Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ଧଉଳି-କଳିଙ୍ଗ ମହୋତ୍ସବ: ଅରୁଣା ମହାନ୍ତି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ
  • ୧୦ରୁ୧୨ତାରିଖ ଯାଏଁ ଚାଲିବ ମହୋତ୍ସବ
  • ରୁଚିବୁଦ୍ଧ ସମ୍ମାନ ପାଇବେ ନୃତ୍ୟଗୁରୁ ମାୟଧର ରାଉତ

କଳିଙ୍ଗ ବୀରମାନଙ୍କ ବୀରତ୍ୱର କାହାଣୀକୁ ମନେ ପକାଇ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହେବ ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ। ଫେବ୍ରୁଆରି ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଚାଲିବ ଏହି ମହୋତ୍ସବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ଇତିହାସ, ଉଦ୍ଦେଶ୍ୟ ଏବଂ ଏ ବର୍ଷର ମୁଖ୍ୟ ଆକର୍ଷଣ କ’ଣ ରହିଛି ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ଭେଟିଥିଲା ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ ସଂପାଦକ ତଥା ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ।

ଆସନ୍ତୁ ଜାଣିବା ଧଉଳି କଳିଙ୍ଗ ମହୋତ୍ସବକୁ ନେଇ କ’ଣ କହୁଛନ୍ତି ଅରୁଣା ମହାନ୍ତି?

କାହିଁକି ଧଉଳି-କଳିଙ୍ଗ ମହୋତ୍ସବ?

‘‘ଧଉଳି କଳିଙ୍ଗ ମହୋତ୍ସବର ମୁଖ୍ୟ ଆକର୍ଷଣ ହେଲା ଧଉଳି ପାହାଡ଼ ଓ ଧଉଳି ସ୍ତୁପ। ଆମ ଐତିହ୍ୟର ପ୍ରତୀକ ଧଉଳି ପର୍ବତ ଓ ଏହିଠାରୁ ଆରମ୍ଭ ହୋଇଥିଲା ବୁଦ୍ଧଙ୍କର ଶାନ୍ତିବାଣୀ। ତେଣୁ ସେହି ଜାଗାକୁ ମହିମାମଣ୍ଡିତ କରିବା ପାଇଁ ଏ ନୃତ୍ୟ ସଙ୍ଗୀତର ଆସର ବା ଉତ୍ସବ ପାଳିତ ହେଉଛି’’, କହିଛନ୍ତି ଅରୁଣା ମହାନ୍ତି।

୧୬ବର୍ଷ ଧରି ପାଳିତ ହେଉଥିବା ଧଉଳି ଉତ୍ସବ ଓ କଳିଙ୍ଗ ଉତ୍ସବ ମିଶ୍ରଣ ହୋଇ ଧଉଳି କଳିଙ୍ଗ ଉତ୍ସବରେ ପରିଣତ ହୋଇଛି। ଏହି ଉତ୍ସବରେ ସଙ୍ଗୀତ ଓ ନୃତ୍ୟରେ ଦର୍ଶକ ମତୁଆଲା ହୁଅନ୍ତି।

ଧଉଳି ପାଦଦେଶରେ କାହିଁକି ଏହି ଉତ୍ସବ?

‘‘ଧଉଳି ପାହାଡ଼ ଆମ ଇତିହାସର ମୂକସାକ୍ଷୀ। ଏହା ଓଡ଼ିଶା ମାନଚିତ୍ରକୁ ବିଶ୍ୱ ଦରବାରରେ ପରିଚିତ କରାଇଥାଏ ଆମର ଐତିହ୍ୟ। ତେଣୁ ଧଉିଳି ପାଦଦେଶରେ ଆୟୋଜିତ ହେଉଛି ଏହି ଉତ୍ସବ। ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ଧଉଳି-କଳିଙ୍ଗ ମହୋତ୍ସବ’’, କହିଛନ୍ତି ଅରୁଣା ମହାନ୍ତି।

କେବେଠୁ ଆରମ୍ଭ ଧଉଳି-କଳିଙ୍ଗ ଉତ୍ସବ?

ଅରୁଣା ମହାନ୍ତିଙ୍କ କହିବା ଅନୁସାରେ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ଏହି ଉତ୍ସବର ସ୍ୱପ୍ନ ଦେଖିଥିଲେ। ପ୍ରତ୍ୟେକ ଐତିହ୍ୟ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ କରିବାକୁ ସେ ଚାହିଁଥିଲେ। ସେ ହିଁ ଏହି କାର୍ଯ୍ୟକ୍ରମର ଜନକ।

ଧଉଳି କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ଏହି ଉତ୍ସବରେ ଲୋକଙ୍କ ସଂଖ୍ୟା ବଢ଼ୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଉତ୍ସବରେ ଯୋଗ ଦେଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ନିକଟରେ ମଧ୍ୟ ଏଥିପ୍ରତି ଆଗ୍ରହ ଦେଖିବାକୁ ମିଳିଛି। ଏହିମାନେ ଏହି ଉତ୍ସବକୁ ଆଗକୁ ନେଇପାରିବେ।

୩ ଦିନରେ କ’ଣ ରହିଛି କାର୍ଯ୍ୟକ୍ରମ?

ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଉଦଘାଟନୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଏହି ଉତ୍ସବରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ। ତାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ପଲ୍ଲବୀ ପରିବେଷଣ ହେବ।

ଏହହାବ୍ୟତୀତ ରମା ବୈଦ୍ୟନାଥନ୍‌ଙ୍କ ଦ୍ୱାରା ଭାରତନାଟ୍ୟମ୍‌ ପରିବେଷଣ କରାଯିବ। ରମା ବୈଦ୍ୟଦାଥନ ଭାରତନାଟ୍ୟମରେ ଏକ ସମ୍ମାନସ୍ପଦ ନାମ। ତାଙ୍କ ନୃତ୍ୟ ଦେଖି ଲୋକ ହୁଅନ୍ତି ବିଭୋର। ସିଙ୍ଗାପୁରଠୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁଠି ତାଙ୍କ ନୃତ୍ୟ ଦେଖିବାକୁ ଲୋକଙ୍କ ଆଗ୍ରହ ଦେଖାଯାଇଥାଏ। ଏହା ବ୍ୟତୀତ ପ୍ରଥମ ସନ୍ଧ୍ୟାରେ ଛଉ ନୃତ୍ୟ ପରିବେଷଣ କରାଯିବ।

ଦ୍ୱିତୀୟ ଦିନରେ ଆସ୍ତାଦ ଦେବୁଙ୍କ କଣ୍ଟେମ୍ପୋରାରି ଷ୍ଟାଇଲରେ ମାର୍ସଲ ଆର୍ଟ ପରିବେଷଣ ହେବ। ଆସ୍ତାଦ ଦେବୁ କଣ୍ଟେମ୍ପୋରାରି ଫିଲ୍ଡରେ ଜଣେ ବଳିଷ୍ଠ କଳାକାର।

ତୃତୀୟ ଦିନରେ ବାଙ୍ଗାଲୋରର ରଞ୍ଜନ ମୁଲାର୍‌ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା କଳାରିପୟାଟୁ ପରିବେଷଣ କରାଯିବ।

ଓଡ଼ିଶୀରେ ଆସୁଛନ୍ତି କୋଲକାତାର ଶର୍ମିଲା ବିଶ୍ୱାସ। ଉଦ୍‌ଯାପନୀ ସନ୍ଧ୍ୟାରେ ଭୁବନେଶ୍ୱରର ସଚ୍ଚିଦାନନ୍ଦ ଦାସ ଏବଂ ସାଥୀଙ୍କ ଦ୍ୱାରା ମର୍ଦ୍ଦଳ ବାଦନ, ମୁମ୍ବାଇର ରାଜଶ୍ରୀ ସିର୍‌କେ ଏବଂ ଗ୍ରୁପ୍‌ ଦ୍ୱାରା କଥକ ପରିବେଷଣ କରାଯିବ। ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ‘ଶାନ୍ତିର ବାର୍ତ୍ତା’ ୪୦ ଜଣ କଳାକାର ପରିବେଷଣ କରିବେ।

ରୁଚି ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ ଗୁରୁ ମାୟଧର ରାଉତ

ଏହି ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ରୁଚି ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ ଗୁରୁ ମାୟଧର ରାଉତ।  ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ। ସେହିଭଳି ଓଡ଼ିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ବିଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଆଲୋକ କାନୁନ୍‌ଗୋ, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡ. ଦେବୀ ମିଶ୍ର, ଡ. ନିରଞ୍ଜନ ତ୍ରିପାଠୀ, ସ୍ୱାତୀ ତ୍ରିପାଠୀ ଏବଂ ଜଣାଶୁଣା ମଞ୍ଚ ଆଲୋକ ସମ୍ପାଦନାକାରୀ ଜୟଦେବ ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯିବ।

The post ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ଧଉଳି-କଳିଙ୍ଗ ମହୋତ୍ସବ: ଅରୁଣା ମହାନ୍ତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles