରହିଥିବା ବେଳେ ହିଁ ସେ ନବୀନଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରି ଆସୁଥିଲେ। ଏପରିକି ବିଧାନସଭାକୁ ସେ ଉଠାଉଥିଲେ ଏବଂ ପକାଉଥିଲେ। ହେଲେ ଏବେ କେନ୍ଦ୍ରମନ୍ତ୍ରୀ ହେବା ପରେ ଗଣିତ ବଦଳିଛି। ଲୋକସେବା ଭବନରେ ନବୀନ-ପ୍ରତାପଙ୍କ ଭେଟ୍‌ଘାଟ୍‌ ବିଜେପି-ବିଜେଡି ରାଜନୀତିକୁ ଆଉ କେଉଁ ନୂଆ ମୋଡ଼ ଦେଉଛି ତାହା ଅପେକ୍ଷା କରି ଦେଖିବାର କଥା।

The post କାହିଁକି ନବୀନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images