Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଉଦ୍‌ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା – ‘‘ଭାରତରେ ଯେତେ ଉତ୍ସବ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ଧନୁଯାତ୍ରା ଶ୍ରେଷ୍ଠ’’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସାଂସ୍କୃତି ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼ ସହର
  • ବରପୂତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
  • ଧାନ, ଧନୁ ଏବଂ ବାନ୍ଧକଳା ପାଇଁ ବରଗଡ଼ ପ୍ରସିଦ୍ଧ
  • ଧନୁଯାତ୍ରାକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ଉଦ୍ୟମ ହେବ: ସୁରେଶ ପୂଜାରୀ

ବରଗଡ଼: ଉଦ୍‌ଘାଟିତ ହେଲା ୭୧ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ରଙ୍ଗାରଙ୍ଗ ପରିବେଶ ଏବଂ ଖଚାଖଚ୍‌ ଲୋକଙ୍କ ଭିଡ଼ ଭିତରେ ଏହି ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଛି। ୧୧ ଦନି ଧରି ବରଗଡ଼ରେ ଚାଲିବ କଂସ ମହାରାଜଙ୍କ ରାଜୁତି। ପ୍ରଥମ ଦିନରେ ମଥୁରା ନରେଶ ଉଗ୍ରେସନଙ୍କୁ ଯୁବରାଜ କଂସ ଗାଦିଚ୍ୟୁତ କରିବା ପରେ ମଥୁରାରେ ରାଜନୈତିକ ଅଚଳାବସ୍ଥା ଦେଖାଦେଇଛି।

ଉଦଘାଟନୀ ଉତ୍ସବ ପୂର୍ବରୁ ଅପରାହ୍‌ଣ ୩ଟାରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଗାନ୍ଧୀ ଛକରେ ଜାତିର ପିତା ମହାତ୍ମା ଗାନ୍ଧୀ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ମା’ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା। ସମଲେଇଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଥିଲା।

ରାଜ ଦରବାରଠାରେ ଅନୁଷ୍ଠିତ ଉଦଘାଟନୀ ସମାରୋହକୁ ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ତଥା ବରଗଡ ଏସ୍‌ପି ପଦ୍ମିନୀ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

‘‘ବରଗଡ଼ ଧନୁଯାତ୍ରାର ବାସ୍ନା ଧିରେ ଧିରେ ସମଗ୍ର ବିଶ୍ୱକୁ ମହକିତ କରିବାକୁ ଲାଗିଛି। ସ୍ୱାଧୀନତାର ଐତିହାସିକ ପୃଷ୍ଠଭୂମୀ ଏବଂ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେଷିତ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ ଧନୁଯାତ୍ରା ଯୋଗୁଁ ବରଗଡ଼ ପ୍ରସିଦ୍ଧି ଲାଭ କରିପାରିଛି। ଧାନ, ଧନୁ ଏବଂ ବାନ୍ଧକଳା ବରଗଡ଼କୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଭାରତ ବର୍ଷରେ ଯେତେ ବି ଉତ୍ସବ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ବରଗଡ଼ର ଧନୁଯାତ୍ରା ଶ୍ରେଷ୍ଠ। ସମଗ୍ର ସହର ଏକ ଖୋଲାମଞ୍ଚରେ ପରିଣତ ହେଉଥିବା ବେଳେ ଏଠାକାର ସମସ୍ତ ଜନସାଧାରଣ ଜଣେ ଜଣେ କଳାକାର’’, ଧନୁଯାତ୍ରା ମହୋତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଥିଲେ।

ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।

ଏ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ, ‘‘ବରଗଡ଼ ଧନୁଯାତ୍ରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି। ପ୍ରତିବର୍ଷ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ କିପରି କେନ୍ଦ୍ରୀୟ ମାନ୍ୟତା ସେନେଇ ଉଦ୍ୟମ କରାଯିବ।’’

ଧନୁଯାତ୍ରାର କଳେବର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଦାନିକଟାଁରେ କିପରି ଯାତ୍ରା ଆୟୋଜିତ ହୋଇପାରିବ ସେନେଇ ସଭାପତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ।

ଧନୁଯାତ୍ରା ଉଦଘାଟନ ପରେ ମଥୁରା ନଗରୀର ରାଜନୀତିରେ ଅଚଳାବସ୍ଥା ଦେଖାଦେଇଥିଲା। ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ନାଟକୀୟ ଘଟଣାକ୍ରମେ ରାଜସିଂହାସନ ଅକ୍ତିଆର କରିଛନ୍ତି। ଏହାସହ ମଙ୍ଗଲବା ଠାରୁ ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଆରମ୍ଭ ହୋଇଛି। ତାଙ୍କ ନିର୍ଦ୍ଦେଶରେ ଉଗ୍ରସେନଙ୍କ ହାତରୁ ସମସ୍ତ କ୍ଷମତା ଅପସାରଣ କରାଯିବା ସହିତ ତାଙ୍କ ପାତ୍ର, ମନ୍ତ୍ରୀ, ଅମାତ୍ୟଙ୍କୁ ରାଜସେବାରୁ ନିବୃତ କରାଯାଇଛି। ଏହା ସହ କଂସ ନିଜର ବିଶ୍ୱସ୍ତମାନଙ୍କୁ ମଥୁରାର ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଛନ୍ତି।  ମଥୁରାର ଶାସନଭାର ଉଗ୍ରସେନ ହାତରୁ ଛଡାଇ କଂସ ନିଜେ ସମ୍ଭାଳିଥିବା ବେଳେ ସାରା ରାଜ୍ୟରେ ଅଶାନ୍ତର ବାତାବରଣ ଦେଖାଦେଇଛି।

ବରଗଡ ଧନୁଯାତ୍ରା ମଙ୍ଗଳବାରଠାରୁ ୧୧ ଦିନ ଧରି ପାଳିତ ହେବାକୁ ଥିବା ବେଳେ ଏହା ଜାନୁଆରି ୧୦ ତାରିଖରେ ଉଦଯାପିତ ହେବ। ଅନ୍ୟପକ୍ଷରେ ଯାତ୍ରାରେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରଗଡ ସହର ତଥା ଅମ୍ବାପାଲିରେ ୯ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଜଣେ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସପି, ୧୩ ଜଣ ଇନିସ୍‌ପେକ୍ଟର, ୩୫ ଏସ୍‌ଆଇ, ୬୪ ଏଏସଆଇ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

ବିଭିନ୍ନ ସ୍ଥାନରେ ସିସିଟିଭି ଏବଂ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଥିବା ନେଇ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

The post ଉଦ୍‌ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା – ‘‘ଭାରତରେ ଯେତେ ଉତ୍ସବ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ଧନୁଯାତ୍ରା ଶ୍ରେଷ୍ଠ’’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images