ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ମୁଁ ଓଏଏସ୍ ପରୀକ୍ଷା ଦେଇଥିଲି। ହେଲେ କେବେ ଆଶା କରି ନଥିଲି ୧ ନମ୍ବର ରାଙ୍କରେ ରହିବି। ନମ୍ବର-୧ ରାଙ୍କରେ ରହିଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ଓଏଏସ୍ ଟପ୍ପର ଦେବାଶିଷ ପଣ୍ଡା।
୨୦୧୮ ବର୍ଷର ଓଏଏସ୍ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୨୧୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସେମାନଙ୍କ ଭିତରେ ୭୨ ଜଣ ହେଉଛନ୍ତି ମହିଳା। ସୁନ୍ଦରଗଡ଼ ଜିଲ୍ଲା ବଣେଇଁର ଦେବାଶିଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଦ୍ୱିତୀୟ ଥରରେ ଦେବାଶିଷ ଏହି ସଫଳତା ପାଇଛନ୍ତି। ସେ ପ୍ରଥମ ଥର ପ୍ରିଲମ୍ସ ରାଉଣ୍ଡରୁ କଟି ଯାଇଥିଲେ। କିନ୍ତୁ ମନରେ ଥିବା ଦୃଢ଼ ଇଚ୍ଛାଶକ୍ତି ବଳରେ ଦେବାଶିଷ ଏହି ସଫଳତା ପାଇଛନ୍ତି। ସେ ଦିନକୁ ୬ ଘଣ୍ଟା ପରିଶ୍ରମ କରୁଥିଲେ। କଠିନ ପରିଶ୍ରମ, ବାପା, ମା’ଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ଦେବାଶିଷ।
‘‘ମୁଁ କେବେ କୋଚିଂ ନେଇ ନଥିଲି। ମୁଁ ଏମ୍ଏସ୍ସି ପାଠ ପଢ଼ିବା ସହ ଓଏଏସ୍ ପାଇଁ ବି କିଛି ସମୟ ଦେଉଥିଲି। ବିନା କୋଚିଂରେ ମୁଁ ପ୍ରିଲିମ୍ସ ଓ ମେନ୍ ପରୀକ୍ଷା ପାସ୍ କରିଥିଲି। କେବଳ ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ମୁଁ କିଛି ମାସ କୋଚିଂ ନେଇଥିଲି’’, କହିଛନ୍ତି ଦେବାଶିଷ।
ସେ ଆହୁରି କହିଛନ୍ତି, ‘‘ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ଥିଲା। ଏଣୁ ସିଭିଲ ସର୍ଭିସ୍ ପରୀକ୍ଷାକୁ ମୁଁ ବାଛି ନେଇଥିଲି। ଲୋକଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିବାର ସୁଯୋଗ ମିଳିଛି। ଲୋକଙ୍କ ପାଇଁ ମୋ’ ଦ୍ୱାରା ଯାହା ହେବ ମୁଁ ତାହା କରିବି।’’
The post ମୁଁ ଆଶା କରି ନଥିଲି ଓଏଏସ୍ ଟପ୍ପର ହେବି – ଦେବାଶିଷ ପଣ୍ଡା appeared first on OdishaLIVE.