Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଜେପିକୁ ପ୍ରଶ୍ନ ପଚାରିଲେ କେଜରିୱାଲ – ଦିଲ୍ଲୀରେ ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?’’ – ଏହି ପ୍ରଶ୍ନ ବିଜେପିକୁ ପଚାରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ।

ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ପାଇଁ ହେବ ନିର୍ବାଚନ। ଏଥିପାଇଁ ଉଠୁଛି ପଡୁଛି ଦିଲ୍ଲୀ। ଆମ୍‌ ଆଦ୍‌ମୀ ପାର୍ଟି ମୁଖିଆ ଅରବିନ୍ଦ କେଜରିୱାଲ ତାଙ୍କ ଦଳର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ଆଗରେ ରଖି ପ୍ରଚାର ଚଳାଇଛି।

କେଜରିୱାଲ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିବା ବେଳେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦୁଇ ଦିନ ପରେ ପ୍ରଚାର ଶେଷ ହେବାର ଥିବାରୁ ଆରୋପ ପ୍ରତ୍ୟାରୋପରେ ନିର୍ବାଚନ ମଇଦାନ ସରଗରମ ହୋଇଛି।

‘‘ଦିଲ୍ଲୀବାସୀ ପ୍ରଶ୍ନ କରୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ବିଜେପି ପ୍ରଥମେ ଏହା ସ୍ପଷ୍ଟ କରିବା ଦରକାର। ଦିଲ୍ଲୀବାସୀଙ୍କ ସେବା କରିବା ପାଇଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଚାହୁଁଛି ତାହା ସେମାନେ ଜାଣିବାକୁ ଚାହୁଁଛନ୍ତି। ଅମିତ ଶାହ କହୁଛନ୍ତି ମତେ ଆପଣମାନେ ଭୋଟ୍‌ ଦିଅନ୍ତୁ। ମୁଁ ଆପଣମାନଙ୍କ ସେବା ପାଇଁ ଭଲ ମୁଖ୍ୟମନ୍ତ୍ରୀ ଦେବି। ହେଲେ ଅମିତ ଶାହ କାହିଁକି ଆଗୁଆ ତାଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ପ୍ରୋଜେକ୍ଟ କଲେ ନାହିଁ?’’, ଏହି ପ୍ରଶ୍ନ ପଚାରି ଦିଲ୍ଲୀ ରାଜନୀତିକୁ ସରଗରମ କରିଛନ୍ତି କେଜରିୱାଲ।

କେଜରିୱାଲ ଆହୁରି କହିଛନ୍ତି, ‘‘ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରୁ। ମୁଁ ତାଙ୍କ ସହ କଥା ହେବି। ଦିଲ୍ଲୀର ସାଧାରଣ ଲୋକଙ୍କ ସାମ୍ନାରେ ମୁଁ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଅଛି। ଦିଲ୍ଲୀ ପାଇଁ ସେ କ’ଣ କରିବାକୁ ଚାହାନ୍ତି ସ୍ପଷ୍ଟ କରନ୍ତୁ।’’

୨୦୧୫ ବିଧାନସଭା ନିର୍ବାଚନରେ କେଜରିୱଲଙ୍କୁ ଟକ୍କର ଦେବା ପାଇଁ ବିଜେପି କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା। ହେଲେ କିରଣ ବେଦୀ ନିର୍ବାଚନ ହାରି ଯାଇଥିଲେ। ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। କିନ୍ତୁ ଏଥର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନି।

The post ବିଜେପିକୁ ପ୍ରଶ୍ନ ପଚାରିଲେ କେଜରିୱାଲ – ଦିଲ୍ଲୀରେ ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles