ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ ହେବା ପରେ,ଏବେ ସାରା ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ ଘଟଣାରେ ଏବେ ସାରା ବିଶ୍ୱ ପ୍ରଭାବିତ ହେବାକୁ ଯାଉଛି। ଏହି ଘଟଣା ପରେ ବିଶ୍ୱର ଅଧିକାଂଶ ଦେଶ ସହ ଭାରତରେ ମଧ୍ୟ ପେଟ୍ରୋଲ, ଡିଜେଲ୍ ପାଇବା କଷ୍ଟକର ହୋଇପଡ଼ିବ ବୋଲି ସୂଚନା ମିଳୁଛି।ଗୁରୁବାର ମଧ୍ୟରାତ୍ରିରେ ଆମେରିକା ଇରାକର ବାଗଦାଦ୍ ଏୟାରପୋର୍ଟ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଫଳରେ ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାସହ ଏହାର ପ୍ରଭାବ ସାରା ବିଶ୍ୱ ସହ ଭାରତ ଉପରେ ପଡ଼ିବ ବୋଲି କୁହାଯାଉଛି। ଏହି ଏୟାର୍ ଷ୍ଟ୍ରାଇକ୍ ପରେ ଯଦି ଇରାକର ପଡୋଶୀ ବନ୍ଧୁ ଦେଶ ଇରାନ୍ ତା’ର ନିୟନ୍ତ୍ରଣରେ ଥିବା ହରମୁଜ୍ ସମୁଦ୍ର ପଥକୁ ବନ୍ଦ କରିଦିଏ, ତେବେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିବ। କାରଣ ଏହି ସମୁଦ୍ର ପଥ ଦେଇ ବିଶ୍ୱର ଅଧିକାଂଶ ଦେଶକୁ ତେଲ ଆମଦାନୀ ହୋଇଥାଏ।
ଏହି ସମୁଦ୍ର ପଥକୁ ଇରାନ୍ ବନ୍ଦ କରିଦେବା ପରେ ସାଉଦୀ ଆରବ, ଇରାକ, ୟୁଏଇ, କୁଏତ, କତାର ଓ ଇରାନରୁ ଯେଉଁ ତେଲ ଜାହାଜ ଯିବା ଆସିବା କରୁଥିଲା ତାହା ବନ୍ଦ ହୋଇଯିବ। ଫଳରେ ସାରା ଭାରତ ସହ ଦେଶରେ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖାଯିବ। ଏହି ସମୁଦ୍ର ପଥ ଦେଇ ପ୍ରତିଦିନ ପ୍ରାୟ ୧୫ ମିଲିୟନ ବ୍ୟାରେଲ ତେଲ ବିଶ୍ୱର ଅନେକ ଦେଶକୁ ପହଞ୍ଚାଯାଇଥାଏ। ଏହା ବନ୍ଦ ହେବା ଫଳରେ ବିଶ୍ୱରେ ପେଟ୍ରୋଲ, ଡିଜେଲର ଦାମ୍ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
ଇରାକ୍ ଉପରେ ଆମେରିକାର ଆକ୍ରମଣରେ ଇରାନର ମେଜର ଜେନେରାଲ କାସିମ ସୁଲେମାନ ଓ କମାଣ୍ଡର ଅବୁ ମେହଦୀ ପ୍ରାଣ ହରାଇଛନ୍ତି। ତେଣୁ ଇରାନ୍ ଏହି ସମୁଦ୍ର ପଥକୁ ରୋକିଦେବ ବୋଲି ଏବେ ଚର୍ଚ୍ଚା ହେଉଛି।
The post ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ – ବନ୍ଦ ହୋଇପାରେ ବିଦେଶରୁ ତେଲ ଆମଦାନୀ appeared first on OdishaLIVE.