Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆମେରିକାରେ ଥିବା ଓଡ଼ିଆଙ୍କ ଭିତରେ ‘ମୋ ସ୍କୁଲ୍’ ପାଇଁ ବଢ଼ିଲା ଉତ୍ସାହ

$
0
0

ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି

ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ସହ ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ‘ମୋ ସ୍କୁଲ’ ଅଭିଯାନ ସହ ଯୋଡ଼ି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଭିତରେ ମୋ ସ୍କୁଲ୍ ଅଭିଯାନ ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହୋଇଛି। ଏହି ଅଭିଯାନର ସୁଯୋଗ ନେଇ ସେମାନେ ପିଲାବେଳେ ପାଠ ପଢ଼ିଥିବା ନିଜ ନିଜର ସ୍କୁଲ୍ ପାଇଁ କିଛି କରିବାକୁ ଚାହୁଁଛନ୍ତି। ‘ମୋ ସ୍କୁଲ୍’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ନିକଟରେ ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା ବେଳେ ସେମାନେ ନିଜ ନିଜର ମନର କଥା ପ୍ରକାଶ କରିଛନ୍ତି।

କିଛି ଦିନ ତଳେ ଶ୍ରୀମତୀ ବାଗ୍‌ଚୀ ଆମେରିକାର କାଲିଫର୍ନିଆଠାରେ ଓଡ଼ିଆମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ‘ମୋ ସ୍କୁଲ୍’ ଅଭିଯାନ ମାଧ୍ୟମରେ ଯେଉଁ ଅଗ୍ରଗତି ହୋଇଛି ସୁସ୍ମିତା ତାହା ସେଠାରେ ଉପସ୍ଥାପନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ୍‌ଗୁଡ଼ିକ କିଭଳି ପୁରାତନ  ଛାତ୍ରଛାତ୍ରୀଙ୍କ ସହଯୋଗ ଫଳରେ ନୂଆ ରୂପ ପାଇଛି ତାହା ଶୁଣି ପ୍ରବାସୀ ଓଡ଼ିଆମାନେ ଖୁସି ହୋଇଥିଲେ।

‘‘ବିଦେଶରେ ଥିବା ଓଡ଼ିଆମାନେ ନିଜ ନିଜର କ୍ଷମତା ଭିତରେ ଓଡ଼ିଶା ପାଇଁ କିଛି ନା କିଛି କରୁଛନ୍ତି। ତେବେ ସେମାନଙ୍କର ସବୁଠାରୁ ବଡ଼ ଅସୁବିଧା ହେଉଛି ଯେ ସେମାନେ ପ୍ରତ୍ୟକ୍ଷ ଭାବରେ ଏଠାରେ ହେଉଥିବା କାମର ଅନୁଧ୍ୟାନ କରିପାରୁନାହାନ୍ତି। ‘ମୋ ସ୍କୁଲ୍’ ଅଭିଯାନର ସଫଳତା ଏବଂ ଗୁରୁତ୍ୱ ସମ୍ପର୍କରେ ବୁଝିବା ଫଳରେ ଏବେ ସେମାନେ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସୁଛନ୍ତି’’, ଓଡ଼ିଶାଲାଇଭକୁ କହିଛନ୍ତି ‘ମୋ ସ୍କୁଲ୍‌’ର ଅଧ୍ୟକ୍ଷା।

କାଲିଫର୍ନିଆ ବୈଠକରେ ୧୧୫ରୁ ଅଧିକ ଓଡ଼ିଆ ଭାଗ ନେଇଥିଲେ। ସେମାନେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ତା’ର ପ୍ରତିଦାନରେ ସେମାନେ ଓଡ଼ିଶା ପାଇଁ କିଛି କରିବାକୁ ଚାହୁଁଛନ୍ତି। ‘ମୋ ସ୍କୁଲ୍’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କ ସହଯୋଗ ସହିତ ସରକାରଙ୍କ ଅନୁଦାନ ମିଶିଯିବା ଫଳରେ ଅନେକ କଥା ସମ୍ଭବ ହୋଇପାରୁଛି। ବିଶେଷକରି, ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଆସୁଥିବା ଅନୁଦାନ ରାଶି, ବିଭିନ୍ନ ସାମଗ୍ରୀ ଏବଂ ଏଗୁଡ଼ିକର ପରିଚାଳନା କ୍ଷେତ୍ରରେ ଯେଉଁ ସ୍ୱଚ୍ଛତା ରହିଛି ତାହା ଆମେରିକାର ଓଡ଼ିଆମାନଙ୍କୁ ପ୍ରଭାବିତ କରିଛି। ତେଣୁ ସେମାନେ ‘ମୋ ସ୍କୁଲ୍’ ସହ ସାମିଲ୍ ହୋଇ ଆର୍ଥିକ ସହାୟତା ଛଡ଼ା ଜ୍ଞାନକୌଶଳ ଏବଂ ସମ୍ଭବ ହେଲେ ସ୍କୁଲ୍‌ ସ୍ତରକୁ ଆସି ପ୍ରତ୍ୟକ୍ଷ ସହଯୋଗ ଦେବାକୁ ଇଛା ପ୍ରକାଶ କରୁଛନ୍ତି।

ଓଡ଼ିଶାଲାଇଭ ସହ କଥାବାର୍ତ୍ତା ବେଳେ ସୁସ୍ମିତା ବାଗ୍‌ଚୀ ଆହୁରି କହିଛନ୍ତି ଯେ, ‘‘କେବଳ ଅର୍ଥ ନୁହେଁ, ଆମେ ଚାହୁଁଛୁ ଯେ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ୍ ସହ ସିଧାସଳଖ ଯୋଡ଼ି ହୁଅନ୍ତୁ। ସମୟ ସମୟରେ ଆସି ସେମାନେ ପିଲାଙ୍କୁ ନିଜ ନିଜର ସଙ୍ଘର୍ଷ ଓ ସଫଳତାର କାହାଣୀ କହନ୍ତୁ। ଫଳରେ ପିଲାଙ୍କ ଭିତରେ ଏକ ସକରାତ୍ମକ ମନୋଭାବ ତଥା ଉଚ୍ଚ ଅଭିଳାଷ ସୃଷ୍ଟି ହେବ। ‘ମୋ ସ୍କୁଲ୍‌’ ଅଭିଯାନର ସଫଳତା ପାଇଁ ଏହାଠାରୁ ଆଉ ବଡ଼ ସହଯୋଗ କ’ଣ ହୋଇପାରେ?’’

ଆମେରିକାରେ ରହୁଥିବା ଓଡ଼ିଆମାନେ ସହଯୋଗର ହାତ ବଢ଼ାଇ ବିଭିନ୍ନ ସ୍କୁଲ୍‌ର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଯୋଗଦାନ ଦେବାକୁ ଚାହୁଁଛନ୍ତି। ବିଶେଷକରି, ଲାଇବ୍ରେରୀ ଓ ରିଡିଙ୍ଗ୍‌ ରୁମ୍‌ ତଥା ସ୍ମାର୍ଟ କ୍ଲାସ୍‌ ଭଳି ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ିଛି। ଆମେରିକାର କାଲିଫର୍ନିଆରେ ଦୀର୍ଘ ବର୍ଷ ଧରି ରହୁଛନ୍ତି ନମ୍ରତା ପଟ୍ଟନାୟକ। ସେ କଟକ ରାଣୀହାଟ ହାଇସ୍କୁଲରେ ଲାଇବ୍ରେରି ଏବଂ ରିଡିଙ୍ଗ୍‌ ରୁମ୍‌ ପାଇଁ ସହାୟତା ଦେବାକୁ ମନ ସ୍ଥିର କରିଛନ୍ତି। ଏହି ଲାଇବ୍ରେରିକୁ ସେ ତାଙ୍କ ବାପାଙ୍କ ନାଁରେ ଉତ୍ସର୍ଗ କରିବା ପାଇଁ ଚାହୁଁଛନ୍ତି। ତାଙ୍କୁ ଏହି ସୁଯୋଗ ଦେବା ପାଇଁ ସେ ସମ୍ପୃକ୍ତ ସ୍କୁଲ୍‌ଠାରୁ ଅନୁମତି ମାଗିଛନ୍ତି।

‘‘ଆମେରିକାରେ ଥିବା ବେଳେ ମୋର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫ୍ୟାସନ୍ ଡିଜାଇନର ବିଭୁ ମହାପାତ୍ରଙ୍କ ସହ ଦେଖା ହୋଇଥିଲା। ‘ମୋ ସ୍କୁଲ୍‌’ ଅଭିଯାନର ସଫଳତା ବାବଦରେ କେତୋଟି କଥା ଶୁଣି ତାଙ୍କ ଆଖିରେ ଲୁହ ଆସିଗଲା। ସେ କହିଥିଲେ ଯେ ଓଡ଼ିଶା ଆସିଲେ ସେ ବିଭିନ୍ନ ସ୍କୁଲ୍‌କୁ ଯାଇ ପିଲାଙ୍କୁ ତାଙ୍କ ଜୀବନ ଓ କ୍ୟାରିଅର୍‌ ସମ୍ପର୍କରେ କହିବେ’’, କହିଛନ୍ତି ସୁସ୍ମିତା।

‘ମୋ ସ୍କୁଲ୍‌’ ଆଜି କେବଳ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି କାର୍ଯ୍ୟକ୍ରମରେ ସମାଜର ଯେ କୌଣସି ବ୍ୟକ୍ତି ସହଯୋଗ ଦେଇପାରୁଛନ୍ତି। ଆଉ ଏକ ପାଦ ଆଗକୁ ଯାଇ ‘ମୋ ସ୍କୁଲ୍‌’ ଏବେ ଓଡ଼ିଶା ବାହାରର ବିଭିନ୍ନ ବ୍ୟକ୍ତି ଓ ସଂଗଠନ ସହ ଯୋଡ଼ି ହେବାର ସମ୍ଭାବନା ସୃଷ୍ଟି କରିଛି। ଆମେରିକାରେ ରହୁଥିବା କେତେକ ପ୍ରବାସୀ ଭାରତୀୟ, ଯେଉଁମାନେ କି ଭାରତର ବିଭିନ୍ନ ସହରରେ ନିଜ ନିଜର ସଂଗଠନ ମାଧ୍ୟମରେ ବଡ଼ ବଡ଼ ସାମାଜିକ କାମ କରୁଛନ୍ତି, ସେମାନେ ‘ମୋ ସ୍କୁଲ୍‌’ ଭଳି ଅଭିନବ ଅଭିଯାନ ସହ ଯୋଡ଼ି ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ‘‘ସେମାନେ ଓଡ଼ିଆ ନୁହନ୍ତି, କିନ୍ତୁ ‘ମୋ ସ୍କୁଲ୍‌’ର ଚିନ୍ତାଧାରା ଏବଂ ସୁଦୁର ପ୍ରସାରୀ ପ୍ରଭାବ ସମ୍ପର୍କରେ ସେମାନେ ବେଶ୍‌ ପ୍ରଭାବିତ। ତେଣୁ ସୁଯୋଗ ମିଳିଲେ ସେମାନେ ଓଡ଼ିଶା ଆସି ସେମାନଙ୍କ ଜ୍ଞାନ, ଅନୁଭୂତି ଏବଂ ସାଙ୍ଗଠନିକ ସେବା ଯୋଗାଇ ଦେବାକୁ ରାଜି ଅଛନ୍ତି’’, ସୂଚନା ଦେଇଛନ୍ତି ‘ମୋ ସ୍କୁଲ୍‌’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ।

ଆଜି ଆମ ରାଜ୍ୟରେ ପାଖାପାଖି ୧୮୫ଟି ସ୍କୁଲ୍‌ ରହିଛି ଯାହାର ବୟସ ୧୦୦ ବର୍ଷରୁ ଅଧିକ। ଏଭଳି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର କରି ଠିଆ କରିବା ପାଇଁ ‘ମୋ ସ୍କୁଲ୍‌’ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ଏହି ଅନୁଷ୍ଠାନଗୁଡ଼ିକ ଆଗାମୀ ଦିନରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ପରିଚୟ ହେବେ ବୋଲି ସୁସ୍ମିତା ଆଶା ପ୍ରକାଶ କରିଛନ୍ତି।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରାକୁ ନେଇ ‘ମୋ ସ୍କୁଲ୍‌’ ଆଜି ଏହି ସ୍ତରରେ ପହଞ୍ଚିଛି। ଏହାର ପ୍ରଭାବ ଆଜି ଓଡ଼ିଶାର ଗାଁଗହଳିରୁ ଆରମ୍ଭ କରି ଆମେରିକାର ଓଡ଼ିଆଙ୍କ ପାଖରେ ପହଞ୍ଚିପାରିଛି। ତେଣୁ କେବଳ ଓଡ଼ିଶା ବା ଭାରତରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ ବା ସମାଜର ଅନ୍ୟ ବର୍ଗର ଲୋକଙ୍କ ସହଯୋଗ ଭିତରେ ଏହି ଯୋଜନା ଆଉ ସୀମିତ ହୋଇ ରହିନାହିଁ। ବିଦେଶରେ ରହୁଥିବା ଭାରତର ଅନ୍ୟ ଭାଷାଭାଷୀ ଲୋକେ ମଧ୍ୟ ‘ମୋ ସ୍କୁଲ୍‌’ ପାଇଁ ସହଯୋଗ କରିବାକୁ ଆଗେଇ ଆସିବା ଆମ ପାଇଁ କମ୍‌ ବଡ଼ କଥା ନୁହେଁ’’, ଓଡ଼ିଶାଲାଇଭ ନିକଟରେ ନିଜର ଆମେରିକା ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ସୁସ୍ମିତା।

The post ଆମେରିକାରେ ଥିବା ଓଡ଼ିଆଙ୍କ ଭିତରେ ‘ମୋ ସ୍କୁଲ୍’ ପାଇଁ ବଢ଼ିଲା ଉତ୍ସାହ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images