Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଯାଆରେ ଉଡ଼ି, ଏ ମୋର ଗୁଡ଼ି…

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରିପୋର୍ଟ – ଜୟ ମହାନ୍ତି, ଫଟୋ – ରଶ୍ମୀରଞ୍ଜନ ମହାପାତ୍ର)

କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି।

‘‘ଉଡ଼ି ଉଡ଼ି ଉଡ଼ି… ଯାଆରେ ଉଡ଼ି… ଏ ମୋର ଗୁଡ଼ି… ଖାଆନା ଖାଆନା ତୁ କାନି…ଏ ମୋର ଲଚକମାଣି’’…

କାହିଁକି କେଜାଣି ମକର ଆସିଲେ ଭାରି ମନେପଡ଼େ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କର ଏହି ସୁପରହିଟ୍ ଗୀତଟି। ଆଜି ହେଉଛି ମକର ସଂକ୍ରାନ୍ତି। ସବୁଠି ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି ଯୁବପିଢ଼ି। ଅକ୍ଷୟ ମହାନ୍ତିଙ୍କର ଏହି ଗୀତରେ ହଜି ଗୁଡ଼ି ଉଡ଼ାରେ ମାତିଛନ୍ତି ସମସ୍ତେ।

ଗୁଡ଼ି ଉଡାଇବା କଳାରେ ବେଶ ଦକ୍ଷ କଟକିଆମାନେ। କଟକିଆଙ୍କର ଏହି ନିଶା ଭାରି ପୁରୁଣା। କଟକିଆ ଅପେକ୍ଷା କରି ରହିଥାନ୍ତି କେବେ ଆରମ୍ଭ ହେବ ଉତ୍ତରା ପବନ। ଖଟ ତଳୁ ବାହାରେ ବିଭିନ୍ନ ପ୍ରକାରର ନଟେଇ। ଆରମ୍ଭ ହୋଇଯାଏ ଗୁଡ଼ି ଉଡ଼ା ପ୍ରତିଯୋଗିତା।

କଟକ ଆକାଶରେ କିଛି ଦିନ ଧରି ଆରମ୍ଭ ହୋଇସାରିଲାଣି ପ୍ରତିଯୋଗିତା। ମାଳ ମାଳ ଗୁଡ଼ି ଦିଶିଲାଣି ସହରର ବିଭିନ୍ନ ସ୍ଥାନରେ। ସକାଳୁ ସନ୍ଧ୍ୟା ଯାଏଁ କଟକ ଆକାଶରେ ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଗୁଡ଼ି। ପରସ୍ପରର ଗୁଡ଼ିକୁ କିପରି କାଟିବେ ତାକୁ ନେଇ ଚାଲିଛି ପ୍ରତିଯୋଗିତା। ଗୁଡ଼ି ଉଡ଼ାରେ ପିଲାମାନେ ଏତେ ମସ୍‌ଗୁଲ୍‌ ହୋଇଯାଇଛନ୍ତି ଯେ କେତେବେଳେ ଦିନ ସରି ଯାଉଛି ତାହା ଜଣା ପଡୁନାହିଁ।

କଟି ଯାଇଥିବା ଗୁଡ଼ିକୁ ଧରିବା ପାଇଁ ଛୋଟ ପିଲାମାନଙ୍କ ଭିତରେ ମଧ୍ୟ ଦେଖିବାକୁ ମିଳୁଛି ଆଗ୍ରହ। ଗୁଡ଼ି ଉଡା ବାଇଆ କଲାଣି ସହରର ଛୋଟଠାରୁ ନେଇ ବଡଙ୍କୁ। ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଆକାଶରେ ଲାଗି ରହିବ ପ୍ରତିଯୋଗିତା। କିଏ ଆଗ କାଟିବ କାହା ଗୁଡ଼ିକୁ ତାକୁ ନେଇ ଦେଖିବାକୁ ମିଳୁଛି ଜୋରଦାର ପ୍ରସ୍ତୁତି।

କଟକିଆମାନେ ଗୁଡ଼ି ଉଡ଼ା ଷ୍ଟାଇଲରେ କିଛି କମ୍‌ ନୁହନ୍ତି। ଗୋଚ୍ ମାରିବା, ଲୋଟଣୀ ଖାଇବା, ସୁରୁକି ଟାଣିବା ଆଦି ଶବ୍ଦ ଗୁଡ଼ି ଉଡ଼ା ବେଳେ ବ୍ୟବହାର ହୋଇଥାଏ।

ଦୋକାନଗୁଡିକରେ ମଧ୍ୟ ଭଳିକି ଭଳି ଡିଜାଇନର ଗୁଡ଼ି ପସରା ଦେଖିବାକୁ ମିଳିଛି। ଦେଶୀ ଗୁଡ଼ି ସହିତ ପଶ୍ଚିମବଙ୍ଗ-ପଞ୍ଜାବ ଆଦି ରାଜ୍ୟରୁ ଆସିଥିବା ଗୁଡ଼ିର ଚାହିଦା ବେଶୀ।

କେଉଁ ଗୁଡ଼ିରେ ସଲମାନ ଖାନଙ୍କୁ ଦେଖିବାକୁ ମିଳୁଛି ତ କେଉଁ ଗୁଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ଡୋରେ ମନ୍, ମୋଟୁ ପତଲୁ, ଛୋଟା ଭିମ୍, ଟମ୍ ଆଣ୍ଡ ଜେରୀ ଆଦି କାର୍ଟୁନ୍ ଗୁଡ଼ିଗୁଡିକର ଚାହିଦା ମଧ୍ୟ କିଛି କମ ନାହିଁ ବଜାରରେ। କେଉଁ ଗୁଡ଼ିରେ ବାହୁବଳୀ-ଟୁ ଦେଖିବାକୁ ମିଳୁଛି କେଉଁ ଗୁଡ଼ିରେ ରୋବଟ୍ ୨.୦ ର ରହିଛି ଚିତ୍ର। ପୁଣି କେଉଁ ଗୁଡିରେ ଦେଖିବାକୁ ମିଳୁଛି ତରକ୍ ମେହେଟ୍ଟା କା ଉଲ୍‌ଟା ଚଷମା।

୫ ଟଙ୍କାରୁ ନେଇ ୩୦ ଟଙ୍କା ପର୍ଯ୍ୟନ୍ତ ଦରରେ ମିଳୁଛି ଭିନ୍ନ ଭିନ୍ନ ଡିଜାଇନର କାଗଜ ଏବଂ ଜରି ଗୁଡ଼ି। ଦୋକାନ ଗୁଡିକରେ ଗଦା ହୋଇଛି ଛୋଟଠାରୁ ନେଇ ବଡ ସାଇଜର ନଟେଇ। ଶହେ ଟଙ୍କାରୁ ନେଇ ତିନିଶହ ଟଙ୍କା ପର୍ଯ୍ୟନ୍ତ ରହିଛି ନଟେଇ ଗୁଡିକର ଦର।

ମାଞ୍ଜା ତଥା ପ୍ଲାଷ୍ଟିକ ସୂତା ବିକ୍ରି ପୂର୍ବ ବର୍ଷ ତୁଳନାରେ କମ ଦେଖିବାକୁ ମିଳିଥିଲା। ମାଞ୍ଜା ତଥା ପ୍ଲାଷ୍ଟିକ ସୂତା ବ୍ୟବହାର ନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛି କଟକ ମହାନଗର ନିଗମ। ଛାତ ଉପରେ ଗୁଡ଼ି ଉଡାଇବାକୁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଖୋଲା ସ୍ଥାନରେ ଗୁଡ଼ି ଉଡାଇବାକୁ ଜୋର ଦିଆଯାଇଛି ପ୍ରଶାସନ ପକ୍ଷରୁ। ନିଜ ଜୀବନ ତଥା ଅନ୍ୟମାନଙ୍କର ଜୀବନକୁ ସୁରକ୍ଷିତ ରଖି ଗୁଡ଼ି ଉଡାଇବାର ମଜା ନେବାକୁ ଅପିଲ କରିଛି କଟକ ମହାନଗର ନିଗମ।

ଗୁଡ଼ି ଉଡ଼ାଇବା ପାଇଁ ଚାଉଳିଆଗଞ୍ଜ ଖେଳ ପଡିଆ, ସନସାଇନ୍ ପଡିଆ, ବିଡାନାସୀ ପଡ଼ିଆ, ବାଲିଯାତ୍ରା ପଡିଆ, ଖାନ ନଗର ପାର୍କ ନିକଟସ୍ଥ ପଡିଆ, ନରାଜ ହେଲି ପ୍ୟାଡ୍ ପଡିଆ, କାଠଯୋଡି ପଠା, ପୋତାପୋଖରୀ ପଡିଆ, ଓ.ଏମ.ପି ଛକ ନିକଟସ୍ଥ ପଡିଆ, ସି.ଡି.ଏ ବିଜୁ ପଟ୍ଟନାୟକ ପାର୍କ ପାଖ ପଡ଼ିଆ ଓ ପଞ୍ଚମୂଖୀ ହନୁମାନ ମନ୍ଦିର ନିକଟସ୍ଥ ପଡିଆ ଆଦି ସ୍ଥାନ ନିର୍ଦ୍ଧାରଣ କରାଯାଇଛି।

ମନୋରଞ୍ଜନର ଏକ ଭଲ ମାଧ୍ୟମ ପାଲଟିଛି ଗୁଡ଼ି ଉଡା। ଗୁଡ଼ି ଉଡ଼ାରେ କଟକିଆ ମସ୍‌ଗୁଲ୍‌।

The post ଯାଆରେ ଉଡ଼ି, ଏ ମୋର ଗୁଡ଼ି… appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images